ବ୍ରହ୍ମପୁର:ଜଣେ ଯୁବକଙ୍କୁ ଗୋଟିଏ ଘରେ ରଖି ପ୍ଲାଷ୍ଟିକ୍ ପାଇପ୍ରେ ମାଡ ମାରିବା ଭିଡିଓ ଭାଇରାଲ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଭିଡିଓ ଭାଇରାଲ୍ ହେବା ପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇଛି ବ୍ରହ୍ମପୁର ସଦର ଥାନା ପୁଲିସ । ଭିଡିଓକୁ ଆଧାର କରି ମୁଖ୍ୟ ଅଭିଯୁକ୍ତ ପ୍ରତାପ କୃଷ୍ଣଚନ୍ଦ୍ରପୁର ଗ୍ରାମର ଆର୍. ଶିବରାମ ଓରଫ ଅରୂପ (୨୩)କୁ ଗିରଫ କରିଛି ପୋଲିସ ।
ଆକ୍ରମଣର ଶିକାର ଯୁବକ ପ୍ରଶାନ୍ତ ଦାସ ସଦର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କେସ୍ ନଂ – ୪୪୫ /୧୨.୦୭.୨୦୨୬ ଅନୁଯାୟୀ ମାମଲା ରୁଜୁ କରିଛି । ଗିରଫ ଶିବରାମ ନାମରେ ପୂର୍ବରୁ ଅନେକ ମାମଲା ରହିଥିବା ବେଳେ ବ୍ରହ୍ମପୁର ସଦର ଥାନାରେ ତିନୋଟି ମାମଲା ରହିଛି ।
ସୂଚନାଥାଉକି, ପ୍ରଶାନ୍ତ ଏବଂ ଅରୂପ ପୂର୍ବରୁ ଜଣାଶୁଣା । କିଛି ମାସ ତଳେ ଅଭିଯୁକ୍ତ ପ୍ରଶାନ୍ତଙ୍କୁ ଏକ ଅସାମାଜିକ କାମ କରିବାକୁ କହିଥିଲା । ପ୍ରଶାନ୍ତ ମନା କରିବାରୁ ତାଙ୍କୁ ଏକ କୋଠରୀରେ ବନ୍ଦ କରି ମାଡ଼ ମାରିଥିଲା । ପ୍ରଶାନ୍ତ ଅନୁସୂଚିତ ଜାତିର ବୋଲି ଜାଣି ଅରୂପ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ପ୍ଲାଷ୍ଟିକ୍ ପାଇପ୍ରେ ପିଟିଥିଲା । ଏ ସମ୍ପର୍କରେ କାହାକୁ କହିଲେ ହତ୍ୟା କରିବାକୁ ଧମକ ଦେଇଥିଲା ।
ଅନ୍ୟପଟେ ପ୍ରଶାନ୍ତଙ୍କ ବାପା ବିଜୁ ଦାସ କହିଛନ୍ତି, ଗତ ୨୦ ରୁ ୨୫ ଦିନ ତଳେ ପୁଅକୁ ଡାକି ନେଇ ଦୁର୍ବୃତ୍ତ ମାନେ ନିସ୍ତୁକ ମାଡ ମାରିଥିଲେ । ଏ ନେଇ ଭୟରେ ଥାନାରେ ଅଭିଯୋଗ କରିନଥିଲେ ପରିବାର ।
ପତ୍ନୀ ଶୂନ୍ୟ ଦାଶ କହିଛନ୍ତି ‘‘ମୋ ସ୍ୱାମୀଙ୍କୁ ଗଞ୍ଜେଇ ଗାଡି ଚଲାଇବା ପାଇଁ ବାଧ୍ୟ କଲେ । ହେଲେ ସେ ଅରାଜି ହେବାରୁ ତାଙ୍କ ମୋବାଇଲ୍ ଭାଙ୍ଗି ଦେବା ସହ ତାଙ୍କୁ ମରଣାନ୍ତକ ଆକ୍ରମଣ କଲେ । ତାଙ୍କ ଜୀବନ ପ୍ରତି ବିପଦ ଅନୁଭବ କରି ସ୍ୱାମୀ ଏବେ ଘର ଠାରୁ ଦୂରରେ ରହୁଛନ୍ତି । ବର୍ତ୍ତମାନର ସମୟରେ ଆମ ପରିବାରକୁ ନ୍ୟାୟ ଦରକାର ।’’