ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବାରେ ଲାଗିଛି। ଏହାର ପ୍ରଭାବରେ ଗତକାଲି ରାତିରୁ ରାଜଧାନୀ ଭୁବନେଶ୍ୱର ସମେତ କଟକ ସହରରେ ଲଗାତାର ଝିପିଝିପି ବର୍ଷା ଜାରି ରହିଛି। ଦୀର୍ଘ ଦିନର ଅସହ୍ୟ ଗୁଳୁଗୁଳି ଓ ତାତି ପରେ ଏହି ବର୍ଷା ସହରବାସୀଙ୍କୁ ବେଶ୍ ଆଶ୍ୱସ୍ତି ଦେଇଛି।
କଟକରେ ବର୍ଷାର ପରିମାଣ ସାମାନ୍ୟ କମ୍ ଥିଲେ ମଧ୍ୟ ଏହି ପାଗ ଆଗାମୀ ଦିନରେ ମୌସୁମୀର ପୂର୍ଣ୍ଣାଙ୍ଗ ଆଗମନ ନେଇ ସ୍ପଷ୍ଟ ସଂକେତ ଦେଉଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ମୌସୁମୀ ବାୟୁ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଆଗାମୀ ଦିନରେ ବର୍ଷାର ବିସ୍ତୃତି ଏବଂ ପରିମାଣ ଆହୁରି ବଢ଼ିବ। ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଗାମୀ ୪ ଦିନ ପାଇଁ ରାଜ୍ୟବ୍ୟାପୀ ସତର୍କ ସୂଚନା ଜାରି କରାଯାଇଛି।
ରାଜ୍ୟର ଦକ୍ଷିଣ ଜିଲ୍ଲାଗୁଡ଼ିକରେ ମୌସୁମୀର ପ୍ରଭାବ ଅଧିକ ଦେଖିବାକୁ ମିଳିପାରେ। ବିଶେଷ କରି ମାଲକାନଗିରି, କୋରାପୁଟ ଏବଂ ରାୟଗଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ଏହି ତିନି ଜିଲ୍ଲା ପାଇଁ ‘ଅରେଞ୍ଜ ୱର୍ଣ୍ଣିଂ’ ଜାରି କରାଯାଇଛି।
ଆସନ୍ତା ୨୩ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ଅନୁମାନ ରହିଛି। ଏହି ସମୟ ମଧ୍ୟରେ ବିଜୁଳି, ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୫୦ କିଲୋମିଟର ବେଗରେ ଝଟକା ପବନ ବହିବା ନେଇ ଆକଳନ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ସମସ୍ତ ଜିଲ୍ଲାକୁ ‘ୟେଲୋ ଆଲର୍ଟ’ ଜାରି କରାଯାଇଛି ଏବଂ ଲୋକଙ୍କୁ ଘଡ଼ଘଡ଼ି ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ତେବେ ବର୍ଷା ଯୋଗୁଁ ଗୁଳୁଗୁଳିରୁ ତ୍ରାହି ମିଳିଥିଲେ ହେଁ ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବୋଚ୍ଚ ତାପମାତ୍ରାରେ କୌଣସି ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ କେନ୍ଦ୍ର ସ୍ପଷ୍ଟ କରିଛି।
