ଭୁବନେଶ୍ବର: ଆମେରିକାର ବୋଷ୍ଟନଠାରେ ଆୟୋଜିତ ରଥଯାତ୍ରାର ସମୟ ନିର୍ଘଣ୍ଟକୁ ବଦଳାଇବାକୁ ଇସ୍କନ ବୋଷ୍ଟନର ସଭାପତି ବନମାଳୀ ପଣ୍ଡିତ ଦାସଙ୍କୁ ଏକ ଆନୁଷ୍ଠାନିକ ଚିଠି ଲେଖିଲେ ସାରା ବିଶ୍ୱର ଭକ୍ତମାନେ । ଶାସ୍ତ୍ରୀୟ ପରମ୍ପରାକୁ ଅଣଦେଖା କରି ରଥଯାତ୍ରା ଆୟୋଜନ କରିବାକୁ ନେଇ ବିଶ୍ୱବ୍ୟାପୀ ଜଗନ୍ନାଥ ପ୍ରେମୀ ଓ ଗବେଷକମାନେ ତୀବ୍ର ଆପତ୍ତି ଉଠାଇଛନ୍ତି ।
ତେବେ ଚଳିତ ବର୍ଷ ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ଜୁନ୍ ୨୯ ତାରିଖରେ ପଡୁଥିବାବେଳେ, ବୋଷ୍ଟନ ଇସ୍କନ କିନ୍ତୁ ଏହାର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ଆଜି ରଥଯାତ୍ରା କରିବାକୁ ନିଷ୍ପତ୍ତି ନେଇଛି । ଯାହା ଶାସ୍ତ୍ର ଅନୁସାରେ ସମ୍ପୂର୍ଣ୍ଣ ଓଲଟା ।
ଭକ୍ତମାନେ ପଠାଇଥିବା ପିଟିସନରେ ଲେଖାଯାଇଛି ଯେ, “ମହାପ୍ରଭୁଙ୍କ ସ୍ନାନଯାତ୍ରା, ଅଣସର ଏବଂ ନେତ୍ରୋତ୍ସବ ପୂର୍ବରୁ ରଥଯାତ୍ରା ଆୟୋଜନ କରିବା ଦ୍ୱାରା ଦେବନୀତିର ପବିତ୍ର କ୍ରମ ଭଙ୍ଗ ହେଉଛି । ଏହି ବିପରୀତ ପ୍ରକ୍ରିୟା ସ୍କନ୍ଦ ପୁରାଣରେ ବର୍ଣ୍ଣିତ ମହାପ୍ରଭୁଙ୍କ ନିର୍ଦ୍ଦେଶ, ଶାସ୍ତ୍ରୀୟ ପରମ୍ପରା ଏବଂ ସନାତନ ଧର୍ମର ନିୟମ ବିରୁଦ୍ଧ ଅଟେ । ସନାତନ ଧର୍ମର ପଣ୍ଡିତ ଓ ଗବେଷକମାନେ ଯୁକ୍ତି ବାଢ଼ିଛନ୍ତି ଯେ, ବିଶ୍ୱର କୌଣସି ବି ଧର୍ମରେ ଭଗବାନଙ୍କ ଜନ୍ମ ବା ଆବିର୍ଭାବ ପୂର୍ବରୁ ତାଙ୍କର ପରବର୍ତ୍ତୀ ଲୀଳାର ଉତ୍ସବ ପାଳନ କରାଯାଏ ନାହିଁ । ଜଗନ୍ନାଥ ସଂସ୍କୃତିରେ ସ୍ନାନଯାତ୍ରା ପୂର୍ବରୁ ରଥଯାତ୍ରା କରିବା ଅର୍ଥ ହେଉଛି କାହାର ଜନ୍ମ ପୂର୍ବରୁ ତାର ବିଜୟ ଶୋଭାଯାତ୍ରା ବାହାର କରିବା ।
ସ୍ମାରକପତ୍ରରେ ୪ଟି ମୁଖ୍ୟ ଦାବି ରହିଛି । ଜୁନ୍ ୨୯ ତାରିଖ ସ୍ନାନଯାତ୍ରା ପୂର୍ବରୁ କରାଯାଉଥିବା ସମସ୍ତ ଅସମୟର ରଥଯାତ୍ରା ତାରିଖକୁ ରଦ୍ଦ କରାଯାଉ । ଆଗାମୀ ଦିନରେ ସମସ୍ତ କାର୍ଯ୍ୟକ୍ରମ ଯେପରି ସ୍ନାନଯାତ୍ରା-ଅଣସର-ନେତ୍ରୋତ୍ସବ-ରଥଯାତ୍ରାର ଶାସ୍ତ୍ରୀୟ କ୍ରମ ଅନୁଯାୟୀ ହେବ ତାହା ନିଶ୍ଚିତ କରାଯାଉ । ସେହିପରି ପୁରୀର ବରିଷ୍ଠ ବୈଷ୍ଣବ ପଣ୍ଡିତ, ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ଏବଂ ସେବାୟତମାନଙ୍କ ସହ ଆଲୋଚନା କରି ଏହି ଗୁରୁତର ତ୍ରୁଟିର ସମାଧାନ କରିବା ସହ ପ୍ରଶାସନିକ ସୁବିଧା ଅପେକ୍ଷା ଶାସ୍ତ୍ରୀୟ ନିୟମକୁ ଅଧିକ ପ୍ରାଧାନ୍ୟ ଦେଇ ଇସ୍କନ ପକ୍ଷରୁ ସାର୍ବଜନୀନ ଭାବେ ପ୍ରତିଶ୍ରୁତି ଦିଆଯିବାକୁ ଦାବି ରହିଛି ।
