ଭୁବନେଶ୍ୱର: ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ, ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଫିସ୍ କାମ ଏବଂ ସୋସିଆଲ୍ ମିଡିଆର ପ୍ରଭାବ ଯୋଗୁଁ ଅନେକ ଲୋକଙ୍କର ଶୋଇବା ଏବଂ ଖାଇବା ସମୟରେ ବ୍ୟାପକ ପରିବର୍ତ୍ତନ ଆସିଛି। ଏହି କାରଣରୁ ରାତି ଡେରିରେ ଖାଇବା ଏବେ ଅନେକଙ୍କ ପାଇଁ ଏକ ସାଧାରଣ ଅଭ୍ୟାସରେ ପରିଣତ ହୋଇଗଲାଣି।
କିନ୍ତୁ ଆପଣ ଜାଣନ୍ତି କି, ଆପଣଙ୍କର ଏହି ଗୋଟିଏ ଛୋଟିଆ ଭୁଲ୍ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ବଡ଼ ବିପଦ ସୃଷ୍ଟି କରିପାରେ? ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ରାତିରେ ବିଳମ୍ବରେ ଖାଇବା ଦ୍ୱାରା ଶରୀରର ଆଭ୍ୟନ୍ତରୀଣ ପ୍ରକ୍ରିୟା ଉପରେ ଏହାର ଗଭୀର ନକାରାତ୍ମକ ପ୍ରଭାବ ପଡ଼ିଥାଏ, ଯାହାକି ଭବିଷ୍ୟତରେ ଅନେକ ଗମ୍ଭୀର ରୋଗର ମୁଖ୍ୟ କାରଣ ସାଜିଥାଏ।
ବିଶେଷଜ୍ଞମାନେ କହୁଛନ୍ତି ଯେ, ସୂର୍ଯ୍ୟାସ୍ତ ପରେ ଏବଂ ବିଶେଷ କରି ରାତି ସମୟରେ ଆମ ଶରୀରର ମେଟାବଲିଜିମ୍ (ପାଚନ ପ୍ରକ୍ରିୟା) ସମ୍ପୂର୍ଣ୍ଣ ମନ୍ଥର ହୋଇଯାଏ। ତେଣୁ ରାତି ଅଧରେ କିମ୍ବା ଶୋଇବା ପୂର୍ବରୁ ଭାରି ଖାଦ୍ୟ ଖାଇଲେ, ତାହା ସଠିକ୍ ଭାବେ ହଜମ ହୋଇପାରେ ନାହିଁ। ଫଳସ୍ୱରୂପ ଖାଦ୍ୟରେ ଥିବା ଅତ୍ୟଧିକ କ୍ୟାଲୋରୀ ଶରୀରରେ ଚର୍ବି ଆକାରରେ ଜମା ହେବାକୁ ଲାଗେ। ଯାହାଦ୍ୱାରା ଓଜନ ଦ୍ରୁତ ଗତିରେ ବୃଦ୍ଧି ପାଏ ଏବଂ ମଣିଷ ଖୁବଶୀଘ୍ର ମେଦବହୁଳତାର ଶିକାର ହୋଇଥାଏ।
ଶୋଇବାର ଠିକ୍ ପୂର୍ବରୁ ଖାଇବା ଦ୍ୱାରା ଦେଖାଦେଉଥିବା ଆଉ ଏକ ବଡ଼ ସମସ୍ୟା ହେଉଛି ‘ଏସିଡ୍ ରିଫ୍ଲକ୍ସ’ (Acid Reflux)। ଖାଇସାରିବା ପରେ ସଙ୍ଗେ ସଙ୍ଗେ ବିଛଣାକୁ ଶୋଇବାକୁ ଗଲେ ପାକସ୍ଥଳୀରେ ସୃଷ୍ଟି ହେଉଥିବା ଏସିଡ୍ ଉପରକୁ ଅର୍ଥାତ୍ ଖାଦ୍ୟନଳୀ ଆଡ଼କୁ ଆସିଥାଏ। ଏହାଫଳରେ ଛାତିରେ ପୋଡ଼ାଜଳା, ଖଟା ହାକୁଟି ଆସିବା ଏବଂ ବଦହଜମି ଭଳି ତୀବ୍ର ଅସୁବିଧା ଦେଖାଦିଏ।
ଯେଉଁମାନେ ପୂର୍ବରୁ ମଧୁମେହ ବା ଡାଇବେଟିସ୍ ରୋଗରେ ପୀଡ଼ିତ, ସେମାନଙ୍କ ପାଇଁ ଏହି ଅଭ୍ୟାସ ଅତ୍ୟନ୍ତ ଘାତକ ହୋଇପାରେ। ଅସମୟରେ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତରରେ ଅନିୟମିତତା ଦେଖାଦିଏ। ଏହାବ୍ୟତୀତ, ବିଳମ୍ବିତ ରାତ୍ରିଭୋଜନ ଦ୍ୱାରା ରକ୍ତଚାପ ଏବଂ କୋଲେଷ୍ଟ୍ରଲ୍ ସ୍ତର ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡ଼ିଥାଏ, ଯାହା ଭବିଷ୍ୟତରେ ହାର୍ଟ ଆଟାକ୍ ଭଳି ହୃଦରୋଗର ଆଶଙ୍କାକୁ ବହୁଗୁଣିତ କରିଦିଏ।
ଡାଏଟିସିଆନ୍ଙ୍କ ପରାମର୍ଶ କ୍ରମେ, ପ୍ରତ୍ୟେକ ବ୍ୟକ୍ତି ରାତି ୮ଟା ପୂର୍ବରୁ କିମ୍ବା ଶୋଇବାର ଅତିକମରେ ୨ରୁ ୩ ଘଣ୍ଟା ପୂର୍ବରୁ ନିଜର ରାତ୍ରିଭୋଜନ ଶେଷ କରିଦେବା ଆବଶ୍ୟକ। ରାତିରେ ସର୍ବଦା ହାଲୁକା ଏବଂ ସହଜରେ ହଜମ ହେଉଥିବା ଖାଦ୍ୟ ଖାଇବା ଉଚିତ୍। ଅନେକ ସମୟରେ ଲୋକେ ବୋର୍ ଅନୁଭବ କରି କିମ୍ବା ଟିଭି ଦେଖିବା ବେଳେ କେବଳ ସମୟ କାଟିବା ପାଇଁ ରାତିରେ ସ୍ନାକ୍ସ ଖାଇଥାନ୍ତି, ଏହି ଅଭ୍ୟାସକୁ ତୁରନ୍ତ ବନ୍ଦ କରିବା ଜରୁରୀ। ତେଣୁ ଏକ ସୁସ୍ଥ ଜୀବନଶୈଳୀ ଆପଣାଇବାକୁ ହେଲେ ନିଜ ଖାଦ୍ୟପେୟର ସମୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।