Latest Odisha News

BREAKING NEWS

ନେପାଳ ସୀମାରୁ ମହାଠକ ଗିରଫ: ଭୁବନେଶ୍ୱରରେ ଗାଡ଼ି ସର୍ଭିସିଂ ନାଁରେ ରଚିଥିଲା ୫ କୋଟିର ମାୟାଜାଲ

ଭୁବନେଶ୍ୱର: ରାଜଧାନୀରେ ଅଫିସ ଖୋଲିଲେ, ବଡ଼ ବଡ଼ ପ୍ରତିଶ୍ରୁତି ଦେଲେ, ଆଉ ଦେଖୁ ଦେଖୁ ପ୍ରାୟ ୨୫୦ରୁ ଅଧିକ ଲୋକଙ୍କ ପକେଟ୍ ଖାଲି କରି ଚମ୍ପଟ ମାରିଲେ। ଭୁବନେଶ୍ୱର ପଟିଆ ଅଞ୍ଚଳରେ ‘ଗାଡ଼ି ସର୍ଭିସିଂ’ ନାଁରେ ପ୍ରାୟ ୫ କୋଟି ଟଙ୍କାର ମହାନାଟକ ରଚିଥିବା ହାଇପ୍ରୋଫାଇଲ୍ ଠକ ସଚ୍ଚିଦାନନ୍ଦ ଭୋଇ ଶେଷରେ ପୋଲିସ ଜାଲରେ ଛନ୍ଦି ହୋଇଛି।

ଗତ କିଛି ମାସ ଧରି ପୋଲିସ ଆଖିରେ ଧୂଳି ଦେଇ ଫେରାର୍ ଥିବା ଏହି ବଡ଼ ଠକକୁ ଭାରତ-ନେପାଳ ସୀମାନ୍ତରୁ ଗିରଫ କରିଛି ଇନଫୋସିଟି ଥାନା ପୋଲିସ। ନିଜକୁ ଜଣେ ପୂର୍ବତନ ସାଂସଦ (ଏମପି)ଙ୍କ ପୁଅ ବୋଲି ପରିଚୟ ଦେଇ ସେ ଲୋକଙ୍କ ବିଶ୍ୱାସ ଜିତୁଥିବା ବେଳେ ଏବେ ତା’ର ଅସଲ ଚେହେରା ସାମ୍ନାକୁ ଆସିଛି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସଚ୍ଚିଦାନନ୍ଦ ଭୁବନେଶ୍ୱରର ପଟିଆ ଅଞ୍ଚଳରେ ‘ଗୋ ସ୍ପିଡି ଗୋ’ ନାମରେ ଏକ କମ୍ପାନୀ ଖୋଲିଥିଲା। ଘରେ ବସି ଗାଡ଼ି ମରାମତି ଏବଂ ମେକାନିକ ସେବା ଯୋଗାଇ ଦେବାର ଭଲ ଅଫର ଦେଇ ସେ ଗ୍ରାହକଙ୍କୁ ଆକର୍ଷିତ କରିଥିଲା। ବଡ଼ ଘରର ପୁଅର ମଲାଟ ମାରି ଲୋକଙ୍କୁ ଏମିତି ଭେଳିକି ଦେଖାଇଥିଲା ଯେ, ମାତ୍ର ଦୁଇ ମାସ ଭିତରେ ପ୍ରାୟ ୨୫୦ ଜଣ ତା’ ଜାଲରେ ଛନ୍ଦି ହୋଇଥିଲେ। ବ୍ୟବସାୟ ଓ ସେବା ନାଁରେ ସେ ସେମାନଙ୍କଠାରୁ ପାଖାପାଖି ୫ କୋଟି ଟଙ୍କା ଆଦାୟ କରି ନେଇଥିଲା। ତେବେ ପକେଟ୍ ଗରମ ହେବା ମାତ୍ରେ ରାତାରାତି ଅଫିସରେ ତାଲା ପକାଇ ସେ ଗାଏବ ହୋଇଯାଇଥିଲା।

ଟଙ୍କା ବୁଡ଼ିବା ପରେ ପ୍ରତାରିତ ଗ୍ରାହକମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ। ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସିବା ପରେ ଜୋନ୍-୬ ଏସିପି ମାନସ ରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶରେ ଇନଫୋସିଟି ପୋଲିସ ତଦନ୍ତ ପ୍ରକ୍ରିୟା ଜୋରଦାର କରିଥିଲା। ସଚ୍ଚିଦାନନ୍ଦଙ୍କ ନାଁରେ କୋର୍ଟରୁ ଜାମିନୀ ବିହୀନ ଗିରଫ ପରୱାନା ମଧ୍ୟ ଜାରି ହୋଇଥିଲା। ଅତି ଚତୁରତାର ସହ ନିଜର ଆସ୍ଥାନ ବଦଳାଉଥିବା ସଚ୍ଚିଦାନନ୍ଦ ନେପାଳ ଖସିଯିବାକୁ ଯୋଜନା କରୁଥିବା ବେଳେ ପୋଲିସ ତାକୁ ସୀମାନ୍ତରୁ କାବୁ କରି ଓଡ଼ିଶା ଆଣିଛି। ଏହି ଆନ୍ତଃରାଜ୍ୟ ଠକେଇ ମାମଲାରେ ଆଉ କେଉଁମାନଙ୍କ ହାତ ରହିଛି ଏବଂ ଆଉ କେତେ ଲୋକ ଏହାର ଶିକାର ହୋଇଛନ୍ତି, ସେ ନେଇ ପୋଲିସ ଜେରା ଜାରି ରଖିଛି।

Leave A Reply

Your email address will not be published.