116-Year-Old Devotee: ୧୧୬ ବର୍ଷ ବୟସରେ ୯ କିମି ପାଦରେ ଚାଲି ତିରୁମାଲା ପହଞ୍ଚିଲେ ନବନୀତାମ୍ମା, ଭକ୍ତି ଦେଖି VIP ଦର୍ଶନର ମିଳିଲା ସୁବିଧା
ଚେନ୍ନାଇ: ଭକ୍ତିର କୌଣସି ବୟସ ନଥାଏ। ଏହାକୁ ସତ ପ୍ରମାଣ କରିଛନ୍ତି ୧୧୬ ବର୍ଷୀୟା ବୃଦ୍ଧା ନବନୀତାମ୍ମା। ପରିବାରର ଦାବି ଅନୁସାରେ, ସେ ୧୧୬ ବର୍ଷ ବୟସରେ ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମାଲା ଶ୍ରୀ ବେଙ୍କଟେଶ୍ୱର ମନ୍ଦିରକୁ ଯିବା ପାଇଁ ପ୍ରାୟ ୯ କିଲୋମିଟର ଲମ୍ବା ଅଲିପିରି ପାଦଯାତ୍ରା ମାର୍ଗ ଅତିକ୍ରମ କରିଛନ୍ତି। ଏହି ରାସ୍ତାରେ ପ୍ରାୟ ୩,୫୫୦ଟି ସିଢ଼ି ଚଢ଼ି ସେ ଭଗବାନ ବେଙ୍କଟେଶ୍ୱରଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ।
ମୂଳତଃ ଚେନ୍ନାଇର ବାସିନ୍ଦା ନବନୀତାମ୍ମା ବର୍ତ୍ତମାନ ତିରୁପତିରେ ନିଜ ସମ୍ପର୍କୀୟଙ୍କ ସହ ରହୁଛନ୍ତି। ନାତିଙ୍କ ସହ ସେ ଏହି କଠିନ ଯାତ୍ରା ସମ୍ପୂର୍ଣ୍ଣ କରିଥିଲେ। ତାଙ୍କ ଅଦମ୍ୟ ଇଚ୍ଛାଶକ୍ତି ଓ ଭକ୍ତି ଦେଖି ଅନ୍ୟ ଭକ୍ତମାନେ ଏହାର ଭିଡିଓ କରି ସୋସିଆଲ୍ ମିଡିଆରେ ଛାଡ଼ିଥିଲେ। ଭିଡିଓଟି ଭାଇରାଲ୍ ହେବା ପରେ ସାରା ଦେଶରୁ ତାଙ୍କ ପ୍ରତି ପ୍ରଶଂସାର ସୁଅ ଛୁଟିଥିଲା। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ନାରା ଚନ୍ଦ୍ରବାବୁ ନାଇଡୁ ମଧ୍ୟ ନବନୀତାମ୍ମାଙ୍କ ଭକ୍ତିକୁ ପ୍ରଶଂସା କରି କହିଥିଲେ, “ସତ ଭକ୍ତି ପାଇଁ ବୟସ କେବଳ ଏକ ସଂଖ୍ୟା।”
ଏହି ଘଟଣା ଜଣାପଡ଼ିବା ପରେ ତିରୁମଲା ତିରୁପତି ଦେବସ୍ଥାନମ୍ (TTD)ର ଅଧ୍ୟକ୍ଷ ବି.ଆର୍. ନାଇଡୁ ତୁରନ୍ତ ବୃଦ୍ଧାଙ୍କୁ ଖୋଜି ବାହାର କରି VIP ଦର୍ଶନର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୋମବାର ସକାଳେ ନବନୀତାମ୍ମାଙ୍କୁ VVIP ପ୍ରବେଶ ପଥ ଦେଇ ମନ୍ଦିର ଭିତରକୁ ନିଆଯାଇଥିଲା ଏବଂ ଗର୍ଭଗୃହ ନିକଟରୁ ଭଗବାନଙ୍କ ସ୍ୱତନ୍ତ୍ର ଦର୍ଶନ କରାଯାଇଥିଲା। ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ତାଙ୍କୁ ରେଶମୀ ବସ୍ତ୍ର ଓ ମହାପ୍ରସାଦ ପ୍ରଦାନ କରି ସମ୍ମାନିତ କରିଥିଲେ। ଦର୍ଶନ ପୂର୍ବରୁ ଆବଶ୍ୟକ ବାୟୋମେଟ୍ରିକ୍ ଯାଞ୍ଚ ପ୍ରକ୍ରିୟା ମଧ୍ୟ TTD ଅଧିକାରୀମାନେ ସୁଚାରୁ ଭାବେ ସମ୍ପନ୍ନ କରାଇଥିଲେ।
TTDର ଏହି ପଦକ୍ଷେପକୁ ଭକ୍ତମାନେ ବ୍ୟାପକ ଭାବେ ପ୍ରଶଂସା କରିଛନ୍ତି। ୯ କିଲୋମିଟର ପାଦଯାତ୍ରା କରି ତିରୁମଲା ପହଞ୍ଚିଥିବା ବୃଦ୍ଧାଙ୍କ ଅଦମ୍ୟ ଭକ୍ତିକୁ ସମ୍ମାନ ଜଣାଇ TTD ପକ୍ଷରୁ ତାଙ୍କୁ ସ୍ୱତନ୍ତ୍ର ଓ ସୁବିଧାଜନକ ଦର୍ଶନର ସୁଯୋଗ ଦେବାକୁ ନେଇ ଅନେକ ଶ୍ରଦ୍ଧାଳୁ ପ୍ରଶଂସା କରିଛନ୍ତି।