ଓଡ଼ିଶା-ଜାପାନ ସମ୍ପର୍କ ବୃଦ୍ଧିକୁ ଗୁରୁତ୍ୱ, ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ରାଜ୍ୟରେ ହେବ ବ୍ୟାପକ ବିଦେଶୀ ପୁଞ୍ଜିନିବେଶ
ଭୁବନେଶ୍ବର: ଜାପାନର ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳୀ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା । ଓଡ଼ିଶାରେ ଅଧିକ ବିଦେଶୀ ପୁଞ୍ଜି ନିବେଶ ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଏଭଳି ଆଲୋଚନା ଅନେକ ଗୁରୁତ୍ବ ବହନ କରୁଛି । ଆକ୍ମେ ଗ୍ରୁପର ଅଧ୍ୟକ୍ଷ ମନୋଜ ଉପାଧ୍ୟୟ, IHI କର୍ପୋରେସନର ସଭାପତି ହିରୋସି ଇଡେଙ୍କ ସହ ଜାପାନର ଅନେକ ପ୍ରତିଷ୍ଠିତ ଉଦ୍ୟୋଗୀ ବୈଠକରେ ସାମିଲ ହୋଇଛନ୍ତି । ଓଡ଼ିଶା ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଶିଳ୍ପ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଅନ୍ୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।
ଓଡ଼ିଶାର ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ଏବେ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ସବୁଜ ଅର୍ଥନୀତି (ଗ୍ରୀନ୍ ଇକୋନୋମି) ଦ୍ୱାରା ପରିଚାଳିତ ହେବ ବୋଲି ଆଜି ସ୍ଥାନୀୟ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ, ଜାପାନୀ ଶିଳ୍ପ ବ୍ୟବସାୟିକ ପ୍ରତିନିଧି ମଣ୍ଡଳଙ୍କ ସହିତ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସେ କହିଛନ୍ତି ଯେ, ଆଧୁନିକ ଟେକ୍ନୋଲୋଜିର ପ୍ରୟୋଗରେ ଓଡିଶାକୁ ଏକ ‘ଗ୍ଲୋବାଲ୍ ଗ୍ରୀନ୍ ହବ୍’ ରେ ପରିଣତ କରାଯିବ।
ଆଜି ଲୋକସେବା ଭବନର କନଭେନସନ୍ ସେଣ୍ଟରଠାରେ ଜାପାନର ବିଜିନେସ୍ ଡେଲିଗେଟ୍ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଓଡିଶାରେ ପୁଞ୍ଜି ନିବେଶ ସମ୍ପର୍କରେ ବିଶେଷକରି ସବୁଜ ଅର୍ଥନୀତିର ଅଭିବୃଦ୍ଧି ସମ୍ପର୍କରେ ଆଲୋଚନା କରିଛନ୍ତି।
