ଜଳେଶ୍ୱର: ଗତ ଜୁଲାଇ ୨ ତାରିଖରୁ ନିଖୋଜ ଥିବା ୧୫ ଜଣ ମତ୍ସ୍ୟଜୀବୀ ଉଦ୍ଧାର । ୯ ଦିନ ପରେ ସମସ୍ତ ୧୫ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ପଶ୍ଚିମବଙ୍ଗର ଶଙ୍କରପୁର ବେଳାଭୂମିରୁ ମାଆକାଳୀ ନାମକ ଟ୍ରଲର ନେଇ ମାଛ ଧରିବାକୁ ଯାଇ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଥିଲେ ଏହି ମତ୍ସଜୀବୀ ମାନେ ।
ଇଲିଶି ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିବା ଟ୍ରଲରଟି ପଶ୍ଚିମବଙ୍ଗର କାକଦ୍ୱୀପ ନିକଟରେ ପ୍ରାୟ ୨ କିଲୋମିଟର ଦୂରରେ ଥିବା ଏକ ଚଢ଼ରେ ଲାଗି ଅଟକି ଯାଇଥିଲା । ଫଳରେ ଟ୍ରଲରର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।
ଜୁଲାଇ ୩ ତାରିଖରେ ପାଣିପାଗ ବିଭାଗ ପକ୍ଷରୁ ସାମୂଦ୍ରିକ ଝଡ ସମ୍ପର୍କରେ ସତର୍କ ସୂଚନା ଜାରି କରାଯିବା ସହିତ ସମୂଦ୍ରରେ ଥିବା ଟ୍ରଲର ଗୁଡିକୁ କୂଳକୁ ଫେରି ଆସିବା ପାଇଁ ସୂଚନା ଦିଆଯାଇଥିଲା । ସତର୍କ ବାର୍ତ୍ତା ପରେ ଅଧିକାଂଶ ଟ୍ରଲର କୂଳକୁ ଫେରି ଆସିଥିବା ବେଳେ ମାଆ କାଳୀ ନାମକ ଟ୍ରଲର କୂଳକୁ ଫେରି ନଥିଲା ।
ଯାହାକୁ ନେଇ ଭୟଭୀତ ହୋଇଯାଇଥିଲେ ପରିବାର ଲୋକେ । ହେଲେ ଏବେ ୯ ଦିନ ପରେ ସେମାନଙ୍କୁ ଖୋଜି ଠାବ କରାଯାଇଛି ।