ମସ୍କୋ: ୟୁକ୍ରେନ ସେନା ରୁଷିଆର ରାଜଧାନୀ ମସ୍କୋ ସ୍ଥିତ ଏକ ପ୍ରମୁଖ ତୈଳ ବିଶୋଧନାଗାର ଉପରେ ପୁଣି ଏକ ବଡ଼ ଧରଣର ଆକ୍ରମଣ କରିଛି । ଏହି ବ୍ୟାପକ ସାମରିକ ଅଭିଯାନ ସମୟରେ ମସ୍କୋର ଦକ୍ଷିଣ-ପୂର୍ବ ଜିଲ୍ଲା କାପୋତନ୍ୟାରେ ଥିବା ତୈଳ ବିଶୋଧନାଗାରକୁ ଏକାଧିକ ଆତ୍ମଘାତୀ ଡ୍ରୋନ୍ ମାଡ କରାଯାଇ ବଡ଼ ବିସ୍ଫୋରଣ ଘଟିଛି । ଏହାର ସପ୍ତାହ ପୂର୍ବରୁ ଆଉ ଏକ ଆକ୍ରମଣ କରିଥିଲା ।
ରୁଷିଆର ବାୟୁ ପ୍ରତିରକ୍ଷା ବାହିନୀ ତୁରନ୍ତ ସକ୍ରିୟ ହୋଇ ରାଜଧାନୀ ଆଡ଼କୁ ମାଡ଼ି ଆସୁଥିବା ୪୮ରୁ ଉର୍ଦ୍ଧ୍ୱ ୟୁକ୍ରେନୀୟ ଡ୍ରୋନକୁ ଆକାଶରେ ହିଁ ଗୁଳି କରି ଧ୍ୱଂସ କରିଦେଇଛନ୍ତି, ମାତ୍ର କିଛି ଡ୍ରୋନ୍ କାପୋତନ୍ୟା ରିଫାଇନେରୀ ଉପରେ ପଡ଼ିବାରେ ସଫଳ ହୋଇଥିଲେ ।
ଏହି ଆକ୍ରମଣ ଯୋଗୁଁ ତୈଳ ବିଶୋଧନାଗାରର କେତେ ପରିମାଣର କ୍ଷତି ହୋଇଛି କିମ୍ବା ଏଥିରେ କେହି ମୃତାହତ ହୋଇଛନ୍ତି କି ନାହିଁ, ସେ ନେଇ ରୁଷ ପ୍ରଶାସନ ପକ୍ଷରୁ କୌଣସି ଆଧିକାରିକ ସୂଚନା ପ୍ରଦାନ କରାଯାଇ ନାହିଁ ।
ମେୟର ସୋବ୍ୟାନନିନ୍ ସୂଚନା ଦେଇଛନ୍ତି ଯେ, ସହର ଉପରେ ହୋଇଥିବା ଏହି ବଡ଼ ଆକ୍ରମଣକୁ ପ୍ରତିହତ କରିବା ପାଇଁ ରୁଷ ସେନା ଏବେ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ରକ୍ଷଣାତ୍ମକ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ।
