ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ରେଳବାଇ ଚାକିରି କରାଇଦେବା ନାଁରେ ଏକ ବଡ଼ ଧରଣର ଠକେଇ ସାମ୍ନାକୁ ଆସିଛି। ଚା ବିକିବା ଆଳରେ ଲୋକଙ୍କୁ ଚାକିରିର ପ୍ରଲୋଭନ ଦେଖାଉଥିବା ଜଣେ ଚା ଦୋକାନୀ ଏବଂ ତାଙ୍କ ଝିଅକୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଦ୍ୟାଧର ଦାସ ଏବଂ ତାଙ୍କ ଝିଅ।
ପୋଲିସ ସୂଚନା ଅନୁଯାୟୀ ବିଦ୍ୟାଧର ୟୁନିଟ ୧ ହାଟରେ ଏକ ଚାହା ଦୋକାନ କରିଥିଲେ। ସେ ସେଠାକୁ ଆସୁଥିବା ଗ୍ରାହକମାନଙ୍କୁ ନିଜ ଝିଅର ରେଳବାଇରେ ଚାକିରି ହୋଇଯାଇଛି ବୋଲି କହି ବିଶ୍ୱାସ ଜନ୍ମାଉଥିଲେ। ଏହାର ସୁଯୋଗ ନେଇ ସେ ଅନ୍ୟମାନଙ୍କୁ ମଧ୍ୟ ଚାକିରି ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ। ଏହି କ୍ରମରେ ସେ ଅଭିଯୋଗକାରୀ ନୃସିଂହ ଚରଣ ସାହୁଙ୍କ ଠାରୁ ଚାକିରି କରାଇଦେବା ପାଇଁ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ ଏବଂ ୧୭ ଲକ୍ଷ ଟଙ୍କା ଠକି ନେଇଥିଲେ। ଠକେଇର ସମସ୍ତ ଟଙ୍କା ତାଙ୍କ ଝିଅର ବ୍ୟାଙ୍କ ଆକାଉଣ୍ଟକୁ ଆସୁଥିଲା।
ଏହିପରି ଭାବେ ବାପା ଓ ଝିଅ ମିଶି ବିଭିନ୍ନ ଲୋକଙ୍କ ଠାରୁ ପ୍ରାୟ ୨୫ ଲକ୍ଷ ଟଙ୍କା ଠକି ନେଇଥିବା ପୋଲିସ ସୂଚନା ଦେଇଛି। ତେବେ ଘଟଣାର ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ବିଦ୍ୟାଧର ନିଜେ ପୂର୍ବରୁ ଠକେଇର ଶିକାର ହୋଇଥିଲେ।
ତାଙ୍କରି ଅଭିଯୋଗ ଆଧାରରେ ମାତ୍ର ୭ ଦିନ ତଳେ ପୋଲିସ ୨ ଜଣଙ୍କୁ ଗିରଫ ମଧ୍ୟ କରିଥିଲା।
ନିଜର ହଜିଯାଇଥିବା ଟଙ୍କା ଫେରି ପାଇବା ପାଇଁ ବିଦ୍ୟାଧର ନିଜେ ଏକ ନୂଆ ଯୋଜନା ପ୍ରସ୍ତୁତ କରିଥିଲେ। ସେ ଅନ୍ୟମାନଙ୍କୁ ରେଳବାଇରେ ଚାକିରିର ମିଥ୍ୟା ପ୍ରଲୋଭନ ଦେଖାଇ ପ୍ରବର୍ତ୍ତାଇବା ଆରମ୍ଭ କରିଥିଲେ।
ବର୍ତ୍ତମାନ ପୋଲିସ ବାପା ଓ ଝିଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଘଟଣାର ଅଧିକ ଖୋଳତାଡ଼ ଜାରି ରଖିଛି।
