କେନ୍ଦୁଝର: ଖଣିଜ ସାମଗ୍ରୀ ଚୋରା ଚାଲାଣ ବେଳେ ଖଣିଜ ବୋଝେଇ ଟ୍ରଲର ଓ ଜେସିବି ଜବତ ହୋଇଛି । ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । କେନ୍ଦୁଝରର ବାମେବାରି ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି ।
ମିଳିଥିବା ସୂଚନା ଅନୁସାରେ, ବାମେବାରି ଥାନା ଅନ୍ତର୍ଗତ ନୟାଗଡ଼ ଅଞ୍ଚଳରେ ପୂର୍ବରୁ ଖନନ ହୋଇଥିବା ଖଣିଜ ସାମଗ୍ରୀ ଗଚ୍ଛିତ ହୋଇଥିଲା । ଏଥିରୁ ଚାଲାଣ ସମୟରେ ସୂଚନା ପାଇ ଖଣି ଓ ପୁଲିସ ବିଭାଗ ମିଳିତ ଚଢ଼ାଉ କରିଥିଲେ । ଚଢାଉରେ ଖଣିଜ ବୋଝେଇ ହୋଇଥିବା ଟ୍ରେଲର ଓ ଖନନରେ ବ୍ୟବହୃତ ଥିବା ଜେସିବି ମେସିନକୁ ଜବତ କରାଯାଇଛି । ଦୁଇ ଗାଡ଼ି ଡ୍ରାଇଭରଙ୍କୁ ଗିରଫ କରାଯାଇଛି ।
ଗିରଫ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡ ରାଜ୍ୟ ଲୋହାରଦାଗ ଜିଲ୍ଲା ବାଗ୍ରୁ ଥାନା ଉପର ହିଶ୍ରି ଅଞ୍ଚଳର ସଦାମ ସାଇ ଓ କୁରୁ ଥାନା ଟିକୋ ବାଡ଼କାଟୋଲି ଅଞ୍ଚଳର ରାଜେଶ୍ କୁମାର ସିଂ। ଏନେଇ ବାମେବାରି ଥାନାରେ ବିଏନ୍ଏସ୍ ଦଫା ୩୦୩(୨)/୬୧(୨) ଏବଂ ୨୧ ଏମଏମ୍ଡିଆର୍ ଆଇନରେ ୧୬୫/୨୦୨୬ନଂରେ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।