ଭୁବନେଶ୍ୱର: ଟ୍ରେନ୍ ଯାତ୍ରୀଙ୍କ ପାଇଁ ଭାରତୀୟ ରେଲୱେର ବଡ଼ ନିଷ୍ପତ୍ତି। ଏଣିକି ଟ୍ରେନରେ ଧୁମ୍ରପାନ କଲେ କିମ୍ବା କାହାକୁ ଗାଳିଗୁଳଜ କି ଭିକ୍ଷାବୃତ୍ତି କଲେ, ଦେବାକୁ ପଡ଼ିବ ଭାରି ଜରିମାନା। ଜନ ବିଶ୍ବାସ ଅଧିନିୟମ ୨୦୨୬ରେ ବାଜିଲା ମୋହର। ଅଧିନିୟମକୁ ମଞ୍ଜୁରି ପ୍ରଦାନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପରେ ଏହା ଭାରତର ରାଜପତ୍ରରେ ପ୍ରକାଶିତ ହୋଇଛି । ଏହି ଅଧିନିୟମ ଅନ୍ତର୍ଗତ ରେଳବାଇ ଅଧିନିୟମ, ୧୯୮୯ ର ବିଭିନ୍ନ ଧାରାରେ ସଂଶୋଧନ କରାଯାଇଛି।
ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ, ରେଳବାଇ ଅଧିନିୟମର ଧାରା ୧୩୭ ଅନ୍ତର୍ଗତ ରେଳ ପ୍ରଶାସନକୁ ପ୍ରତାରିତ କରିବା ଉଦ୍ଦେଶ୍ୟରେ ବୈଧ ଟିକେଟ୍ କିମ୍ବା ପାସ୍ ନଥାଇ ଯାତ୍ରା କରିବା ବା ଯାତ୍ରା କରିବାକୁ ଚେଷ୍ଟା କରିବା କ୍ଷେତ୍ରରେ ଦେୟ ଥିବା ସର୍ବନିମ୍ନ ଅତିରିକ୍ତ ଶ୍ଳୁକ (ଏକ୍ସେସ୍ ଚାର୍ଜ) ରାଶିକୁ ୨୫୦ ଟଙ୍କାରୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଜୋରିମାନା ଅନାଦେୟ କ୍ଷେତ୍ରରେ ସମ୍ପୃକ୍ତ ମାମଲାକୁ ସକ୍ଷମ ଅଦାଲତଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇପାରିବ।
ଧାରା ୧୩୮ ଅନ୍ତର୍ଗତ, ଟିକେଟ୍ ନଥାଇ କିମ୍ବା ନିର୍ଦ୍ଧାରିତ ଦୂରତାଠାରୁ ଅଧିକ ଯାତ୍ରା କରିବା କ୍ଷେତ୍ରରେ ସର୍ବନିମ୍ନ ଅତିରିକ୍ତ ଶୁଳ୍କ ମଧ୍ୟ ୨୫୦ ଟଙ୍କା ବଦଳରେ ୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହାବ୍ୟତୀତ, ଧାରା ୧୪୨ ଅନ୍ତର୍ଗତ, ହସ୍ତାନ୍ତରିତ (ଟ୍ରାନ୍ସଫର୍ଡ) ଟିକେଟ୍ରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କଠାରୁ ରେଳଭଡ଼ା ସହିତ ସର୍ବନିମ୍ନ ୫୦୦ ଟଙ୍କାର ଅତିରିକ୍ତ ଶୁଳ୍କ ଆଦାୟ କରାଯିବ। ଧାରା ୧୪୪ ରେ, ବିନା ଅନୁମତିରେ ରେଳ ପରିସର କିମ୍ବା ଟ୍ରେନ୍ ମଧ୍ୟରେ ଫେରି କରିବା, ସାମଗ୍ରୀ ବିକ୍ରୟ କରିବା କିମ୍ବା ଭିକ୍ଷାବୃତ୍ତି କରିବା ସମ୍ପର୍କିତ ଦଣ୍ଡବିଧାନ ବ୍ୟବସ୍ଥାରେ ସଂଶୋଧନ କରାଯାଇଛି। ଏଭଳି କ୍ଷେତ୍ରରେ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଇପାରିବ। ବାରମ୍ବାର ନିୟମ ଉଲ୍ଲଂଘନ କଲେ କାରାଦଣ୍ଡ ସହିତ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନାର ବ୍ୟବସ୍ଥା ମଧ୍ୟ କରାଯାଇଛି।
ଧାରା ୧୪୫ ଅନ୍ତର୍ଗତ, ନିଶାଗ୍ରସ୍ତ ଅବସ୍ଥାରେ ମିଳିବା, ଯାତ୍ରୀମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିବା, କୌଣସି ମାଦକ ଉପଦ୍ରବ କିମ୍ବା ଅଶ୍ଳୀଳ କାର୍ଯ୍ୟ କରିବା, ଗାଳିଗୁଲଜ ବା ଅଶ୍ଳୀଳ ଭାଷା ବ୍ୟବହାର କରିବା ଏବଂ ଟ୍ରେନ୍ କିମ୍ବା ରେଳ ପରିସରରେ ରେଳବାଇ ଦ୍ୱାରା ପ୍ରଦତ୍ତ ସୁବିଧା ସୁଯୋଗରେ ବାଧା ସୃଷ୍ଟି କରିବା ପାଇଁ ୧,୦୦୦ ଟଙ୍କା ଜୋରିମାନା କରାଯାଇପାରିବ। ଯଦି ଚେତାବନୀ ପରେ ମଧ୍ୟ ଉପଦ୍ରବ ଜାରି ରହେ, ତେବେ ଛଅ ମାସ ପର୍ଯ୍ୟନ୍ତ କାରାଦଣ୍ଡ କିମ୍ବା ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମନା କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା କରାଯାଇଛି।
