ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ପରିସରରେ ଜଣେ ରୋଗୀଙ୍କ ମୃତ୍ୟୁକୁ କେନ୍ଦ୍ର କରି କାର୍ଯ୍ୟରତ ଡାକ୍ତରଙ୍କୁ ଆକ୍ରମଣ ଘଟଣାରେ ଗିରଫ ହେଲେ ୩ ଜଣ ଅଭିଯୁକ୍ତ । ଏହି ଅଭିଯୁକ୍ତଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । କାର୍ଯ୍ୟରତ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ କରିବା, ରୋଗି ସେବାରେ ବ୍ୟାଘାତ ସୃଷ୍ଟି କରିବା, ସର୍ବସାଧାରଣରେ ଆତଙ୍କ ମଚାଇବା ଭଳି ସଙ୍ଗିନୀ ଦଫାରେ ୩ଜଣଙ୍କୁ ଗିରଫ କରାଯାଇଛି ।
ମିଳିଥିବା ସୂଚନା ମୁତାବକ, ଜଣେ ଗୁରୁତର ରୋଗୀଙ୍କୁ ଏମ୍ସର ଜରୁରୀକାଳୀନ ବିଭାଗକୁ ଅଣାଯାଇଥିଲା । ମେଡିକାଲ ପହଞ୍ଚିବାର କିଛି ସମୟ ମଧ୍ୟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ରୋଗୀଙ୍କ ଜୀବନ ଚାଲିଯିବା ପରେ ମୃତକଙ୍କ ସମ୍ପର୍କୀୟମାନେ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରଙ୍କୁ ଗାଳିଗୁଲଜ କରି ଟାଣି ନେଇ ମାଡ଼ ମାରିଥିଲେ । ଏହି ଆକ୍ରମଣରେ ଡାକ୍ତରଜଣକ ଆହତ ହୋଇଥିବା ବେଳେ ଜରୁରୀକାଳୀନ ୱାର୍ଡରେ କିଛି ସମୟ ପାଇଁ ଚିକିତ୍ସା ସେବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା ।
ଏହି ଘଟଣାକୁ ନେଇ ମେଡିକାଲ କର୍ତ୍ତୃପକ୍ଷ ନିଜର ସ୍ପଷ୍ଟୀକରଣ ରଖିବା ସହ ହିଂସାକାଣ୍ଡକୁ ତୀବ୍ର ନିନ୍ଦା କରିଛନ୍ତି ।
