US-Iran 14-Point Deal: ଇରାନ-ଆମେରିକା ଶାନ୍ତି ଚୁକ୍ତି: ହର୍ମୁଜକୁ ହଁ, ପରମାଣୁ ଅସ୍ତ୍ରକୁ ନା…ଜାଣନ୍ତୁ ୧୪ଟି ବଡ଼ ସର୍ତ୍ତ…
ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ଶେଷରେ ଏକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଆମେରିକା ଏହି ଶାନ୍ତି ପ୍ରସ୍ତାବର ଏକ ଡ୍ରାଫ୍ଟ ସେୟାର କରିଛି। ଯୁଦ୍ଧ ସମାପ୍ତ କରିବାକୁ ଉଭୟ ଦେଶ ଯେଉଁ ୧୪ଟି ପଏଣ୍ଟରେ ସହମତ ହୋଇଛନ୍ତି ।
ଅନେକ ଦିନ ଧରି ଗୋପନ ରଖାଯାଇଥିବା ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ଶାନ୍ତି ପ୍ରସ୍ତାବ (MOU)ର ବିବରଣୀ ଶେଷରେ ସାର୍ବଜନୀନ ହୋଇଛି। ବୁଧବାର ଆମେରିକାର ବରିଷ୍ଠ ଅଧିକାରୀମାନେ ସାମ୍ବାଦିକମାନଙ୍କ ସମ୍ମୁଖରେ ଏହି ଚୁକ୍ତିର ପାଠ କରିଥିଲେ। ଶୁକ୍ରବାର ହେବାକୁ ଥିବା ଔପଚାରିକ ସ୍ୱାକ୍ଷର ସମାରୋହ ପୂର୍ବରୁ ଏହି ଚୁକ୍ତିର ମୁଖ୍ୟ ସର୍ତ୍ତଗୁଡ଼ିକ ପ୍ରକାଶ ପାଇଛି। ପରେ ଇରାନ ସରକାରୀ ଟେଲିଭିଜନ ମଧ୍ୟ ଏହାର ପୂର୍ଣ୍ଣ ପାଠ ଜାରି କରିଥିଲା।
ଚୁକ୍ତିର ୧୪ଟି ମୁଖ୍ୟ ସର୍ତ୍ତ:-
- ତୁରନ୍ତ ଯୁଦ୍ଧବିରତି
ଆମେରିକା ଓ ଇରାନ ସହିତ ସେମାନଙ୍କ ସହଯୋଗୀମାନେ ଲେବାନନ ସମେତ ସମସ୍ତ ମୋର୍ଚ୍ଚାରେ ସାମରିକ ଅଭିଯାନ ତୁରନ୍ତ ଏବଂ ସ୍ଥାୟୀ ଭାବେ ବନ୍ଦ କରିବେ।
- ସାର୍ବଭୌମତ୍ୱର ସମ୍ମାନ
ଉଭୟ ଦେଶ ପରସ୍ପରର ସାର୍ବଭୌମତ୍ୱ ଓ ଭୂଖଣ୍ଡ ଅଖଣ୍ଡତାକୁ ସମ୍ମାନ କରିବେ ଏବଂ ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବେ ନାହିଁ।
- ୬୦ ଦିନ ମଧ୍ୟରେ ଅନ୍ତିମ ଚୁକ୍ତି
ଦୁଇ ଦେଶ ୬୦ ଦିନ ମଧ୍ୟରେ ଅନ୍ତିମ ଶାନ୍ତି ଚୁକ୍ତି ସମ୍ପନ୍ନ କରିବା ପାଇଁ ଆଲୋଚନା ଜାରି ରଖିବେ।
- ଆମେରିକାର ନୌସେନା ନାକାବନ୍ଦୀ ହଟିବ
MOU ସ୍ୱାକ୍ଷର ହେବା ପରେ ଆମେରିକା ଇରାନ ବିରୋଧୀ ନୌସେନା ଘେରାଉ ହଟାଇବା ଆରମ୍ଭ କରିବ ଏବଂ ୩୦ ଦିନ ମଧ୍ୟରେ ଏହାକୁ ପୂରାପୂରି ଶେଷ କରିବ।
- ହୋର୍ମୁଜ ଜଳଡମରୁ ମଧ୍ୟରେ ମୁକ୍ତ ଜାହାଜ ଚଳାଚଳ
ଇରାନ ୬୦ ଦିନ ପର୍ଯ୍ୟନ୍ତ କମର୍ସିଆଲ୍ ଜାହାଜଗୁଡ଼ିକୁ ପାରସିକ ଉପସାଗରରୁ ଓମାନ ସାଗର ପର୍ଯ୍ୟନ୍ତ ନିରାପଦ ଓ ଶୁଳ୍କମୁକ୍ତ ଯାତାୟାତ ସୁନିଶ୍ଚିତ କରିବ।
