ଇସଲାମବାଦ: ପାକିସ୍ତାନର ଖାଇବର ପାଖତୁନଖ୍ୱା ପ୍ରଦେଶରେ ପୁଣି ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଘଟିଛି । ବାନ୍ନୁ ଜିଲ୍ଲାର ମାର୍କା ବେରା ଅଞ୍ଚଳରେ ଦୁଇଟି ପୃଥକ ବୋମା ବିସ୍ଫୋରଣରେ ୭ ଜଣଙ୍କର ପ୍ରାଣହାନୀ ଘଟିଥିବାବେଳେ, ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।
ରାସ୍ତାକଡ଼ରେ ପୂର୍ବରୁ ପୋତାଯାଇଥିବା ଏକ ଆଇଇଡି ଉପରେ ଯାତ୍ରୀବାହୀ ଭ୍ୟାନ ଚଢିଯିବାରୁ ଏହି ବିସ୍ଫୋରଣ ହୋଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ୫ ଜଣ ଯାତ୍ରୀଙ୍କର ଜୀବନ ଚାଲିଯାଇଥିଲା । ଏହି ଦୁର୍ଘଟଣାର ଠିକ୍ କିଛି ସମୟ ପରେ, ସେହି ସମାନ ସ୍ଥାନରେ ଦ୍ୱିତୀୟ ବିସ୍ଫୋରଣଟି ହୋଇଥିଲା ।
ଏହି ଘଟଣା ପରେ ବାନ୍ନୁ ଜିଲ୍ଲା ପୋଲିସ ଅଧିକାରୀ ୟାସିର ଆଫ୍ରିଦିଙ୍କ କହିବା ଅନୁଯାୟୀ, ସମସ୍ତ ମୃତଦେହ ଉଦ୍ଧାର କରାଯାଇଛି । ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣାର ବ୍ୟାପକ ତଦନ୍ତ ଆରମ୍ଭ ହୋଇଛି । ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରାଉ କରି ଘେରି ରଖିବା ସହ ବିସ୍ଫୋରଣ ସ୍ଥଳରୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଓ ନମୁନା ସଂଗ୍ରହ କରୁଛନ୍ତି ।
ତେବେ ଏହି ଭୟାବହ ଆକ୍ରମଣ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ସ୍ଥାନୀୟ କିମ୍ବା ଆନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି ।
