Latest Odisha News

BREAKING NEWS

ରାଜ୍ୟରେ ସ୍ବାଭାବିକ ଠାରୁ ୪% ଅଧିକ ବର୍ଷା ରେକର୍ଡ

ଭୁବନେଶ୍ୱର: ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରଭାବରେ ରାଜ୍ୟରେ ଭଲ ବର୍ଷା ଦେଖିବାକୁ ମିଳିଛି। ଜୁନ୍ ୧ ତାରିଖରୁ ଆଜି ସୁଦ୍ଧା ରାଜ୍ୟରେ ସମୁଦାୟ ୨୬୫.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହା ସ୍ୱାଭାବିକ ବର୍ଷା ପରିମାଣ ଠାରୁ ପ୍ରାୟ ୪ ପ୍ରତିଶତ ଅଧିକ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସାମଗ୍ରିକ ଭାବେ ରାଜ୍ୟରେ ବର୍ଷା ସ୍ଥିତି ଭଲ ଥିବାବେଳେ ଆସନ୍ତାକାଲି ପାଇଁ ରାଜ୍ୟର ୭ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

 

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ପ୍ରାନ୍ତରେ ବର୍ଷାର ପରିମାଣରେ ବିଭିନ୍ନତା ଦେଖିବାକୁ ମିଳିଛି। ତାଙ୍କ କହିବା ଅନୁଯାୟୀ, ବିଶେଷକରି ବୌଦ୍ଧ ଏବଂ କନ୍ଧମାଳ ଜିଲ୍ଲାରେ ଆଶାଠାରୁ ଅତ୍ୟଧିକ ବର୍ଷା ରେକର୍ଡ ହୋଇଛି। ରାଜ୍ୟର ୧୧ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ଅନ୍ୟ ୧୧ଟି ଜିଲ୍ଲାରେ ବର୍ଷାର ପରିମାଣ ସ୍ୱାଭାବିକ ରହିଛି।

 

ମୋଟାମୋଟି ଭାବେ ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିଲେ ସୁଦ୍ଧା କିଛି ଅଞ୍ଚଳରେ ଏବେ ବି ନିଅଣ୍ଟିଆ ବର୍ଷା ସ୍ଥିତି ଲାଗିରହିଛି। ଶ୍ରୀମତୀ ମହାନ୍ତି ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟର ୬ଟି ଜିଲ୍ଲା ଯଥା- ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, କଳାହାଣ୍ଡି ଏବଂ ନବରଙ୍ଗପୁରରେ ଆଶାନୁରୂପକ ବର୍ଷା ହୋଇପାରି ନାହିଁ। ଏହିସବୁ ଅଞ୍ଚଳରେ ସ୍ୱାଭାବିକ ଠାରୁ କମ୍ ବର୍ଷା ରେକର୍ଡ କରାଯାଇଛି।

 

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରେ ପାଗରେ ବଡ଼ ପରିବର୍ତ୍ତନ ଦେଖାଦେବାର ସମ୍ଭାବନା ରହିଛି। ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ୭ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗିର, ନୂଆପଡ଼ା, ବୌଦ୍ଧ, ଅନୁଗୋଳ ଏବଂ ସମ୍ବଲପୁର। ଏହି ସମୟ ମଧ୍ୟରେ ପ୍ରବଳ ବର୍ଷା ହେତୁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇପାରେ, ତେଣୁ ସମ୍ପୃକ୍ତ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.