ଭୁବନେଶ୍ୱର: ରାଜଧାନୀରେ ପୁଣି ଦେଖିବାକୁ ମିଳିଛି ଗୋଷ୍ଠୀ ସଂଘର୍ଷ। ଇନ୍ଫୋସିଟି ଥାନା ଅଧୀନ ପଥରଗାଡ଼ିଆ ଗାଁ ପୁଣି ଅଶାନ୍ତ ହୋଇପଡ଼ିଛି। ୨ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ସଂଘର୍ଷରେ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ହୋଇଥିବା ପପୁନା ଜେନା ଓ ଜଗଦୀଶ ବେହେରାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗାଁରେ ଉତ୍ତେଜନା ଥମି ନଥିବାରୁ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି।
ସୂଚନା ମୁତାବକ, ଗତବର୍ଷ ଗଣେଷ ପୂଜାରେ ବେହେରା ସାହି ଓ ଜେନା ସାହି ଭିତରେ ତୀବ୍ର ବିବାଦ ଲାଗିଥିଲା। ସେବେଠାରୁ ୨ ସାହି ଭିତରେ ଶତ୍ରୁତା ଲାଗି ରହିଥିଲା। ସୋମବାର ଅପରାହ୍ଣରେ କ୍ରିକେଟ୍ ଖେଳ ବେଳେ କମେଣ୍ଟ ମରାକୁ କେନ୍ଦ୍ର କରି ପପୁନା ଓ ଜଗଦୀଶ ଭିତରେ ଝଗଡ଼ା ଲାଗିଥିଲା। ଦୁଇ ସାହିର ଏହି ଦୁଇଜଣଙ୍କ ଭିତରେ ଗଣ୍ଡଗୋଳ ପୂର୍ବ ଶତ୍ରୁତାକୁ ନେଇ ଭୀଷଣ ରୂପ ନେଇଥିଲା। ରାତି ୯ଟାରେ ୨ ସାହିର ଦୁହେଁ ପରସ୍ପରକୁ କଟୁରିରେ ଆକ୍ରମଣ କରିଥିଲେ। ପରେ ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ଟେକା ପଥର ଫିଙ୍ଗିଥିଲେ। ଉଭୟ ଗୋଷ୍ଠୀ ମଧ୍ୟରେ ମାର୍ପିଟ୍ ଚାଲିଲା। ସ୍ଥିତି ଅଣାୟତ ହେବାରୁ ପୁଲିସକୁ ଖବର ଦିଆଗଲା। ପୁଲିସ ଟିମ୍ ପହଞ୍ଚିବା ପରେ ୨ ଗୋଷ୍ଠୀ ଛତ୍ରଭଙ୍ଗ ଦେଇଥିଲେ। ୨ ସାହିରେ ପୁଲିସ ପକ୍ଷରୁ ୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।