କଟକ: ଓଡ଼ିଶାରେ ସରକାରୀ କର୍ମଚାରୀଙ୍କ ଦ୍ୱାରା ଦୁର୍ନୀତି, ଲାଞ୍ଚ କାରବାର ଏବଂ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଭଳି ଅନେକ ଅଭିଯୋଗ ଆସୁଛି। ଯଦି ଭିଜିଲାନ୍ସ ମାମଲାରେ କୌଣସି ସରକାରୀ କର୍ମଚାରୀ ଫସୁଛନ୍ତି ତେବେ ସେମାନଙ୍କୁ ପଦୋନ୍ନତି ମିଳିବ ନାହିଁ। ଏହି ମାମଲାକୁ ନେଇ ଓଡିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।
୨୦୨୩ରେ ବରିଷ୍ଠ ରାଜସ୍ବ ସହକାରୀଙ୍କୁ ସେକ୍ସନ ଅଫିସର ପଦକୁ ପଦୋନ୍ନତି ପ୍ରଦାନ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କ ବିରୋଧରେ ଭିଜିଲାନ୍ସ ମାମଲା ବିଚାରାଧୀନ ଥିବା ଜଣା ପଡ଼ିଥିଲା। ଏହାପରେ ସେକ୍ସନ ଅଫିସର ପଦକୁ ପଦୋନ୍ନତି ନିଷ୍ପତ୍ତିକୁ ବାତିଲ କରାଯିବା ସହିତ ସଂପୃକ୍ତ କର୍ମଚାରୀଙ୍କୁ ପୁଣି ପୂର୍ବର ବରିଷ୍ଠ ରାଜସ୍ବ ସହକାରୀ ପଦକୁ ଖସାଇ ଦିଆଯାଇଥିଲା। ଅନୁଗୁଳ ଜିଲ୍ଲାପାଳଙ୍କ ୨୦୨୬, ଜାନୁଆରୀ ୨୧ର ଏପରି ନିର୍ଦ୍ଦେଶ ଆଇନ ସମ୍ମତ ବୋଲି ହାଇକୋର୍ଟ ମତ ଦେବା ସହିତ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି।
ପଦୋନ୍ନତି ବାତିଲ ସଂକ୍ରାନ୍ତୀୟ ଜାନୁଆରୀ ୨୧ର ନିର୍ଦ୍ଦେଶକୁ ଚାଲେଞ୍ଜ କରି କର୍ମଚାରୀ ଜଣକ ଦାୟର କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନୁଗୁଳ ଜିଲ୍ଲାରେ କାର୍ଯ୍ୟରତ ସଂପୃକ୍ତ ବରିଷ୍ଠ ରାଜସ୍ବ ସହକାରୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ପଦୋନ୍ନତି ପ୍ରଦାନ କରାଯିବା ସମୟରେ ବରିଷ୍ଠ ରାଜସ୍ବ ସହକାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ବିଚାରାଧୀନ ଥିବାରୁ ସେ ନିୟମିତ ପଦୋନ୍ନତି ପାଇବାକୁ ସେତେବେଳେ ଯୋଗ୍ୟ ନଥିଲେ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି।
ପରିଶେଷରେ ଯଦି ଭିଜିଲାନ୍ସ ମାମଲାରେ ଦୋଷମୁକ୍ତ ହୁଅନ୍ତି ତେବେ ଆବେଦନକାରୀ ପଦୋନ୍ନତିର ଲାଭ ପାଇବା ପାଇଁ ନିଜର ଦାବି ପୁନର୍ବାର ଉପସ୍ଥାପନ କରିପାରିବେ। ଏଥି ସହିତ ଭିଜିଲାନ୍ସ ମାମଲାର ଶୀଘ୍ର ଫଏସଲା ପାଇଁ ଆବେଦନକାରୀ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ପାରିବେ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି।
