Latest Odisha News

BREAKING NEWS

ପତ୍ନୀଙ୍କୁ ବାପା ମା’ ଆର୍ଥିକ ସହାୟତା କରୁଥିଲେ ମଧ୍ୟ ସ୍ୱାମୀ ଭରଣପୋଷଣ ଦେବାକୁ ବାଧ୍ୟ: କୋର୍ଟ

ଲକ୍ଷ୍ନୌ: ପତ୍ନୀଙ୍କୁ ବାପା ମା’ ସହାୟତା କରୁଥିଲେ ମଧ୍ୟ ଭରଣପୋଷଣ ଦେବାକୁ ବାଧ୍ୟ ସ୍ବାମୀ । ଆଜି ଏକ ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ସିଆରପିସିର ଧାରା ୧୨୫ ଅନୁଯାୟୀ ସ୍ୱାମୀଙ୍କ ଉପରେ ପତ୍ନୀଙ୍କ ଭରଣପୋଷଣର ଆଇନଗତ ଦାୟିତ୍ୱ ରହିଛି ଏବଂ ଏହାକୁ ଏଡ଼ାଇବା ପାଇଁ ଏଭଳି ଯୁକ୍ତି ଗ୍ରହଣଯୋଗ୍ୟ ନୁହେଁ ବୋଲି ଅଦାଲତ କହିଛନ୍ତି ।

ଅଦାଲତ କହିଛନ୍ତି, ଭରଣପୋଷଣ ବ୍ୟବସ୍ଥାର ମୂଳ ଉଦ୍ଦେଶ୍ୟ ହେଉଛି ପତ୍ନୀଙ୍କୁ ଆର୍ଥିକ ଅନଟନରୁ ରକ୍ଷା କରିବା ଏବଂ ସମ୍ମାନଜନକ ଜୀବନ ବଞ୍ଚିବାର ସୁଯୋଗ ଦେବା । ତେଣୁ କେବଳ ବାପାମା’ ସହାୟତା କରୁଛନ୍ତି ବୋଲି କହି ସ୍ୱାମୀ ଏହି ଆଇନଗତ ଦାୟିତ୍ୱରୁ ନିଜକୁ ମୁକ୍ତ କରିପାରିବେ ନାହିଁ ।

ତେବେ ଘଟଣାକ୍ରମ ଏପରିକି, ୨୦୨୩ ଫେବ୍ରୁଆରି ୨୮ରେ ଏକ ଦମ୍ପତିଙ୍କର ବିବାହ ହୋଇଥିଲା । କୌଣସି କାରଣରୁ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇ ପତ୍ନୀ ନିଜ ବାପା ମା’ଙ୍କ ଘରେ ଯାଇ ରହୁଥିଲେ । ପରେ ସେ ଭରଣପୋଷଣ ଦାବି କରି ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ପରିବାର ଅଦାଲତ ସ୍ୱାମୀଙ୍କୁ ପ୍ରତି ମାସରେ ପତ୍ନୀଙ୍କୁ ୫,୦୦୦ ଟଙ୍କା ଅନ୍ତରୀଣ ଭରଣପୋଷଣ ଏବଂ ମାମଲା ଖର୍ଚ୍ଚ ବାବଦକୁ ୨,୦୦୦ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସ୍ୱାମୀ ହାଇକୋର୍ଟରେ ଆବେଦନ କରିଥିଲେ । ତାଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ପତ୍ନୀ ବର୍ତ୍ତମାନ ନିଜ ବାପାମା’ଙ୍କ ସହ ରହୁଛନ୍ତି ଏବଂ ସେମାନେ ତାଙ୍କର ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି । ତେଣୁ ତାଙ୍କୁ ଭରଣପୋଷଣ ଦେବାର ଆବଶ୍ୟକତା ନାହିଁ । ଏହି ମାମଲାରେ ଖଣ୍ଡପୀଠ ସ୍ୱାମୀଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ।

Leave A Reply

Your email address will not be published.