ଭୁବନେଶ୍ୱର: ନିଜର ଦମଦାର୍ ଅଭିନୟ ଏବଂ ସ୍ପଷ୍ଟବାଦୀ ଆଭିମୁଖ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ପ୍ରକାଶ ରାଜ ଏବେ ଏକ ବଡ଼ ଆଇନj ଜାଲରେ ଫସିଯାଇଛନ୍ତି। ଏକାଧିକ ଭୋଟର ଆଇଡି କାର୍ଡ ରଖିବା ମାମଲାରେ ବାଙ୍ଗାଲୋରର ଏକ ସ୍ୱତନ୍ତ୍ର ଅଦାଲତ ଆଜି ଅଭିନେତାଙ୍କ ବିରୋଧରେ ଏକ NBW ଜାରି କରିଛନ୍ତି। ବାରମ୍ବାର ସମନ ଜାରି କରାଯିବା ସତ୍ତ୍ୱେ ପ୍ରକାଶ ରାଜ କୋର୍ଟରେ ହାଜର ନହେବାରୁ କୋର୍ଟ ଏହି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି, ଯାହା ସିନେ ଜଗତଠାରୁ ଆରମ୍ଭ କରି ରାଜନୈତିକ ମହଲ ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।
ମିଳିଥିବା ସୂଚନା ମୁତାବକ, ପ୍ରକାଶ ରାଜଙ୍କ ନାମରେ ବେଙ୍ଗାଲୁରୁ ଏବଂ ଚେନ୍ନାଇ ଭଳି ଦୁଇଟି ଭିନ୍ନ ଭିନ୍ନ ସହରର ଭୋଟର ତାଲିକାରେ ନାମ ରହିଥିବା ଅଭିଯୋଗ ହୋଇଥିଲା। ଭାରତୀୟ ନିର୍ବାଚନ ଆଇନ ଅନୁଯାୟୀ ଜଣେ ନାଗରିକ ଏକାସଙ୍ଗେ ଦୁଇଟି ସ୍ଥାନରେ ଭୋଟର ଭାବେ ପଞ୍ଜିକୃତ ହୋଇ ରହିବା ସମ୍ପୂର୍ଣ୍ଣ ବେଆଇନ। ଏହି ନିୟମ ଉଲ୍ଲଂଘନକୁ ନେଇ କୋର୍ଟରେ ଏକ ମାମଲା ରୁଜୁ ହେବା ପରେ ଜନପ୍ରତିନିଧି ଓ ବିଶେଷ ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।
ମାମଲାର ଶୁଣାଣି ସମୟରେ ପ୍ରକାଶ ରାଜଙ୍କ ଓକିଲ ଅଭିନେତାଙ୍କ ଅନୁପସ୍ଥିତି ନେଇ କୋର୍ଟରେ ସଫେଇ ଦେବାକୁ ଚେଷ୍ଟା କରିଥିଲେ। ସେ କହିଥିଲେ ଯେ ଫିଲ୍ମ ସୁଟିଂ ଏବଂ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଯୋଗୁଁ ଅଭିନେତା ସହର ବାହାରେ ଅଛନ୍ତି, ତେଣୁ ତାଙ୍କୁ ହାଜର ହେବାରୁ ଛାଡ଼ କରାଯାଉ। ମାତ୍ର କୋର୍ଟ ଏହି ଆବେଦନକୁ ସମ୍ପୂର୍ଣ୍ଣ ଭାବେ ଖାରଜ କରିଦେଇଥିଲେ। ବିଚାରପତି କହିଥିଲେ ଯେ ଆଇନ ସମସ୍ତଙ୍କ ପାଇଁ ସମାନ ଏବଂ ବାରମ୍ବାର ଅଦାଲତଙ୍କ ନିର୍ଦ୍ଦେଶକୁ ବେଖାତିର କରାଯାଇପାରିବ ନାହିଁ। ଏହାପରେ କୋର୍ଟ ସିଧାସଳଖ ଜାମିନବିହୀନ ୱାରେଣ୍ଟ ଜାରି କରିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ଜୁଲାଇ ଦ୍ୱିତୀୟ ସପ୍ତାହକୁ ଦିନ ଧାର୍ଯ୍ୟ କରିଛନ୍ତି।
