Latest Odisha News

BREAKING NEWS

ନୀଟ୍ ପରୀକ୍ଷା ପୂର୍ବରୁ ଟେଲିଗ୍ରାମ ବ୍ୟାନ୍ ପ୍ରସଙ୍ଗ: କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ଆପ୍ ‘ଟେଲିଗ୍ରାମ’ ଉପରେ କେନ୍ଦ୍ର ସରକାରଙ୍କ ସାମୟିକ କଟକଣାକୁ ନେଇ ବିବାଦ ଏବେ ଦିଲ୍ଲୀ ହାଇକୋର୍ଟରେ। ଆସନ୍ତା ଜୁନ୍ ୨୧ ତାରିଖରେ ହେବାକୁ ଥିବା ନୀଟ୍ ୟୁଜି ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ଟେଲିଗ୍ରାମକୁ ଦେଶବ୍ୟାପୀ ସାମୟିକ ଭାବେ ବ୍ୟାନ୍ କରିଛନ୍ତି।

 

ସରକାରଙ୍କ ଏହି କଡ଼ା ନିଷ୍ପତ୍ତି ବିରୋଧରେ ଟେଲିଗ୍ରାମ ସଂସ୍ଥା ବୁଧବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଜଷ୍ଟିସ ତେଜସ କାରିଆଙ୍କ ଖଣ୍ଡପୀଠ ଏହି ଆବେଦନର ଜରୁରୀ ଶୁଣାଣି ପାଇଁ ସହମତି ପ୍ରକାଶ କରିଛନ୍ତି। ପ୍ରଶ୍ନପତ୍ର ଲିକ୍ ଏବଂ ପରୀକ୍ଷା ସମ୍ବନ୍ଧୀୟ ବଡ଼ ଜାଲିଆତିକୁ ରୋକିବା ପାଇଁ କେନ୍ଦ୍ର ଆଇଟି ମନ୍ତ୍ରଣାଳୟ ଆଇଟି ଆକ୍ଟର ଧାରା ୬୯ଏ ଅନ୍ତର୍ଗତ ଏହି କଟକଣା ଜାରି କରିଛି। ଜୁନ୍ ୨୨ ତାରିଖ ପର୍ଯ୍ୟନ୍ତ ଦେଶରେ ଟେଲିଗ୍ରାମ ସେବାକୁ ସାମୟିକ ଭାବେ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଭାରତରେ ମେସେଜ୍ ଏଡିଟ୍ କରିବା ଫିଚରକୁ ମଧ୍ୟ ସ୍ଥଗିତ ରଖିବାକୁ କୁହାଯାଇଛି। ପୁରୁଣା ପୋଷ୍ଟକୁ ବଦଳାଇ ନକଲି ପ୍ରଶ୍ନପତ୍ର ଲିକ୍‌ର ପ୍ରମାଣ ସୃଷ୍ଟି କରୁଥିବା ଗ୍ୟାଙ୍ଗକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ସରକାର ସ୍ପଷ୍ଟ କରିଛନ୍ତି।

 

କୋର୍ଟରେ ଟେଲିଗ୍ରାମ ପକ୍ଷରୁ ଓକିଲ ମାଧବ ଖୋସଲା ଯୁକ୍ତି ବାଢ଼ିଛନ୍ତି ଯେ କେତେକ ଅସାମାଜିକ ତତ୍ତ୍ୱଙ୍କ ପାଇଁ ସାରା ଦେଶର ୟୁଜରଙ୍କୁ ଦଣ୍ଡ ଦେବା ଅନୁଚିତ। ଭାରତରେ ଟେଲିଗ୍ରାମର ୧୫ କୋଟିରୁ ଅଧିକ ୟୁଜର ଅଛନ୍ତି ଏବଂ ଏହି ନିଷ୍ପତ୍ତି ଦ୍ୱାରା ସେମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ଟେଲିଗ୍ରାମର ସିଇଓ ପାଭେଲ ଦୁରୋଭ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ସମାଲୋଚନା କରିଛନ୍ତି। ଆପ୍‌କୁ ବ୍ୟାନ୍ କରିବା ଏକ ବଡ଼ ଭୁଲ ଏବଂ ଏହା ଦ୍ୱାରା ଜାଲିଆତି ରୋକାଯାଇପାରିବ ନାହିଁ ବୋଲି ସେ ଦାବି କରିଛନ୍ତି।

 

ଅନ୍ୟପଟେ ଜାତୀୟ ପରୀକ୍ଷା ସଂସ୍ଥା ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛି। ଏନଟିଏର ମହାନିର୍ଦ୍ଦେଶକ ଅଭିଷେକ ସିଂହ କହିଛନ୍ତି ଯେ ଟେଲିଗ୍ରାମରେ ଅନେକ ଗ୍ରୁପ୍ ସକ୍ରିୟ ରହି ଛାତ୍ରଛାତ୍ରୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ। ସେମାନେ ନକଲି ପ୍ରଶ୍ନପତ୍ର ଦେଖାଇ ପରୀକ୍ଷାର୍ଥୀଙ୍କୁ ଆର୍ଥିକ ପ୍ରତାରଣା କରୁଥିଲେ। ଟେଲିଗ୍ରାମ ବ୍ୟାନ୍ ହେବା ଦ୍ୱାରା ପରୀକ୍ଷାର ସ୍ୱଚ୍ଛତା ବଜାୟ ରହିବା ସହ ସାଧାରଣ ଛାତ୍ରଛାତ୍ରୀ ସୁରକ୍ଷିତ ରହିବେ।

Leave A Reply

Your email address will not be published.