Latest Odisha News

BREAKING NEWS

ଭେନେଜୁଏଲାକୁ ସମସ୍ତ ସହାୟତା ପାଇଁ ଭାରତ ପ୍ରସ୍ତୁତ: ମୋଦି

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲାରେ ଲଗାତର ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି, ଯାହା ସାରା ଦେଶକୁ ସମ୍ପୂର୍ଣ୍ଣ ରୂପେ ଦୋହଲାଇ ଦେଇଛି। ମାତ୍ର ଗୋଟିଏ ମିନିଟ୍‌ର ବ୍ୟବଧାନରେ ଆସିଥିବା ଦୁଇଟି ପ୍ରଳୟଙ୍କାରୀ ଭୂମିକମ୍ପ ଯୋଗୁଁ ରାଜଧାନୀ କାରାକାସ୍ ସମେତ ବିଭିନ୍ନ ପ୍ରାନ୍ତରେ ଶତାଧିକ ବହୁତଳ ପ୍ରାସାଦ ଓ ଘର ତାସ ଭଳି ଭୁଶୁଡ଼ି ପଡ଼ିଛି। ବିଗତ ଏକ ଶତାବ୍ଦୀ ମଧ୍ୟରେ ଏହା ଭେନେଜୁଏଲାରେ ସବୁଠାରୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ବୋଲି କୁହାଯାଉଛି।

ୟୁଏସଜିଏସର (USGS) ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଏହି ପ୍ରଳୟରେ ମୃତ୍ୟୁ ସଂଖ୍ୟା ୧୦,୦୦୦ ରୁ ୧ ଲକ୍ଷ ମଧ୍ୟରେ ହେବାର ଆଶଙ୍କା ରହିଛି। କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲସି ରୋଡ୍ରିଗ୍ରେଜ୍ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଏପରି ସ୍ଥିତିରେ ଭେନେଜୁଏଲାକୁ ସହାୟତାର ହାତ ବଢାଇଛି ଭାରତ। ଭେନେଜୁଏଲାକୁ ସମସ୍ତ ସହାୟତା ପାଇଁ ଭାରତ ପ୍ରସ୍ତୁତ ଅଛି ବୋଲି ସୋସିଆଲ୍‌ ମିଡିଆରେ ଲେଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୟଙ୍କର ଭୂମିକମ୍ପ ପାଇଁ ଗଭୀର ଦୁଃଖ ପ୍ରକାଶ କଲେ ମୋଦି। ମୃତକଙ୍କ ପରିବାର ପ୍ରତି ସମବେଦନା, ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି। ସଙ୍କଟ ସମୟରେ ଠିଆ ହେଉଛୁ, ସମସ୍ତ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛୁ ବୋଲି କହିଲେ ମୋଦି।

ଦେଶର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ଡିଓସଡାଡୋ କ୍ୟାବେଲୋ ସରକାରୀ ଟେଲିଭିଜନରେ ଦେଶବାସୀଙ୍କୁ ସମ୍ବୋଧିତ କରି ସତର୍କ ରହିବାକୁ ଅପିଲ୍ କରିଛନ୍ତି। ବିଶେଷ କରି ଆଲ୍ଟାମିରା ଏବଂ ଲୋସ୍ ପାଲୋସ୍ ଗ୍ରାଣ୍ଡେସ୍ ଅଞ୍ଚଳ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଧ୍ୱଂସାବଶେଷ ତଳେ ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ରିଫାଇନାରୀ ଏବଂ ଗ୍ୟାସ୍ ପାଇପ୍‌ଲାଇନରେ ଅଗ୍ନିକାଣ୍ଡ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ସାରା ସହରର ଗ୍ୟାସ୍ ସପ୍ଲାଇ ବନ୍ଦ କରିଦିଆଯାଇଛି ଏବଂ ସମସ୍ତ ବିମାନ ଉଡ଼ାଣ ବାତିଲ କରାଯାଇଛି। ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ଅଗ୍ନିଶମ ବାହିନୀ, ମିଲିଟାରୀ ଏବଂ ସ୍ୱେଚ୍ଛାସେବୀମାନେ ଜୀବନ୍ତ କବର ପାଲଟିଥିବା କୋଠାଗୁଡ଼ିକର କଂକ୍ରିଟ୍ ତଳୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

Leave A Reply

Your email address will not be published.