ଅସ୍ତ୍ରବିରତି ଭାଙ୍ଗିଲେ ଟ୍ରମ୍ପ! ହର୍ମୁଜ ପ୍ରଣାଳୀରେ ଆକ୍ରମଣ ପରେ ରକ୍ତମୁଖା ଆମେରିକା; ୮୦ଟି ସାମରିକ ଘାଟି ଉପରେ ବୋମା ମାଡ଼
ୱାଶିଂଟନ: ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ଶୀତଳ ଯୁଦ୍ଧ ଏବେ ଅତ୍ୟନ୍ତ ଭୟଙ୍କର ରୂପ ନେଇଛି। ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଅସ୍ତ୍ରବିରତି ଚୁକ୍ତିର ଅନ୍ତ ଘଟିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ରଣନୀତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଥିବା ହର୍ମୁଜ ପ୍ରଣାଳୀରେଇରାନର ଆକ୍ରମଣ ପରେ ଆମେରିକା କଡ଼ା ପ୍ରତିଶୋଧ ନେଇଛି। ମଙ୍ଗଳବାର ରାତିରେ ଆମେରିକୀୟ ସେନା ପକ୍ଷରୁ ଇରାନର ୮୦ରୁ ଊର୍ଦ୍ଧ୍ୱ ସାମରିକ ଘାଟି ଉପରେ ଭୟଙ୍କର ଏୟାର ଷ୍ଟ୍ରାଇକ୍ କରାଯାଇଛି।
ତୁର୍କୀରେ ଆୟୋଜିତ ନାଟୋ ଶିଖର ସମ୍ମିଳନୀରେ ଯୋଗ ଦେଇଥିବା ରାଷ୍ଟ୍ରପତି ଟ୍ରମ୍ପ ଇରାନ ଉପରେ ଖୁବ୍ ବର୍ଷିଛନ୍ତି। ଏହି ଶାନ୍ତି ଚୁକ୍ତିକୁ ଏକ ‘ସମୟ ନଷ୍ଟ’ ବୋଲି ଆଖ୍ୟା ଦେଇ ଟ୍ରମ୍ପ କହିଛନ୍ତି ଯେ, “ମୁଁ ସେମାନଙ୍କ (ଇରାନ) ସହ ଆଉ କୌଣସି ଚୁକ୍ତି କିମ୍ବା ଆଲୋଚନା କରିବାକୁ ଚାହୁଁନାହିଁ। ସେମାନେ ମାନସିକ ସ୍ତରରେ ଅସୁସ୍ଥ। ମୋ ପାଇଁ ଏହି ଚୁକ୍ତିର ଏବେ ଅନ୍ତ ଘଟିଛି।”
ଆମେରିକା ସେଣ୍ଟ୍ରାଲ କମାଣ୍ଡର ସୂଚନା ଅନୁଯାୟୀ, ଗତ ସୋମବାର ଏବଂ ମଙ୍ଗଳବାର ମଧ୍ୟରେ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୩ଟି ବାଣିଜ୍ୟିକ ଜାହାଜ ଏବଂ ତୈଳ ଟ୍ୟାଙ୍କର ଉପରେ ଇରାନ ଅତର୍କିତ ଭାବେ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏହି ଘଟଣାକୁ ଅସ୍ତ୍ରବିରତିର ସିଧାସଳଖ ଉଲ୍ଲଙ୍ଘନ ବୋଲି ଦର୍ଶାଇ ଆମେରିକା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରାତାରାତି ଇରାନର ଏୟାର ଡିଫେନ୍ସ ସିଷ୍ଟମ୍, ରାଡାର ଷ୍ଟେସନ ଏବଂ ଇରାନୀୟ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ୍ ର ପ୍ରାୟ ୬୦ଟି ଛୋଟ ଯୁଦ୍ଧ ଜାହାଜକୁ ଆମେରିକା ଧ୍ୱଂସ କରିଦେଇଛି।
ଆମେରିକାର ଏହି ଷ୍ଟ୍ରାଇକ୍ ପରେ ଇରାନ ମଧ୍ୟ ଚୁପ୍ ବସିନାହିଁ। ଇରାନର ସେନା ମୁଖ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ ଆମେରିକାକୁ ‘ଧ୍ୱଂସକାରୀ ପରିଣାମ’ ଭୋଗିବାକୁ ଚେତାବନୀ ଦିଆଯାଇଛି। ପାଲଟା ଆକ୍ରମଣ ସ୍ୱରୂପ ଇରାନ ମଧ୍ୟ କୁଏତ ଏବଂ ବାହାରିନରେ ଥିବା ଆମେରିକାର ସାମରିକ ବେସ୍କୁ ଟାର୍ଗେଟ୍ କରି ମିସାଇଲ୍ ମାଡ଼ କରିଥିବା ଦାବି କରିଛି। ଏହାବ୍ୟତୀତ ଆମେରିକା ପ୍ରଥମେ ଚୁକ୍ତି ଉଲ୍ଲଙ୍ଘନ କରିଥିବା ଇରାନର ବୈଦେଶିକ ମନ୍ତ୍ରଣାଳୟ ଅଭିଯୋଗ ଆଣିଛି।
ଦୁଇ ଦେଶ ମଧ୍ୟରେ ପୁଣିଥରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା ପରେ ଆମେରିକା ତେଲ ବିକ୍ରି ଉପରେ ଇରାନକୁ ଦେଇଥିବା ଲାଇସେନ୍ସ ଛାଡ଼କୁ ବାତିଲ କରିଦେଇଛି। ଫଳରେ ଅନ୍ତର୍ଜାତୀୟ ବଜାରରେ ଏହାର ବଡ଼ ପ୍ରଭାବ ଦେଖିବାକୁ ମିଳିଛି। ଖବର ଆସିବା ମାତ୍ରେ ଅଶୋଧିତ ତୈଳ ବା କ୍ରୁଡ୍ ଅଏଲ୍ ଦରରେ ପ୍ରାୟ ୫ ପ୍ରତିଶତ ବୃଦ୍ଧି ଘଟିଛି। ଆଗକୁ ପରିସ୍ଥିତି ଶାନ୍ତ ନପଡ଼ିଲେ ବିଶ୍ୱବ୍ୟାପୀ ଅର୍ଥନୀତି ଉପରେ ଏହାର ଗଭୀର ପ୍ରଭାବ ପଡ଼ିବା ଆଶଙ୍କା କରାଯାଉଛି।