ପୁରୀ: ଦୀର୍ଘ ୧୫ ଦିନ ଧରି ଅଣବସର ପିଣ୍ଡିରେ ରହି ଚିକିତ୍ସିତ ହେବା ପରେ ଜ୍ୱରରୁ ଆରୋଗ୍ୟ ଲାଭ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଦଇତାପତି ସେବକମାନେ ମହାପ୍ରଭୁଙ୍କ ଆରୋଗ୍ୟ ହେବା ଖବର ଗଜପତି ମହାରାଜାଙ୍କୁ ଜଣାଇବା ପରେ ଏବେ ଶ୍ରୀମନ୍ଦିର ରଥଯାତ୍ରା ଲାଗି ହୋଇ ଉଠିଛି ଚଳଚଞ୍ଚଳ।
ସୂଚନା ଅନୁଯାୟୀ, ମଙ୍ଗଳବାର ମଧ୍ୟାହ୍ନ ୧୨ଟା ୧୫ରେ ଅଣସର ଘରେ ମହାପ୍ରଭୁଙ୍କ ଆସ୍ଥାନ ଚକା ଅପସାରଣ କରାଯିବ। ଦଶାବତାର ତଥା ପଟିଦିଅଁଙ୍କ ନିକଟରେ ମଙ୍ଗଳ ଆଳତି, ମଇଲମ ଏବଂ ଅବକାଶ ନୀତି ବଢ଼ିବ। ପଟି ଠାକୁର ମଣ୍ଡଣି ଘରକୁ, ଅନ୍ୟ ଦିଅଁ ଦକ୍ଷିଣୀ ଘରକୁ ବିଜେ କରିବା ପରେ ଅପରାହ୍ନ ୨ଟାରେ ଅଣସର ତାଟି ଫିଟିବ। ଅପରାହ୍ନ ସାଢ଼େ ୨ଟାରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଆରମ୍ଭ ହେବ। ପରିମାଣିକ ଦର୍ଶନ ପରେ ଭକ୍ତଙ୍କ ସାହାଣମେଲା ତଥା ସର୍ବସାଧାରଣ ଦର୍ଶନ ହେବ। ଅପରାହ୍ନ ସାଢ଼େ ୨ଟାରୁ ପରିମାଣିକ ଦର୍ଶନ ଆରମ୍ଭ ହୋଇ ଗୋଟିଏ ଘଣ୍ଟା ଚାଲିବ। ସେହିପରି ଅପରାହ୍ନ ସାଢ଼େ ୩ରୁ ସାଢ଼େ ୪ଟା ପର୍ଯ୍ୟନ୍ତ ସର୍ବସାଧାରଣ ବା ସାହାଣମେଲା ଦର୍ଶନ ଭିତରକାଠ ନିକଟରୁ ହେବ।
ମହାପ୍ରଭୁ ନବଯୌବନ ବେଶରେ ସଜ୍ଜିତ ହୋଇ ଲକ୍ଷାଧିକ ଭକ୍ତଙ୍କୁ ଆଜି ଦେବେ ଦର୍ଶନ । ମହାପ୍ରଭୁଙ୍କ ଏହି ପବିତ୍ର ଦିବ୍ୟ ନବଯୌବନ ରୂପକୁ ଦର୍ଶନ ଲାଗି ଆଜି ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଏହି ନବଯୌବନ ଦର୍ଶନ ଅନୁଷ୍ଠିତ ହେଉଥିବାରୁ ଶାନ୍ତି-ଶୃଙ୍ଖଳା ତଥା ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ତଥା ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।