Latest Odisha News

BREAKING NEWS

ଆସନ୍ତା ୨୧ରୁ ୩୦ ଜୁନ୍‌ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆୟୋଜିତ ହେବ ‘ସୁଭଦ୍ରା ଶକ୍ତି ସମାବେଶ’

ଭୁବନେଶ୍ୱର: ୨୧ ଜୁନ୍‌ରୁ ୩୦ ଜୁନ୍‌ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତରେ ଆୟୋଜିତ ହେବ ‘ସୁଭଦ୍ରା ଶକ୍ତି ସମାବେଶ’ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭୁବନେଶ୍ୱର ସ୍ଥିତ ମିଶନ ଶକ୍ତି ଭବନଠାରେ କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ସମସ୍ତ ଜିଲ୍ଲାର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ସହ ଭର୍ଚୁଆଲ୍ ମାଧ୍ୟମରେ ଏକ ସମୀକ୍ଷା ବୈଠକ କରିଛନ୍ତି ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ସଶକ୍ତିକରଣ ଓ ଜୀବିକା ସୁଯୋଗ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ସହ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ବିଭିନ୍ନ ସରକାରୀ ଯୋଜନା, ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଦକ୍ଷତା ବିକାଶ, ବଜାର ସଂଯୋଗ ଏବଂ ଅଧିକରୁ ଅଧିକ ‘ଲକ୍ଷପତି ଦିଦି’ ଓ ‘ମହାଲକ୍ଷପତି ଦିଦି’ ସୃଷ୍ଟି ଦିଗରେ ସଚେତନ କରାଯିବ । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାରେ କାର୍ଯ୍ୟକ୍ରମକୁ ସୁଚାରୁ ଓ ସଫଳ ଆୟୋଜନ ନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହାପରେ ମିଶନ ଶକ୍ତି ଭବନର ସମ୍ମିଳନୀ ଗୃହରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କ ସହ ଏକ ସ୍ୱତନ୍ତ୍ର ବାର୍ତ୍ତାଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟର ୩୦ଟି ଜିଲ୍ଲାରୁ ୩୦୦ରୁ ଉର୍ଦ୍ଧ୍ବ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଅଂଶଗ୍ରହଣ କରିଥିଲେ ।

କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ସମସ୍ତଙ୍କୁ ପବିତ୍ର ରଜ ପର୍ବର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ କହିଥିଲେ ଯେ, ମିଶନ ଶକ୍ତିର ସଫଳତା ପଛରେ କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କ ନିଷ୍ଠା, ପରିଶ୍ରମ ଓ କର୍ମଦକ୍ଷତା ହିଁ ପ୍ରମୁଖ ଶକ୍ତି । ସେମାନଙ୍କ ନିରନ୍ତର ପ୍ରୟାସ ଯୋଗୁଁ ସରକାରଙ୍କ ବିଭିନ୍ନ ଯୋଜନା ତୃଣମୂଳ ସ୍ତରରେ ସଫଳତାର ସହ କାର୍ଯ୍ୟକାରୀ ହୋଇପାରୁଛି ।

ଏହି ଅବସରରେ କମ୍ୟୁନିଟି ସପୋର୍ଟ ଷ୍ଟାଫମାନେ ସେମାନଙ୍କ କାର୍ଯ୍ୟ ଅନୁଭୂତି, ସଫଳତା, କ୍ଷେତ୍ରସ୍ତରରେ ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ସେଗୁଡ଼ିକର ସମାଧାନ ସମ୍ପର୍କରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଭାବେ ଅବଗତ କରାଇଥିଲେ । ଜିଲ୍ଲା ଓ ବ୍ଲକ୍ ସ୍ତରରେ ମିଶନ ଶକ୍ତିର ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ, ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସଶକ୍ତିକରଣ, ଆଜୀବିକା ବୃଦ୍ଧି ଏବଂ କ୍ଷେତ୍ରସ୍ତରର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା ।

କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ନିଷ୍ଠା ଓ ଅବଦାନକୁ ପ୍ରଶଂସା କରି ଉପମୁଖ୍ୟମନ୍ତ୍ରୀ କହିଥିଲେ, “ଆପଣମାନେ ବିଭଗର ପ୍ରତିନିଧି । ଆପଣମାନଙ୍କ ସଂଗଠିତ ଓ ସୁଚାରୁ କାର୍ଯ୍ୟଦକ୍ଷତାର ପରିଣାମ ସ୍ୱରୂପ ‘ଉତ୍କୃଷ୍ଟ କାର୍ଯ୍ୟ ଦକ୍ଷତା’ କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ହାସଲ କରିପାରିଛି । ତେଣୁ ସରକାର ସହୃଦୟତାର ସହିତ ସେମାନଙ୍କର ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ।

ସେ ଆହୁରି କହିଥିଲେ, “କ୍ଷେତ୍ରସ୍ତରରୁ ମିଳୁଥିବା ଅନୁଭୂତି, ମତାମତ ଓ ପରାମର୍ଶ ଆଧାରରେ ମିଶନ ଶକ୍ତିର କାର୍ଯ୍ୟକ୍ରମଗୁଡ଼ିକୁ ଆହୁରି ପ୍ରଭାବଶାଳୀ ଓ ଫଳପ୍ରଦ କରାଯିବ।”ଏହି ବାର୍ତ୍ତାଳାପ ମାଧ୍ୟମରେ ତୃଣମୂଳ ସ୍ତରର କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରାଯିବା ସହ ଭବିଷ୍ୟତରେ ମିଶନ ଶକ୍ତିର କାର୍ଯ୍ୟକ୍ରମଗୁଡ଼ିକୁ ଅଧିକ ଫଳପ୍ରଦ ଭାବେ ଆଗେଇ ନେବା ପାଇଁ ଗୁରୁତ୍ୱପୂର୍ଣ୍ଣ ଦିଗନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.