- ଇରାନ ପାଇଁ ୩୦୦ ବିଲିୟନ ଡଲାରର ପୁନର୍ନିର୍ମାଣ ପ୍ୟାକେଜ୍
ଆମେରିକା ଓ ତାହାର ଆଞ୍ଚଳିକ ସହଯୋଗୀମାନେ ମିଶି ଇରାନର ଅର୍ଥନୈତିକ ପୁନର୍ନିର୍ମାଣ ପାଇଁ କମ୍ ସେ କମ୍ ୩୦୦ ବିଲିୟନ ଡଲାରର ଯୋଜନା ପ୍ରସ୍ତୁତ କରିବେ।
- ସମସ୍ତ ପ୍ରତିବନ୍ଧ ହଟାଯିବ
ଅନ୍ତିମ ଚୁକ୍ତି ପରେ ଇରାନ ଉପରେ ଲାଗିଥିବା ଜାତିସଂଘ, IAEA ଏବଂ ଆମେରିକାର ସମସ୍ତ ଆର୍ଥିକ ଓ ବାଣିଜ୍ୟିକ ପ୍ରତିବନ୍ଧ ହଟାଯିବ।
- ପରମାଣୁ ଅସ୍ତ୍ର ବିକାଶ କରିବ ନାହିଁ ଇରାନ
ଇରାନ ପୁନର୍ବାର ସ୍ପଷ୍ଟ କରିଛି ଯେ ସେ ପରମାଣୁ ଅସ୍ତ୍ର କିଣିବ ନାହିଁ କିମ୍ବା ବିକାଶ କରିବ ନାହିଁ।
- IAEA ନଜରଦାରୀରେ ୟୁରେନିୟମ ନିୟନ୍ତ୍ରଣ
ସଂବର୍ଦ୍ଧିତ ୟୁରେନିୟମ ଭଣ୍ଡାରକୁ IAEA ତତ୍ତ୍ୱାବଧାନରେ କମ୍ ସାନ୍ଦ୍ରତାରେ ପରିଣତ କରାଯିବ।
- ଯଥାସ୍ଥିତି ବଜାୟ ରହିବ
ଅନ୍ତିମ ଚୁକ୍ତି ପର୍ଯ୍ୟନ୍ତ ଇରାନ ନିଜ ପରମାଣୁ କାର୍ଯ୍ୟକ୍ରମର ବର୍ତ୍ତମାନ ସ୍ଥିତି ରଖିବ ଏବଂ ଆମେରିକା କୌଣସି ନୂଆ ପ୍ରତିବନ୍ଧ ଲାଗୁ କରିବ ନାହିଁ।
- ଇରାନୀ ତୈଳ ରପ୍ତାନିକୁ ଅନୁମତି
ଆମେରିକା ଇରାନର ତୈଳ ଓ ପେଟ୍ରୋଲିୟମ ଉତ୍ପାଦ ରପ୍ତାନି ପାଇଁ ଆବଶ୍ୟକ ଛାଡ଼ପତ୍ର ଓ ଅନୁମତି ପ୍ରଦାନ କରିବ।
- ଫ୍ରିଜ୍ ହୋଇଥିବା ଇରାନୀ ସମ୍ପତ୍ତି ମୁକ୍ତ ହେବ
ବିଦେଶରେ ଅଟକି ରହିଥିବା ଇରାନର ସମ୍ପତ୍ତି ଓ ଧନରାଶି ବ୍ୟବହାର ପାଇଁ ମୁକ୍ତ କରାଯିବ।
- କାର୍ଯ୍ୟକାରୀ ନିରୀକ୍ଷଣ ବ୍ୟବସ୍ଥା
ଚୁକ୍ତିର ସଫଳ କାର୍ଯ୍ୟକାରିତା ଏବଂ ଭବିଷ୍ୟତରେ ପାଳନ ନିଶ୍ଚିତ କରିବାକୁ ଏକ ସଂଯୁକ୍ତ ନିରୀକ୍ଷଣ ବ୍ୟବସ୍ଥା ଗଠନ କରାଯିବ।
- UNSC ଅନୁମୋଦନ
ଅନ୍ତିମ ଶାନ୍ତି ଚୁକ୍ତିକୁ ଜାତିସଂଘ ସୁରକ୍ଷା ପରିଷଦ (UNSC)ର ବାଧ୍ୟତାମୂଳକ ପ୍ରସ୍ତାବ ମାଧ୍ୟମରେ ଅନୁମୋଦନ କରାଯିବ।
କାହିଁକି ଗୁରୁତ୍ୱପୂର୍ଣ୍ଣ ଏହି ଡିଲ୍?
ଏହି ଚୁକ୍ତି କାର୍ଯ୍ୟକାରୀ ହେଲେ ହୋର୍ମୁଜ ଜଳଡମରୁମଧ୍ୟରେ ତୈଳ ଓ ବାଣିଜ୍ୟିକ ଜାହାଜ ଚଳାଚଳ ସାଧାରଣ ହେବ। ଇରାନ ଉପରେ ଲାଗିଥିବା କଠୋର ଆର୍ଥିକ ପ୍ରତିବନ୍ଧ ହଟିବା ସହ ଦେଶର ଅର୍ଥନୀତିକୁ ବଡ଼ ରାହାତ ମିଳିପାରେ। ସେହିପରି ପରମାଣୁ ଅସ୍ତ୍ର ବିକାଶ ଉପରେ ନିୟନ୍ତ୍ରଣ ଆଞ୍ଚଳିକ ସୁରକ୍ଷା ଦୃଷ୍ଟିରୁ ଏକ ବଡ଼ ପଦକ୍ଷେପ ବୋଲି ମନାଯାଉଛି।
