Latest Odisha News

BREAKING NEWS

୫ ଓଡ଼ିଆ ଶ୍ରମିକଙ୍କ ମୃତ୍ୟ, ଆସିଲା ବଡ଼ ଖବର

ଭୁବନେଶ୍ୱର: ପେଟ ପାଟଣା ପାଇଁ ସୁଦୂର ତାମିଲନାଡୁ ଯାଇଥିବା ଓଡ଼ିଆ ଶ୍ରମିକଙ୍କ ପାଇଁ ସାଜିଲା କାଳ। ତିରୁଭାଲୁର ଜିଲ୍ଲାର ଏକ ବେସରକାରୀ ସୀ-ଫୁଡ୍ ରଖାନାରେ ହୋଇଥିବା ଭୟାବହ ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା

 

ଶ୍ରମିକଙ୍କ ମଧ୍ୟରେ ଓଡ଼ିଶାର ମହିଳା ଶ୍ରମିକ ମଧ୍ୟ ସାମିଲ ଅଛନ୍ତି। ଏହି ମର୍ମନ୍ତୁଦ ଘଟଣା ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ ଓଡ଼ିଶା ସରକାର ତୁରନ୍ତ ତତ୍ପରତା ପ୍ରକାଶ କରି ଏକ ସ୍ୱତନ୍ତ୍ର ପ୍ରତିନିଧି ଦଳକୁ ତାମିଲନାଡୁ ପଠାଇଛନ୍ତି।

 

ମିଳିଥିବା ସୂଚନା ମୁତାବକ, ପେରିୟାପାଲାୟମ ନିକଟସ୍ଥ ଏହି ଚିଙ୍ଗୁଡ଼ି ରପ୍ତାନି କାରଖାନାରେ ଓଡ଼ିଶା, ଆସାମ ଏବଂ ଝାଡ଼ଖଣ୍ଡର ଶତାଧିକ ପ୍ରବାସୀ ଶ୍ରମିକ କାମ କରୁଥିଲେ। ରବିବାର ଛୁଟିଦିନ ଥିବାରୁ ଅଧିକାଂଶ ଶ୍ରମିକ କାରଖାନା ପରିସରରେ ଥିବା ରହୁଥିବା କ୍ୱାର୍ଟର୍ସରେ ହିଁ ଉପସ୍ଥିତ ଥିଲେ। ମାତ୍ର ହଠାତ୍ କୁଲିଂ ସିଷ୍ଟମରୁ ବିଷାକ୍ତ ଆମୋନିଆ ଗ୍ୟାସ୍ ବ୍ୟାପିବା ଯୋଗୁଁ ସେମାନେ ନିଶ୍ୱାସ ପ୍ରଶ୍ୱାସ ନେଇ ନପାରି ଛଟପଟ ହୋଇଥିଲେ। ଗ୍ୟାସର ପ୍ରଭାବ ଏତେ ଭୟଙ୍କର ଥିଲା ଯେ କିଛି ମହିଳା ଶ୍ରମିକଙ୍କ ନାକ ଓ ପାଟିରୁ ରକ୍ତ ସ୍ରାବ ହୋଇଥିଲା ଏବଂ ସେମାନେ ସେଠାରେ ହିଁ ଚେତାଶୂନ୍ୟ ହୋଇ ପଡ଼ିଥିଲେ।

 

ବର୍ତ୍ତମାନ ସୁଦ୍ଧା ମୋଟ ୭ ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ଓଡ଼ିଶାର ଶ୍ରମିକ ଥିବା ଆଶଙ୍କା କରାଯାଉଛି।

 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପ୍ରଭାବିତ ଓଡ଼ିଆ ଶ୍ରମିକମାନଙ୍କ ସହାୟତା ଏବଂ ଉଦ୍ଧାର କାର୍ଯ୍ୟର ତଦାରଖ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୩ ଜଣିଆ ବରିଷ୍ଠ ସରକାରୀ ଅଧିକାରୀଙ୍କ ଏକ ଟିମ୍‌ ତୁରନ୍ତ ତାମିଲନାଡୁର ତିରୁଭାଲୁର ଅଭିମୁଖେ ଯାତ୍ରା କରିଛି। ଏହି ଟିମ୍ ସେଠାରେ ପହଞ୍ଚି ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଓଡ଼ିଆ ଶ୍ରମିକମାନଙ୍କର ସ୍ଥିତି ଓ ଚିକିତ୍ସା ବ୍ୟବସ୍ଥାର ବୁଝାଶୁଝା କରିବେ।

 

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତାମିଲନାଡୁ ମୁଖ୍ୟ ଶାସନ ସଚିବଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି। ଆହତ ଓଡ଼ିଆ ଶ୍ରମିକମାନଙ୍କୁ ଯେପରି ସର୍ବୋତ୍ତମ ମେଡିକାଲ ସେବା ଯୋଗାଇ ଦିଆଯିବ, ସେ ନେଇ ଅନୁରୋଧ କରାଯାଇଛି। ସେହିପରି ରାଜ୍ୟ ଶ୍ରମ କମିଶନର ଇନ୍ଦ୍ରମଣି ତ୍ରିପାଠୀ କହିଛନ୍ତି ଯେ ଓଡ଼ିଶା ସରକାର ନିରନ୍ତର ଭାବେ ତାମିଲନାଡୁ ପୋଲିସ ଓ ସ୍ଥାନୀୟ ଜିଲ୍ଲାପାଳଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ମୃତାହତଙ୍କ ସମ୍ପୂର୍ଣ୍ଣ ପରିଚୟ ସ୍ପଷ୍ଟ କରିବା ପାଇଁ ପ୍ରକ୍ରିୟା ଜାରି ରହିଛି।

 

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ପ୍ରାୟ ୬୦ରୁ ଅଧିକ ଶ୍ରମିକ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଚେନ୍ନାଇର ଷ୍ଟାନଲି ମେଡିକାଲ କଲେଜରେ କିଛି ଶ୍ରମିକ ଆଇସିୟୁ ଏବଂ ଭେଣ୍ଟିଲେଟର ସପୋର୍ଟରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି।

Leave A Reply

Your email address will not be published.