Ahmedabad serial blasts: ୫୬ ମୃତ, ୨୦୦ ଆହତ…୧୮ ବର୍ଷର ବେଦନା…ଅହମଦାବାଦ ସିରିଜ୍ ବିସ୍ଫୋରଣ ମାମଲାରେ ୩୮ ଜଣଙ୍କୁ ଫାସୀ, ୧୧ଙ୍କୁ ମିଳିଲା ଆଜୀବନ କାରାଦଣ୍ଡ
ଅହମ୍ମଦାବାଦ: ୨୦୦୮ ମସିହାର ଅହମ୍ମଦାବାଦ ସିରିଜ୍ ବୋମା ବିସ୍ଫୋରଣ ମାମଲାରେ ଗୁଜରାଟ ହାଇକୋର୍ଟ ମଙ୍ଗଳବାର ଐତିହାସିକ ରାୟ ଦେଇଛନ୍ତି। ହାଇକୋର୍ଟ ୨୦୨୨ରେ ସ୍ୱତନ୍ତ୍ର ଅଦାଲତ ଦେଇଥିବା ରାୟକୁ କାଏମ ରଖି ୩୮ ଜଣ ଦୋଷୀଙ୍କ ମୃତ୍ୟୁଦଣ୍ଡ ଏବଂ ୧୧ ଜଣଙ୍କ ଆଜୀବନ କାରାଦଣ୍ଡକୁ ବଳବତ୍ତର ରଖିଛନ୍ତି। ବିଚାରପତି ଏ.ୱାଇ. କୋଗଜେ ଓ ସମୀର ଦାଭେଙ୍କ ଖଣ୍ଡପୀଠ ଦୋଷୀମାନଙ୍କ ପକ୍ଷରୁ ଦାଖଲ ସମସ୍ତ ଆବେଦନକୁ ଖାରଜ କରି ସ୍ୱତନ୍ତ୍ର ଅଦାଲତର ରାୟକୁ ସମର୍ଥନ କରିଛନ୍ତି।
୨୦୦୮ ଜୁଲାଇ ୨୬ରେ ଇଣ୍ଡିଆନ୍ ମୁଜାହିଦିନ୍ (IM) ସଂଗଠନ ସଦସ୍ୟମାନେ ଅହମ୍ମଦାବାଦ ସହରର ୨୧ଟି ସ୍ଥାନରେ ମାତ୍ର ୭୦ ମିନିଟ୍ ମଧ୍ୟରେ କ୍ରମାଗତ ବୋମା ବିସ୍ଫୋରଣ ଘଟାଇଥିଲେ। ଏହି ଭୟଙ୍କର ଆକ୍ରମଣରେ ୫୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ବିସ୍ଫୋରଣରେ ଆହତଙ୍କୁ ଚିକିତ୍ସା କରୁଥିବା କିଛି ହସ୍ପିଟାଲକୁ ମଧ୍ୟ ଟାର୍ଗେଟ୍ କରାଯାଇଥିଲା।
୨୦୨୨ ଫେବୃଆରିରେ ସ୍ୱତନ୍ତ୍ର ଅଦାଲତ ଏହି ମାମଲାକୁ “ବିରଳରୁ ବିରଳତମ” (Rarest of Rare) ଶ୍ରେଣୀର ବୋଲି ବିବେଚନା କରି ୩୮ ଜଣଙ୍କୁ ଫାଶୀ ଏବଂ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ। ବର୍ତ୍ତମାନ ଗୁଜରାଟ ହାଇକୋର୍ଟ ମଧ୍ୟ ସେହି ରାୟକୁ କାଏମ ରଖି ଭାରତର ସବୁଠାରୁ ଭୟଙ୍କର ଆତଙ୍କବାଦୀ ମାମଲାଗୁଡ଼ିକ ମଧ୍ୟରୁ ଗୋଟିଏରେ ଦୋଷୀଙ୍କ ଦଣ୍ଡକୁ ବଳବତ୍ତର କରିଛନ୍ତି।