Latest Odisha News

BREAKING NEWS

ସଚିବମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୪ ଘଣ୍ଟିଆ ମାରାଥନ ବୈଠକ

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଏବଂ ଦେଶରେ ବ୍ୟବସାୟ ବାଣିଜ୍ୟ ପ୍ରକ୍ରିୟାକୁ ଅଧିକ ସହଜ କରିବା ଦିଗରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଏହି ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ସେବା ତୀର୍ଥ’ ଠାରେ କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ ଓ ବିଭାଗର ବରିଷ୍ଠ ସଚିବମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ପ୍ରାୟ ୪ ଘଣ୍ଟା ଧରି ଚାଲିଥିବା ଏହି ମାରାଥନ ମାନସମନ୍ଥନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବୈଠକ ମୁଖ୍ୟତଃ ଦୁଇଟି ଦିଗ ଉପରେ କେନ୍ଦ୍ରିତ ଥିଲା। ପ୍ରଥମଟି ହେଲା, ସରକାରୀ ନିୟମକାନୁନ୍‌କୁ କିପରି ଅଧିକ ସରଳ କରାଯାଇ ପାରିବ ଯାହାଦ୍ୱାରା ନାଗରିକମାନଙ୍କ ସୁବିଧା ଏବଂ ବ୍ୟବସାୟିକ ପରିବେଶରେ ସୁଧାର ଆସିବ। ଦ୍ୱିତୀୟ ବିଷୟଟି ଥିଲା- ବିଭିନ୍ନ କ୍ଷେତ୍ରରେ ଦେଶକୁ ‘ଆତ୍ମନିର୍ଭର’ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବା।

ଆଲୋଚନା କାଳରେ ବିଭିନ୍ନ ମନ୍ତ୍ରଣାଳୟର ସଚିବମାନେ ନିଜ ନିଜ ବିଭାଗ ପକ୍ଷରୁ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଚାଲିଥିବା ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ‘ଆତ୍ମନିର୍ଭର ଭାରତ’ ଭିଜନ୍‌କୁ ବାସ୍ତବ ରୂପ ଦେବା ପାଇଁ ସେମାନଙ୍କର ପ୍ରୟାସ ଏବଂ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହାବ୍ୟତୀତ, ସରକାରୀ ସେବା ପ୍ରଦାନ ପ୍ରକ୍ରିୟାକୁ କିପରି ଅଧିକ ସ୍ୱଚ୍ଛ ଓ ଦ୍ରୁତ କରାଯାଇପାରିବ, ସେନେଇ ଭବିଷ୍ୟତର ରୂପରେଖ ମଧ୍ୟ ଉପସ୍ଥାପନ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ‘ହୋଲ୍-ଅଫ୍-ଗଭର୍ଣ୍ଣମେଣ୍ଟ’ ଆଭିମୁଖ୍ୟ ଗ୍ରହଣ କରିବା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ। ଅର୍ଥାତ୍, ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ଥିବା ବାଧାବିଘ୍ନକୁ ଦୂର କରି ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଉନ୍ନତ ଯୋଜନା ଓ ସଠିକ୍ ତଥ୍ୟ ଭିତ୍ତିକ ନିଷ୍ପତ୍ତି ନେବା ପାଇଁ ‘ପିଏମ୍ ଗତିଶକ୍ତି’ ପ୍ଲାଟଫର୍ମର ବ୍ୟାପକ ବ୍ୟବହାର କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.