Latest Odisha News

BREAKING NEWS

ସିଏମ୍‌ଓରୁ ଫାଇଲ୍‌ ଗାଏବ ଘଟଣା: ଜିଏ ବିଭାଗରେ ପୋଲିସର ଖୋଳତାଡ଼, ଜେରା ପରିସରକୁ ଆସିପାରନ୍ତି ନବୀନ

ଭୁବନେଶ୍ୱର: ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)ରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଚୋରି ବା ଗାଏବ ହେବା ଘଟଣାରେ ପୋଲିସ ଏବେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି। କ୍ୟାପିଟାଲ୍ ଥାନାରେ ରୁଜୁ ହୋଇଥିବା ଏତଲା ଆଧାରରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ସାଧାରଣ ପ୍ରଶାସନ (ଜିଏ) ବିଭାଗରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ଏହା ପୂର୍ବରୁ ପୋଲିସ ଗୃହ ବିଭାଗର ଅଧିକାରୀମାନଙ୍କୁ ମଧ୍ୟ ପଚରାଉଚରା କରିସାରିଛି।

ସରକାରୀ ରେକର୍ଡ ମୁତାବକ, ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଗୃହ ବିଭାଗ ପକ୍ଷରୁ ୨ଟି ସେନସିଟିଭ୍ ଫାଇଲ୍ ପଠାଯାଇଥିବାର ସ୍ପଷ୍ଟ ପ୍ରମାଣ ରହିଛି। ମାତ୍ର ସେହି ଦୁଇଟି ଯାକ ଫାଇଲ୍ ସିଏମ୍‌ଓରୁ ଆଉ ଫେରି ନଥିବା ନେଇ କୌଣସି ଦସ୍ତାବିଜ୍ ମିଳୁନାହିଁ।

ଗାଏବ ହୋଇଥିବା ଦସ୍ତାବିଜ୍ କୌଣସି ସାଧାରଣ କାଗଜପତ୍ର ନୁହେଁ, ବରଂ ରାଜ୍ୟର ଦୁଇଟି ବଡ଼ ସମ୍ବେଦନଶୀଳ ଘଟଣାର ତଦନ୍ତ କମିଶନ ରିପୋର୍ଟ। ପ୍ରଥମଟି ହେଉଛି କନ୍ଧମାଳରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡ ଓ ପରବର୍ତ୍ତୀ ହିଂସାକାଣ୍ଡ ଘଟଣାରେ ଗଠିତ ‘ଜଷ୍ଟିସ୍ ଏ.ଏସ୍. ନାଇଡୁ କମିଶନ’ଙ୍କ ତଦନ୍ତ ରିପୋର୍ଟ। ଦ୍ୱିତୀୟଟି ହେଉଛି ଭୁବନେଶ୍ୱର ସମ୍ ହସ୍ପିଟାଲ୍‌ରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଘଟଣାରେ ସେଣ୍ଟ୍ରାଲ୍ ଆରଡିସିଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ତଦନ୍ତ ରିପୋର୍ଟ।

ଏହି ପ୍ରସଙ୍ଗରେ ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏକ ବଡ଼ ବୟାନ ଦେଇଛନ୍ତି। ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଯଦି ତଦନ୍ତ ସମୟରେ ଆବଶ୍ୟକ ପଡ଼େ, ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପୋଲିସ ଜେରା କରିପାରେ।

ଏହି ପ୍ରସଙ୍ଗରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ୨୦୨୪ ଜୁନ୍ ୪ ତାରିଖ ଅର୍ଥାତ୍ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଦିନ ହିଁ ଏହି ଫାଇଲ୍ ଗୁଡ଼ିକ ଗାଏବ ହେବା ନେଇ ସରକାରଙ୍କ ପାଖରେ ସୂଚନା ଆସିଥିଲା। ଏହା କୌଣସି ସାଧାରଣ ଭାବେ ହଜିଯିବା ଘଟଣା ନୁହେଁ। ଯେତେବେଳେ ଜଣେ ସନ୍ଦେହଘେରରେ ଥିବା ବ୍ୟକ୍ତି ଫାଇଲ୍ ନେଇ ଆଉ ଫେରାନ୍ତି ନାହିଁ, ତାହାକୁ ‘ହଜିଯିବା’ କୁହାଯାଏନାହିଁ, ବରଂ ‘ଚୋରି’ ଶ୍ରେଣୀଭୁକ୍ତ କରାଯାଏ।

ମନ୍ତ୍ରୀ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଆଇନ ଆଗରେ କେହି ଉପରେ ନୁହନ୍ତି। ଗୃହ ବିଭାଗରୁ ଫାଇଲ୍ ନେଇ ସିଏମ୍‌ଓର ଯେଉଁ ଅଧିକାରୀ ପ୍ରଥମେ ଗ୍ରହଣ କରିଥିଲେ, ତାଙ୍କଠାରୁ ହିଁ ଜେରା ଆରମ୍ଭ ହେବ। ସେ କେଉଁ ଉପରିସ୍ଥ ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ, ତାହାର କ୍ରମାନ୍ୱୟରେ ତଦନ୍ତ କରାଯିବ। ଯଦି ସାକ୍ଷ୍ୟ ପ୍ରମାଣ ଆଧାରରେ ଫାଇଲ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିବା ପ୍ରମାଣିତ ହେଉଛି, ତେବେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ପଚରାଉଚରା କରାଯିବାରେ କୌଣସି ଅସୁବିଧା ନାହିଁ।

ସୂଚନାଯୋଗ୍ୟ, ଫାଇଲ ହଜିବା ପରେ ଗୃହ ବିଭାଗ ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଥିଲା। ଏହାପରେ ପୋଲିସ ତଦନ୍ତ କରୁଛି। କିନ୍ତୁ ସରକାରକୁ ଆସିବାର ଦୁଇ ମାସ ପରେ ବିଜେପି ସରକାର ଫାଇଲ ହଜିଥିବା ନେଇ ଜାଣିବା ମଧ୍ୟ ଅନେକ ରାଜନୈତିକ ଦିଗକୁ ଇସାରା କରୁଛି।

Leave A Reply

Your email address will not be published.