Latest Odisha News

BREAKING NEWS

ଭାବବିହ୍ୱଳ ହେଲେ ରାଷ୍ଟ୍ରପତି; ମୋହନ ମାଝୀ ଓ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତିଲେ ମହାମହିମ

ରାଇରଙ୍ଗପୁର: ମୋହନ ଚରଣ ମାଝୀଙ୍କ ନେତୃତ୍ବାଧୀନ ଓଡ଼ିଶା ସରକାରଙ୍କ ସଫଳ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ଶନିବାର ମୟୂରଭଞ୍ଜର ମାଟି ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଛି। ରାଇରଙ୍ଗପୁରରେ ଆୟୋଜିତ ଏହି ଭବ୍ୟ ସମାରୋହରେ ଯୋଗଦେଇ ନିଜ ଜନ୍ମମାଟି ତଥା ସ୍ଥାନୀୟ ଅଞ୍ଚଳ ପ୍ରତି ଥିବା ଭଲପାଇବା କଥା କହିବା ବେଳେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇଯାଇଥିଲା।

ଦେଶର ସର୍ବୋଚ୍ଚ ପଦବୀରେ ଥାଇ ମଧ୍ୟ ଜଣେ ସାଧାରଣ ମହିଳାଙ୍କ ଭଳି ମାଟିର ମୋହ ଏବଂ ଆପଣାର ଲୋକଙ୍କ ବିକାଶ ପାଇଁ ତାଙ୍କ ଭିତରେ ଥିବା ଆନ୍ତରିକତା ସଭାସ୍ଥଳରେ ଉପସ୍ଥିତ ହଜାର ହଜାର ଜନତାଙ୍କୁ ଆନ୍ଦୋଳିତ କରିଥିଲା।

ସମ୍ବୋଧନ ଆରମ୍ଭରେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱତନ୍ତ୍ର ଭାବେ କୃତଜ୍ଞତା ଜଣାଇଥିଲେ। ସେ କହିଥିଲେ, “ପ୍ରଧାନମନ୍ତ୍ରୀ ଆଜି ପାହାଡ଼ପୁର ଏବଂ ରାଇରଙ୍ଗପୁର ଆସିଥିବାରୁ ମୁଁ ମୋର ଆନ୍ତରିକ ଧନ୍ୟବାଦ ଜଣାଉଛି। ଜଣେ ପ୍ରଧାନମନ୍ତ୍ରୀ ମୋର ଏହି ଛୋଟ ଗାଁକୁ ଆସିବା, ଏହି ମାଟି ପ୍ରତି ତାଙ୍କର ଥିବା ଅନାବିଳ ମୋହ ଓ ଦେଶବାସୀଙ୍କ ପ୍ରତି ଥିବା ଭଲପାଇବାକୁ ଦର୍ଶାଉଛି।” ଜନଜାତିଙ୍କ କଲ୍ୟାଣ ଓ ସେମାନଙ୍କ ସାମଗ୍ରିକ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଅନେକ ବଡ଼ ଭେଟି ଦେଇଛନ୍ତି, ଯାହାଦ୍ୱାରା ସ୍ଥାନୀୟ ଆଦିବାସୀ ଓ ଜନଜାତି ବର୍ଗର ଲୋକେ ବେଶ୍‌ ଉପକୃତ ହେବେ ବୋଲି ସେ ପ୍ରକାଶ କରିଥିଲେ। ଜନଜାତି ସମାଜର ସରଳ ଓ ପ୍ରକୃତି ଅନୁକୂଳ ଜୀବନଶୈଳୀକୁ ସମସ୍ତେ ଅନୁସରଣ କରିବା ଉଚିତ ବୋଲି ସେ ପରାମର୍ଶ ଦେଇଥିଲେ।

ମୁଁ ଆଜି ଯେଉଁ ସ୍ତରକୁ ବା ପଦବୀକୁ ଗଲେ ବି, ନିଜ ଅଞ୍ଚଳ ଓ ଏଠାକାର ଲୋକଙ୍କ ଉନ୍ନତି ପାଇଁ ସବୁବେଳେ କାମ କରୁଛି ଏବଂ ଆଗକୁ ମଧ୍ୟ କରୁଥିବି ବୋଲି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି।

ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଆଜି ରାଜ୍ୟ ପାଇଁ ହଜାର ହଜାର କୋଟି ଟଙ୍କାର ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରାଯାଇଛି। ବିଶେଷ କରି ମୟୂରଭଞ୍ଜ ଜିଲ୍ଲାର ବିକାଶ ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି, ଯାହା ଅଞ୍ଚଳର ଚେହେରା ବଦଳାଇବାରେ ସହାୟକ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ବ ଯୋଗୁଁ ବିଶ୍ୱ ଦରବାରରେ ଭାରତର ସମ୍ମାନ ବହୁ ଗୁଣ ବଢ଼ିଯାଇଛି ବୋଲି ରାଷ୍ଟ୍ରପତି କହିଥିଲେ। କରୋନା ମହାମାରୀ ଭଳି ସଙ୍କଟ ସମୟରେ କେବଳ ନିଜ ଦେଶ ନୁହେଁ, ବରଂ ସାରା ବିଶ୍ୱକୁ ଟୀକା ଯୋଗାଇ ଭାରତ ମାନବିକତାର ବଡ଼ ଉଦାହରଣ ସୃଷ୍ଟି କରିଥିବା ସେ ମନେ ପକାଇ ଦେଇଥିଲେ। ଏଥିସହ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ସମୟ ଶାସନରେ ରହିବାର ଗୌରବ ହାସଲ କରିଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଅପରପକ୍ଷରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି। ମୋହନ ମାଝୀଙ୍କ ସଫଳ ନେତୃତ୍ବ କାରଣରୁ ରାଜ୍ୟକୁ ବହୁ ପରିମାଣର ପୁଞ୍ଜିନିବେଶ ଆସିପାରିଛି ଏବଂ ଓଡ଼ିଶା ଶିଳ୍ପାୟନ ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର ହେଉଛି। ମୁଖ୍ୟମନ୍ତ୍ରୀ ରାଜ୍ୟର ସବୁ ବର୍ଗର ଲୋକଙ୍କ କଲ୍ୟାଣ ତଥା ସର୍ବାଙ୍ଗୀନ ବିକାଶ ପାଇଁ ଦିନରାତି ନିରବଚ୍ଛିନ୍ନ ଉଦ୍ୟମ ଜାରି ରଖିଥିବା ସେ ନିଜ ଅଭିଭାଷଣରେ ଉଲ୍ଲେଖ କରିଥିଲେ।

Leave A Reply

Your email address will not be published.