ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍। ଅଳ୍ପକେ ବର୍ତ୍ତିଲା ବଡ଼ ଅଘଟଣ। ପାଲ ହାଇଟ୍ସ ଛକ ଉପରେ ଜଳିଗଲା କାର୍। ସେଭେନ ସିଟର୍ କାରରେ ହଠାତ୍ ନିଆଁ ଲାଗି ଯାଇଥିଲା। ଫଳରେ ଯାତ୍ରୀ ତୁରନ୍ତ କାର୍ ଛାଡି ପଳାଇଥିଲେ। ଦେଖୁ ଦେଖୁ ସମ୍ପୂର୍ଣ୍ଣ କାରଟି ନିଆଁରେ ଜଳିଯାଇଥିଲା । ତେବେ ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଜୀବନହାନି କିମ୍ବା ଆହତ ହେବାର ସୂଚନା ମିଳିନାହିଁ । ସ୍ଥାନୀୟ ଲୋକ ଧୂଆଁ ଓ ନିଆଁ ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।
ସୂଚନା ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ । ଫଳରେ ନିଆଁ ଆଖପାଖ ଅଞ୍ଚଳକୁ ବ୍ୟାପିବା ପୂର୍ବରୁ ପରିସ୍ଥିତିକୁ ନିୟନ୍ତ୍ରଣକୁ ଅଣାଯାଇଥିଲା । ପ୍ରାଥମିକ ତଦନ୍ତରୁ କାରରେ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଏସି କମ୍ପ୍ରେସର ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ନେଇ ସୂଚନା ମିଳିଛି। ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଏହି ଅଗ୍ନିକାଣ୍ଡ ଫଳରେ ଜୟଦେବ ବିହାରରୁ ଜାଭିୟର ଛକ ଯାଏ ଟ୍ରାଫିକ୍ ଜାମ୍ ହୋଇଥିଲା। ଖବର ପାଇ ଚନ୍ଦ୍ରଶେଖରପୁର ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