ଏହି ଅବସରରେ ରାଜ୍ୟ ସରକାର ACME ଗ୍ରୁପ ଓ IHI Corporation ସହିତ ଏକ ସହଯୋଗ ପତ୍ର ବା Memorandum of Cooperation (MoC) ସ୍ୱାକ୍ଷର କରିଛନ୍ତି। ଏହାଦ୍ୱାରା ଏହି ଦୁଇଟି କମ୍ପାନୀ ଓଡିଶାରେ ସ୍ୱଚ୍ଛ ଶକ୍ତି ଏବଂ ଅନ୍ୟାନ୍ୟ ଶିଳ୍ପ ପ୍ରକଳ୍ପରେ ବ୍ୟାପକ ରୂପରେ ନିବେଶ କରିବା ପାଇଁ ଉଦ୍ୟମ କରିବେ। ଏହି ସହଯୋଗ ଦ୍ୱାରା ଟେକ୍ନୋଲୋଜି ଟ୍ରାନ୍ସଫର, ପରିବେଶ ଅନୁକୂଳ ଦୀର୍ଘସ୍ଥାୟୀ ଶିଳ୍ପାୟନ ସହିତ ଓଡିଶାରେ ବ୍ୟାପକ ନିଯୁକ୍ତି ଓ ଅର୍ଥନୈତିକ ସୁଯୋଗ ସୃଷ୍ଟି ହେବ।
ଏହି ଦୁଇଟି କମ୍ପାନୀ ACME ଓ IHI ଓଡିଶାରେ ୩ଟି ପ୍ରକଳ୍ପ ସ୍ଥାପନ କରିବା ପାଇଁ ସହଯୋଗର ହାତ ବଢାଇଛନ୍ତି। ଏହାର ସମୁଦାୟ ନିବେଶ ମୂଲ୍ୟ ପ୍ରାୟ ୬୭,୦୦୦ କୋଟି ଟଙ୍କା ଏବଂ ଏହା ଦ୍ୱାରା ୭,୬୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଏହି ପ୍ରକଳ୍ପ ଗୁଡିକ ହେଲା ଗୋପାଳପୁରରେ ୦.୪ MTPA କ୍ଷମତା ବିଶିଷ୍ଟ ଗ୍ରୀନ ଆମୋନିଆ ପ୍ରକଳ୍ପ। ଏଥିରେ ୨୦,୦୦୦ କୋଟି ଟଙ୍କା ନିବେଶ ହେବ ଏବଂ ଏହାଦ୍ୱାରା ୩,୪୦୦ ନିଯୁକ୍ତି ସୃଷ୍ଟି ହେବ। ଏହା ସହିତ ଏହି ପ୍ରକଳ୍ପରେ ଅତିରିକ୍ତ ୧,୦୦୦ କୋଟି ଟଙ୍କା ନିବେଶରେ ଏକ ଜେଟି ବିହୀନ ଫ୍ଲୋଟିଙ୍ଗ୍ ଟର୍ମିନାଲ୍ ଭିତ୍ତିଭୂମି ସୃଷ୍ଟି କରାଯିବ।
ଏହା ସହିତ ପାରାଦୀପରେ ୩୪,୦୦୦ କୋଟି ଟଙ୍କା ବିନିଯୋଗରେ ୦.୮ MTPA କ୍ଷମତା ବିଶିଷ୍ଟ ଏକ ଗ୍ରୀନ୍ ଆମୋନିଆ ପ୍ରକଳ୍ପ ପ୍ରତିଷ୍ଠା କରାଯିବ। ଏହାଦ୍ୱାରା ୩,୬୦୦ ନିଯୁକ୍ତି ସୃଷ୍ଟି ହେବ। ତୃତୀୟ ପ୍ରକଳ୍ପଟି ହେଉଛି ୧୨,୦୦୦ କୋଟି ଟଙ୍କା ବିନିଯୋଗରେ ପାରାଦୀପରେ ୦.୧ MTPA କ୍ଷମତା ବିଶିଷ୍ଟ ଏକ ଗ୍ରୀନ୍ ମିଥାନଲ୍ ପ୍ରକଳ୍ପ କରାଯିବ। ଏହା ଦ୍ୱାରା ୬୦୦ ନିଯୁକ୍ତି ସୃଷ୍ଟି ହେବ।
ଏହି ଅବସରରେ ଦେଶର ଅନ୍ୟତମ ବୃହତ୍ତମ ଗ୍ରୀନ୍ ହାଇଡ୍ରୋଜେନ୍ ଇକୋସିଷ୍ଟମ ପ୍ରତିଷ୍ଠା ନେଇ ଓଡ଼ିଶାର ଦୂରଦୃଷ୍ଟି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଛନ୍ତି। ଗତକାଲି ମଧ୍ୟପ୍ରାଚ୍ୟର ନିବେଶକଙ୍କ ସହ ୧୧ ବିଲିୟନ ଡଲାରର ଚୁକ୍ତି ପରେ ଆଜି ଦୂର ପ୍ରାଚ୍ୟ ବନ୍ଧୁ ଜାପାନ ସହିତ ହୋଇଥିବା ଏହି ସହଭାଗିତା ରାଜ୍ୟର ଶିଳ୍ପ କ୍ଷେତ୍ରକୁ ଆହୁରି ଉଜ୍ଜ୍ୱଳ କରିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।