ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଆଜି ଏକ ବଡ଼ ଧରଣର ବିକାଶ ଦେଖିବାକୁ ମିଳିପାରେ, ଯାହାକୁ ନେଇ ସାରା ରାଜ୍ୟର ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଦଳର ମୁଖ୍ୟାଳୟ ‘ଶଙ୍ଖ ଭବନ’ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଠିକ୍ ମଧ୍ୟାହ୍ନ ୧୨ଟା ବେଳେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପୂର୍ବତନ ଆଇଏଏସ ଅଧିକାରୀ ସୁଜାତା ରାଉତ କାର୍ତ୍ତିକେୟନ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହେବେ।
ଦଳର ଶୀର୍ଷ ନେତୃତ୍ୱ, ବରିଷ୍ଠ ବିଧାୟକ ଏବଂ ଆଗଧାଡ଼ିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହେବ। ସୁଜାତାଙ୍କ ଭଳି ଜଣେ ଦକ୍ଷ ପୂର୍ବତନ ପ୍ରଶାସକ ଦଳକୁ ଆସିବା ଦ୍ୱାରା ସଂଗଠନ ଆହୁରି ମଜଭୁତ ଓ ସୁଦୃଢ଼ ହେବ ବୋଲି ଦଳୀୟ ମହଲରେ ଆଶା ପ୍ରକାଶ ପାଇଛି। ଏହି ବଡ଼ ନିଷ୍ପତ୍ତି ପୂର୍ବରୁ ଗତକାଲି ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ବହୁ ବରିଷ୍ଠ ନେତାଙ୍କ ସହ ଦୀର୍ଘ ସମୟ ଧରି ରଣନୈତିକ ଆଲୋଚନା କରିଥିଲେ ଏବଂ ଏହି ମିଶ୍ରଣ ପାଇଁ ଗ୍ରୀନ୍ ସିଗନାଲ ଦେଇଥିଲେ।
ସୁଜାତା କାର୍ତ୍ତିକେୟନଙ୍କ ଏହି ରାଜନୈତିକ ଏଣ୍ଟ୍ରିକୁ ନେଇ ଦଳ ଭିତରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି ଯେ, ସୁଜାତାଙ୍କ ଏଣ୍ଟ୍ରି ଦଳ ପାଇଁ ଅତ୍ୟନ୍ତ ସକରାତ୍ମକ ସାବ୍ୟସ୍ତ ହେବ। ତାଙ୍କର ଦୀର୍ଘ ବର୍ଷର ପ୍ରଶାସନିକ ଅନୁଭବ, କାର୍ଯ୍ୟଦକ୍ଷତା ଏବଂ ମିଶନ ଶକ୍ତି ମାଧ୍ୟମରେ ମହିଳାମାନଙ୍କ ବିକାଶ ପାଇଁ କରିଥିବା କାର୍ଯ୍ୟ ଦଳର ସାଂଗଠନିକ ବେସକୁ ଆହୁରି ଶକ୍ତିଶାଳୀ କରିବ।
ତେବେ ଗୋଟିଏ ପଟେ ଏହି ଯୋଗଦାନକୁ ନେଇ ଶଙ୍ଖ କ୍ୟାମ୍ପରେ ହଲଚଲ ବଢ଼ିଥିବା ବେଳେ, ବିରୋଧୀ କ୍ୟାମ୍ପ ମଧ୍ୟ ଏହି ମିଶ୍ରଣ ଉପରେ ତୀକ୍ଷ୍ଣ ନଜର ରଖିଛି। ରାଜ୍ୟରେ ଶାସନ ଗାଦିରୁ ଦୂରେଇବା ପରେ ବିଜେଡି କିଭଳି ନିଜକୁ ପୁନର୍ବାର ସଜାଡ଼ୁଛି ଏବଂ ନୂଆ ରଣନୀତି ପ୍ରସ୍ତୁତ କରୁଛି, ଏହି ନିଷ୍ପତ୍ତି ତାର ଏକ ବଡ଼ ପ୍ରମାଣ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।
