ଭୁବନେଶ୍ବର: ଆଇଏମଡି ଦ୍ୱାରା ଜାରି ହୋଇଥିବା ପ୍ରବଳ ବର୍ଷା ସତର୍କତାକୁ ଦୃଷ୍ଟିରେ ରଖି ଓଡିଶାର କିଛି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ନିଷ୍ପତ୍ତି ନେଉଛନ୍ତି। ଆଜି ସୁବର୍ଣ୍ଣପୁରର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି। ସ୍କୁଲ, କଲେଜ ସହ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଆଜି ସମସ୍ତ ସରକାରୀ, ବେସରକାରୀ ସ୍କୁଲ କଲେଜ ବନ୍ଦ ରହିବ । ପ୍ରବଳ ବର୍ଷାକୁ ଆଖିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ବଡ଼ ନିଷ୍ପତ୍ତି ନିଆଯାଇଛି ।
ଗତକାଲି କଟକ ଜିଲ୍ଲାର ସବୁ ସ୍କୁଲ, କଲେଜ ସହ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ଛୁଟି ନେଇ ଘୋଷଣା କରାଯାଇଥିଲା। ସେହିପରି ସମ୍ବଲପୁର ମହାନଗର ନିଗମ ଓ ଧନକଉଡ଼ା ବ୍ଲକର ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା।
କଟକ ଜିଲ୍ଲାପାଳ ରବିବାର ଏହି ସମ୍ପର୍କରେ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ଜିଲ୍ଲା ସାରା ସମସ୍ତ ଘରୋଇ ଏବଂ ସରକାରୀ ନିର୍ମାଣ କାର୍ଯ୍ୟ ଜୁଲାଇ ୬ରେ ସ୍ଥଗିତ ରହିବ।
ଲଗାଣ ବର୍ଷା ଯୋଗୁଁ ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି, ଜଳବନ୍ଦୀ ଏବଂ ସ୍ଥାନୀୟ ବନ୍ୟା ପରିସ୍ଥିତିର ଆଶଙ୍କା ଥିବାରୁ ନଦୀରେ ଗାଧୋଇବା, ପହଁରିବା ସମେତ ସମସ୍ତ ମନୋରଞ୍ଜନ ଓ ବ୍ୟବସାୟିକ କାର୍ଯ୍ୟକଳାପକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନିଷିଦ୍ଧ କରାଯାଇଛି ।