ଭୁବନେଶ୍ୱର: ଅନେକ ସମୟରେ ଦିନରାତି କଠିନ ପରିଶ୍ରମ କରିବା ସତ୍ତ୍ୱେ ହାତରେ ଟଙ୍କା ରହେନାହିଁ। ଘରେ କୌଣସି କାରଣ ନଥାଇ କଳହ, ଅଶାନ୍ତି ଏବଂ ମାନସିକ ଚାପ ଲାଗି ରହିଥାଏ। ଯଦି ଆପଣଙ୍କ ସହ ମଧ୍ୟ ଲଗାତାର ଏପରି ଘଟୁଛି, ତେବେ ସାବଧାନ ହୋଇଯାଆନ୍ତୁ। ଏହାର ମୁଖ୍ୟ କାରଣ ଆପଣଙ୍କ ଘରେ ରହିଥିବା ନକାରାତ୍ମକ ଶକ୍ତି ବା ‘ବାସ୍ତୁ ଦୋଷ’ ହୋଇପାରେ।
ତେବେ ଏହି ସମସ୍ୟାରୁ ମୁକୁଳିବା ପାଇଁ ବାସ୍ତୁଶାସ୍ତ୍ରରେ ଏକ ଅତ୍ୟନ୍ତ ସହଜ ଏବଂ ଚମତ୍କାରୀ ଉପାୟ ରହିଛି, ଯାହା ଆପଣଙ୍କ ବନ୍ଦ ଭାଗ୍ୟର ତାଲା ଖୋଲିଦେଇପାରେ। ଆମ ରୋଷେଇ ଘରେ ବ୍ୟବହାର ହେଉଥିବା ଲୁଣ ଏବଂ ଲବଙ୍ଗ କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ, ବରଂ ଜୀବନରୁ ଦୁର୍ଭାଗ୍ୟ ଦୂର କରିବାରେ ବେଶ୍ ସହାୟକ ହୋଇଥାଏ।
ବାସ୍ତୁ ବିଶେଷଜ୍ଞଙ୍କ ମତରେ, ଲୁଣରେ ନକାରାତ୍ମକ ଶକ୍ତିକୁ ଶୋଷି ନେବାର ଏକ ଅଦ୍ଭୁତ କ୍ଷମତା ରହିଛି। ସେହିପରି ଲବଙ୍ଗକୁ ହିନ୍ଦୁ ଧର୍ମ ଏବଂ ତନ୍ତ୍ର ଶାସ୍ତ୍ରରେ ଅତ୍ୟନ୍ତ ଶୁଭ ତଥା ପବିତ୍ର ମାନାଯାଏ। ଏହି ଦୁଇଟି ସାମଗ୍ରୀର ସଠିକ୍ ମିଶ୍ରଣ ଘରୁ ନକାରାତ୍ମକ ପ୍ରଭାବକୁ ନଷ୍ଟ କରିଦିଏ। ଜାଣନ୍ତୁ କିପରି କରିବେ ଏହି ଉପାୟ:
କାଚ ପାତ୍ରରେ ଲୁଣ ଓ ଲବଙ୍ଗର ରହସ୍ୟ
ବାସ୍ତୁଶାସ୍ତ୍ର ଅନୁଯାୟୀ, ଗୋଟିଏ କାଚ ପାତ୍ର ବା ବାଟିରେ କିଛି ଲୁଣ (ସୈନ୍ଧବ ଲୁଣ ହେଲେ ଅଧିକ ଭଲ) ରଖନ୍ତୁ ଏବଂ ସେଥିରେ ୪ ରୁ ୫ଟି ଲବଙ୍ଗ ପକାଇ ଘରର କୌଣସି ଏକ ନିରୋଳା କୋଣରେ ରଖିଦିଅନ୍ତୁ। ଧ୍ୟାନ ରଖିବେ ଯେପରି ବାହାରୁ ଆସୁଥିବା ଲୋକଙ୍କ ନଜର ସିଧାସଳଖ ଏହା ଉପରେ ପଡ଼ିବ ନାହିଁ। କିଛି ଦିନ ପରେ ଲୁଣକୁ ବଦଳାଇ ନୂଆ ଲୁଣ ଏବଂ ଲବଙ୍ଗ ରଖନ୍ତୁ। ଏହାଦ୍ୱାରା ଘରେ ଥିବା ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ଏବଂ ସକାରାତ୍ମକ ଶକ୍ତିର ସଞ୍ଚାର ହୁଏ।
ଆର୍ଥିକ ସମସ୍ୟାରୁ ମିଳିବ ମୁକ୍ତି
ଯଦି ଆପଣ ଋଣ ଭାରରେ ବୁଡ଼ି ରହିଛନ୍ତି ବା ଆୟ ଠାରୁ ବ୍ୟୟ ଅଧିକ ହେଉଛି, ତେବେ ଏକ ଛୋଟ ନାଲି କପଡ଼ାରେ ଅଳ୍ପ ଲୁଣ ଏବଂ ଦୁଇଟି ଲବଙ୍ଗ ବାନ୍ଧି ଏକ ପୁଟୁଳି ପ୍ରସ୍ତୁତ କରନ୍ତୁ। ଏହାକୁ ନିଜ ଆଲମିରା କିମ୍ବା ଟଙ୍କା ରଖୁଥିବା ସ୍ଥାନ (ଲକର୍) ରେ ଲୁଚାଇ ରଖନ୍ତୁ। ବିଶ୍ୱାସ ରହିଛି ଯେ, ଏପରି କରିବା ଦ୍ୱାରା ମାଆ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଅଟକି ରହିଥିବା ଧନ ପ୍ରାପ୍ତିର ବାଟ ଫିଟିଥାଏ।
ଘରେ ଯଦି ସବୁବେଳେ ଝଗଡ଼ା ବା ଅଶାନ୍ତି ଲାଗି ରହୁଛି, ତେବେ ଘର ପୋଛିବା ସମୟରେ ପାଣିରେ ଟିକେ ଲୁଣ ପକାଇ ପୋଛନ୍ତୁ। ଏହା ବ୍ୟତୀତ ଶୋଇବା ଘରେ ଏକ ଛୋଟ ପାତ୍ରରେ ଲୁଣ ଓ ଲବଙ୍ଗ ରଖିଲେ ପତି-ପତ୍ନୀଙ୍କ ମଧ୍ୟରେ ଥିବା ମନୋମାଳିନ୍ୟ ଦୂର ହୋଇ ସମ୍ପର୍କ ମଧୁର ହୋଇଥାଏ ବୋଲି ବାସ୍ତୁ ବିଶେଷଜ୍ଞମାନେ କହିଥାନ୍ତି।
