Latest Odisha News

BREAKING NEWS

ସରକାରୀ ମଦ ଦୋକାନୀଙ୍କ ପାଇଁ ବମ୍ପର ଉପହାର! ଦରମା ବଢ଼ିଲା ୨୫%, କିନ୍ତୁ ମୁଖ୍ୟମନ୍ତ୍ରୀ ରଖିଲେ ଏହି ବଡ଼ ସର୍ତ୍ତ…

ଚେନ୍ନାଇ: ତାମିଲନାଡୁର ସରକାରୀ ମଦ ଦୋକାନ (ଟାସମାକ୍- TASMAC) କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର। ଦୀର୍ଘ ୨୦ ବର୍ଷର ଲମ୍ବା ଅପେକ୍ଷା ପରେ ରାଜ୍ୟ ସରକାର ଏହି କର୍ମଚାରୀମାନଙ୍କ ଦରମାରେ ଏକକାଳୀନ ୨୫ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି। ତେବେ ଏହି ବମ୍ପର ଦରମା ବୃଦ୍ଧି ସହିତ ସରକାର ଏକ କଡ଼ା ସର୍ତ୍ତ ଏବଂ ଚେତାବନୀ ମଧ୍ୟ ଯୋଡ଼ିଛନ୍ତି। ଯଦି କୌଣସି କର୍ମଚାରୀ ଗ୍ରାହକଙ୍କଠାରୁ ନିର୍ଦ୍ଧାରିତ ମୂଲ୍ୟଠାରୁ ଗୋଟିଏ ଟଙ୍କା ବି ଅଧିକ ନିଅନ୍ତି, ତେବେ ତାଙ୍କୁ ସିଧାସଳଖ ଚାକିରିରୁ ବହିଷ୍କାର କରାଯିବ। ମଦ ବୋତଲ ପିଛା ୧୦ ଟଙ୍କା ଅଧିକ ନେଉଥିବା ଦୁର୍ନୀତିକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କ ସରକାର ଏହି ଐତିହାସିକ ନିଷ୍ପତ୍ତି ନେଇଛନ୍ତି।

 

ସଚିବାଳୟରେ ଅନୁଷ୍ଠିତ ଟାସମାକ୍ ବୋର୍ଡ ବୈଠକ ପରେ ରାଜ୍ୟ ଅବକାରୀ ମନ୍ତ୍ରୀ କେ. ବିଗ୍ନେଶ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, କର୍ମଚାରୀମାନେ ଦୀର୍ଘ ଦିନ ଧରି ଦୋକାନ ଭଡ଼ା, ପରିବହନ ଖର୍ଚ୍ଚ ଏବଂ ବିଦ୍ୟୁତ୍ ବିଲ୍ ବାହାନା ଦେଖାଇ ଗ୍ରାହକଙ୍କଠାରୁ ଅଧିକ ଟଙ୍କା ଆଦାୟ କରୁଥିଲେ। ଏବେ ସରକାର ସେମାନଙ୍କର ସମସ୍ତ ଆର୍ଥିକ ଅଭିଯୋଗର ସମାଧାନ କରି ଦରମା ବଢ଼ାଇଛନ୍ତି, ତେଣୁ ଅଧିକ ଟଙ୍କା ଲୁଣ୍ଠନ କରିବାର କୌଣସି ପ୍ରଶ୍ନ ଉଠୁନାହିଁ। ଦୁର୍ନୀତି ପ୍ରତି ସରକାର ‘ଶୂନ୍ୟ ସହନଶୀଳତା’ ନୀତି ଆପଣାଇଛନ୍ତି ଏବଂ ଗ୍ରାହକଙ୍କଠାରୁ ଅଧିକ ପଇସା ନେବା ଅଭିଯୋଗରେ ଇତିମଧ୍ୟରେ ୩୦ ରୁ ୪୦ ଜଣ କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଇସାରିଲାଣି।

 

ନୂଆ ଦରମା ଅନୁଯାୟୀ, ଆସିଷ୍ଟାଣ୍ଟ ସେଲ୍ସମ୍ୟାନ୍‌ଙ୍କ ମାସିକ ଦରମା ୧୪,୩୪୦ ଟଙ୍କାରୁ ବୃଦ୍ଧି ପାଇ ୧୭,୯୨୫ ଟଙ୍କା ହୋଇଥିବା ବେଳେ ସେଲ୍ସମ୍ୟାନ୍‌ଙ୍କ ଦରମା ୧୫,୫୩୦ ରୁ ୧୯,୪୧୩ ଟଙ୍କାରେ ପହଞ୍ଚିଛି। ସେହିପରି ସୁପରଭାଇଜରଙ୍କ ଦରମା ୧୭,୮୫୦ ରୁ ବଢ଼ି ୨୨,୩୧୩ ଟଙ୍କା ହୋଇଛି। ଏହି ବର୍ଦ୍ଧିତ ଦରମା ଯୋଗୁଁ ରାଜ୍ୟ ରାଜକୋଷ ଉପରେ ବାର୍ଷିକ ୧୧୦.୭୪ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ। ଏହା ସହିତ ୨୦୦୩ ମସିହାରୁ ଟାସମାକ୍‌ରେ ଚୁକ୍ତିଭିତ୍ତିକ ଭାବେ କାମ କରୁଥିବା ପ୍ରାୟ ୨୩,୦୦୦ କର୍ମଚାରୀଙ୍କୁ ସ୍ଥାୟୀ (Regularise) କରିବା ନେଇ ବୋର୍ଡରେ ଆଲୋଚନା ହୋଇଛି।

 

କେବଳ ଦରମା ବୃଦ୍ଧି ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଟାସମାକ୍ କର୍ମଚାରୀ ଓ ସେମାନଙ୍କ ପରିବାର ପାଇଁ ଏକ ସ୍ୱାସ୍ଥ୍ୟ ବୀମା ଯୋଜନା ଲାଗୁ କରିବା ଉପରେ ମଧ୍ୟ ବିଚାର କରାଯାଉଛି। ଏହାଛଡ଼ା ମନ୍ତ୍ରୀ ବିଗ୍ନେଶ ବାର୍ (FL3) ମାଲିକମାନଙ୍କୁ ମଧ୍ୟ କଡ଼ା ଚେତାବନୀ ଦେଇଛନ୍ତି ଯେ ୨୧ ବର୍ଷରୁ କମ୍ ବୟସର ଯୁବକଙ୍କୁ ମଦ ବିକ୍ରି କଲେ ବା ପରଷିଲେ ସିଧାସଳଖ ଲାଇସେନ୍ସ ବାତିଲ୍ କରାଯିବ।

 

ଉଲ୍ଲେଖଯୋଗ୍ୟ ଯେ, ମଦୁଆଙ୍କ ଉତ୍ପାତ କମାଇବା ପାଇଁ ନିକଟରେ ତାମିଲନାଡୁ ସରକାର ସ୍କୁଲ, ମନ୍ଦିର ଏବଂ ବସ୍ ଷ୍ଟାଣ୍ଡର ୫୦୦ ମିଟର ପରିସର ମଧ୍ୟରେ ଥିବା ୭୧୭ଟି ସରକାରୀ ମଦ ଦୋକାନକୁ ସବୁଦିନ ପାଇଁ ବନ୍ଦ କରି ଦେଇଥିଲେ।

Leave A Reply

Your email address will not be published.