Latest Odisha News

BREAKING NEWS

ଚଳନ୍ତା ବସ୍‌ରେ ଅଗ୍ନିକାଣ୍ଡ, ଭିତରେ ଥିଲେ ୪୦ ଜଣ ଯାତ୍ରୀ

ଅନୁଗୋଳ: ରାଜପଥରେ ସ୍ୱାଭାବିକ ଗତିରେ ଆଗକୁ ମାଡ଼ି ଚାଲିଥିଲା ଯାତ୍ରୀବାହୀ ବସ୍‌। ଭିତରେ ବସିଥିବା ସମସ୍ତ ଯାତ୍ରୀ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ଆନନ୍ଦରେ ମସଗୁଲ ଥିଲେ। କିନ୍ତୁ କେହି ଜାଣି ନଥିଲେ ଯେ, ମରଣ ମଧ୍ୟ ସେମାନଙ୍କ ପିଛା କରୁଛି। ଅତି ଅପ୍ରତ୍ୟାଶିତ ଭାବେ ଚଳନ୍ତା ଗାଡ଼ିଟି ଜଳି ଉଠିଲା। ଅନୁଗୁଳ ଜିଲ୍ଲାରୁ ଆସିଥିବା ଏହି ଘଟଣା ସମଗ୍ର ରାଜ୍ୟରେ ଏକ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି।

ଘଟଣା ମୁତାବକ, ଅନୁଗୁଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥର କାନ୍ତବଣିଆ ନିକଟରେ ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ରେ ହଠାତ୍ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଗାଡ଼ିଟି ଯାଉଥିବା ସମୟରେ ଇଞ୍ଜିନରୁ ପ୍ରଥମେ ଧୂଆଁ ବାହାରିଥିଲା ଏବଂ ଚାହୁଁଚାହୁଁ ନିଆଁର ପ୍ରକୋପ ସାରା ବସ୍‌କୁ କବଳିତ କରିବାକୁ ଲାଗିଥିଲା। ବସ୍ ଭିତରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ। ନିଆଁ ଲାଗିଥିବା ଦେଖି ଗାଡ଼ି ଭିତରେ ପ୍ରାଣ ବିକଳରେ ଚିତ୍କାର ଏବଂ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା।

ତେବେ ଏହି ବଡ଼ ବିପତ୍ତି ସମୟରେ ଚାଳକଙ୍କ ସତର୍କତା ଏବଂ ସ୍ଥାନୀୟ ଲୋକଙ୍କ ତୁରନ୍ତ ସହାୟତା ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ନିଆଁ ବ୍ୟାପିବା ପୂର୍ବରୁ ସମସ୍ତ ୪୦ ଜଣ ଯାତ୍ରୀ କୌଣସି ଅଘଟଣ ବିନା ଗାଡ଼ିରୁ ସୁରକ୍ଷିତ ଭାବେ ଓହ୍ଲାଇବାରେ ସଫଳ ହୋଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳକୁ ବସ୍‌ଟି ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା। ପ୍ରାଥମିକ ଯାଞ୍ଚରୁ ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ, ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବା ଯାତ୍ରୀମାନେ ଭଗବାନଙ୍କୁ କୋଟି କୋଟି ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.