ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ପୂର୍ବରୁ ଅନ୍ତର୍ଜାତୀୟ କୃଷ୍ଣ ଭାବନାମୃତ ସଂଘ (ଇସ୍କନ)ର ମନମୁଖୀ କାର୍ଯ୍ୟକଳାପକୁ ନେଇ ପୁଣି ଥରେ ତୀବ୍ର ବିବାଦ ମୁଣ୍ଡ ଟେକିଛି। ଶାସ୍ତ୍ରୀୟ ନୀତିନିୟମକୁ ଅବମାନନା କରି ଆମେରିକାର ବିଭିନ୍ନ ସହରରେ ଇସ୍କନ ପକ୍ଷରୁ ଅସମୟରେ ରଥଯାତ୍ରା ଆୟୋଜନ କରାଯାଉଥିବାରୁ ଜଗନ୍ନାଥ ପ୍ରେମୀ ଏବଂ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ଏହି ପରମ୍ପରା ବିରୋଧୀ କାର୍ଯ୍ୟକୁ ରୋକିବା ପାଇଁ ଏବେ ଓଡ଼ିଶା ସରକାର ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ବିଭିନ୍ନ ମହଲରୁ ଦାବି ଜୋର୍ ଧରିଛି।
ମିଳିଥିବା ସୂଚନା ଅନୁଯାୟୀ, ଚଳିତ ଜୁନ୍ ମାସରେ ଆମେରିକାର ସେଣ୍ଟ ଲୁଇସ୍ ଏବଂ ନେଭାଡା ଭଳି ପ୍ରମୁଖ ସହରଗୁଡ଼ିକରେ ଇସ୍କନ ପକ୍ଷରୁ ରଥଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସନାତନ ଧର୍ମ ଏବଂ ପୁରୀ ଶ୍ରୀମନ୍ଦିରର ଶାସ୍ତ୍ରୀୟ ବିଧି ଅନୁସାରେ, ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ହିଁ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ମାତ୍ର ଇସ୍କନ ଏହି ପବିତ୍ର ତିଥି ପୂର୍ବରୁ ନିଜ ଇଚ୍ଛା ମୁତାବକ ତାରିଖ ସ୍ଥିର କରି ରଥଯାତ୍ରା କରୁଥିବାରୁ ଜଗନ୍ନାଥ ସଂସ୍କୃତିର ମୌଳିକତା ନଷ୍ଟ ହେଉଥିବା ଅଭିଯୋଗ ହୋଇଛି। ଓଡ଼ିଶାରେ ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ସୁଦୂର ଆମେରିକାରେ ଏଭଳି ଅଦିନିଆ ରଥଯାତ୍ରାର ଚିତ୍ର ସାମ୍ନାକୁ ଆସିବା ପରେ ସାଧାରଣ ଶ୍ରଦ୍ଧାଳୁ ମର୍ମାହତ ହୋଇଛନ୍ତି।
ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ତଥା ବରିଷ୍ଠ ସେବାୟତମାନେ କଡ଼ା ଆପତ୍ତି ପ୍ରକାଶ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ପୁରୀ ଶ୍ରୀମନ୍ଦିରର ସ୍ୱତନ୍ତ୍ର ନୀତି-ନିଘଣ୍ଟ ଏବଂ ପାଞ୍ଜି ଅନୁସାରେ ହିଁ ମହାପ୍ରଭୁଙ୍କ ଯାନିଯାତ୍ରା କରାଯିବା ଉଚିତ। ପୂର୍ବରୁ ମଧ୍ୟ ଅସମୟ ରଥଯାତ୍ରା ଏବଂ ସ୍ନାନଯାତ୍ରାକୁ ନେଇ ଭାରତ ଓ ବିଦେଶରେ ଇସ୍କନକୁ ବ୍ୟାପକ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା। ସେତେବେଳେ ପୁରୀ ଗଜପତି ମହାରାଜା ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଥିବା ଅନୁରୋଧକୁ ଇସ୍କନ କର୍ତ୍ତୃପକ୍ଷ ଗ୍ରହଣ କରିଥିଲେ ଏବଂ ଭବିଷ୍ୟତରେ ଏପରି ନିୟମ ଭଙ୍ଗ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ବାରମ୍ବାର ଏହାର ବ୍ୟତିକ୍ରମ କରାଯାଉଥିବାରୁ ସେମାନଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବର୍ତ୍ତମାନ ଏହି ବିବାଦକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଝଡ଼ ସୃଷ୍ଟି ହୋଇଛି। ବହୁ ଜଗନ୍ନାଥ ପ୍ରେମୀ କହିଛନ୍ତି ଯେ, ସଂସ୍କୃତିର ପ୍ରଚାର ପ୍ରସାର ନାମରେ ପରମ୍ପରାକୁ ଖରାପ କରିବା ଗ୍ରହଣୀୟ ନୁହେଁ। ବିଶ୍ୱବ୍ୟାପୀ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ଓଡ଼ିଶା ସରକାର ଏବଂ ସଂସ୍କୃତି ବିଭାଗ କୂଟନୈତିକ ସ୍ତରରେ ଇସ୍କନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଏକ ସ୍ଥାୟୀ ସମାଧାନର ପନ୍ଥା ବାହାର କରନ୍ତୁ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
