Latest Odisha News

BREAKING NEWS

ନିଖୋଜ ଟ୍ରଲର୍‌ ଠାବ ଘଟଣା: ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଚିହ୍ନି ପାରୁନାହାନ୍ତି ପରିବାର ଲୋକେ

ଜଳେଶ୍ୱର: ନିଖୋଜ ହୋଇଯାଇଥିବା ଟ୍ରଲର୍‌ଟି କାକଦ୍ବୀପ ନିକଟରୁ ଉଦ୍ଧାର ହୋଇଛି ସତ ହେଲେ ଉଦ୍ଧାର ହୋଇଥିବା ୯ ମତ୍ସ୍ୟଜୀବୀଙ୍କ ମୃତଦେହକୁ ଚିହ୍ନି ପାରୁନାହାନ୍ତି ପରିବାର ଲୋକେ। ତେଣୁ ମୃତ୍ୟୁ ମତ୍ସ୍ୟଜୀବୀଙ୍କର ଶବ ବ୍ୟବଚ୍ଛେଦ ହେବ। ମୃତଦେହ ଗୁଡ଼ିକ ଚିହ୍ନଟ କରିବା କଷ୍ଟକର ହେଉଥିବାରୁ ଡିଏନଏ ଟେଷ୍ଟ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଡିଏନଏ ନମୁନା ସଂଗ୍ରହ ପରେ ପ୍ରାୟ ୭ ଦିନ ମଧ୍ୟରେ ରିପୋର୍ଟ ଆସିବାର ସମ୍ଭାବନା ରହିଛି। ରିପୋର୍ଟ ଆଧାରରେ ମୃତଦେହ ସମ୍ପୃକ୍ତ ପରିବାରଙ୍କୁ ହସ୍ତାନ୍ତର କରାଯିବ।

ସୂଚନା ଥାଉକି ଗତ ୨ ତାରିଖରେ ପଶ୍ଚିମବଙ୍ଗ ଦେଉଳୀ ବାଂଲା ଅଞ୍ଚଳର ଅଭିଜିତ୍ ବେରାଙ୍କ “ଜୟ ମା’ କାଳୀ-୧୭’ ଟ୍ରଲର୍ରେ ୧୫ଜଣ ମତ୍ସ୍ୟଜୀବୀ ଇଲିସି ଧରିବାକୁ ଦୀଘା ଶଙ୍କରପୁର ଜେଟିରୁ ବଙ୍ଗୋପସାଗରକୁ ଯାଇଥିଲେ । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଥିଲେ ମଧ୍ୟ ଏହି ମତ୍ସ୍ୟଜୀବୀମାନେ ଜୀବନକୁ ବାଜି ଲଗାଇ ବାହାରି ଯାଇଥିଲେ ଇଲିସି ସନ୍ଧାନରେ । ହେଲେ ଯିବାର ୪ ଦିନ ପରେ ସେମାନଙ୍କ ସହିତ ଆଉ କୌଣସି ଯୋଗାଯୋଗ ହୋଇନଥିଲା । ୬ ତାରିଖରୁ ସେମାନଙ୍କୁ ତଲାସି କରାଯାଉଥିଲେ ମଧ୍ୟ କୌଣସି ସନ୍ଧାନ ମିଳୁ ନ ଥିଲା । ପରିବାର ଲୋକେ ଆଶଙ୍କାରେ ଥିଲେ । ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାର ସେମାନଙ୍କ ସନ୍ଧାନ ପାଇଁ ପ୍ରୟାସ ଆରମ୍ଭ କରିଥିଲେ ।

ଗତ ରବିବାର ସନ୍ଧ୍ୟାରେ ବାଂଲାଦେଶ ସୀମାରୁ ଅଳ୍ପ ଦୂର କାକଦ୍ୱୀପଠାରୁ ପ୍ରାୟ ୫୦ କିମି ପାଥରପ୍ରତିମା ଥାନା ଏବଂ ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ଗୋବର୍ଦ୍ଧନ କୋଷ୍ଟାଲ ଥାନା ଅଧୀନ ବାଘଚଡ଼ରୁ ଅନତି ଦୂର ରକ୍ତେଶ୍ୱରୀ ବାଲି ଚଢ଼ା ନିକଟରେ ଟ୍ରଲର୍ଟି ଓଲଟି ପଡ଼ିଥିବା ସନ୍ଧାନ ମିଳିଥିଲା। ତଟ ସୁରକ୍ଷା ବାହିନୀ, ନୌବାହିନୀ, ଏସ୍ଟିଆର୍ ଓ ପଶ୍ଚିମବଙ୍ଗ ଗୋବର୍ଦ୍ଧନପୁରର ସୀତାରାମ ଅଞ୍ଚଳର କେତେକ ଅଭିଜ୍ଞ ମତ୍ସ୍ୟଜୀବୀଙ୍କୁ ନେଇ ଗଠିତ ଟିମ୍ ଟ୍ରଲର୍ ଉଦ୍ଧାର କରିବାକୁ ଯାଇଥିଲେ । ଉକ୍ତ ଟ୍ରଲର୍ଟିକୁ ଅନ୍ୟ ଟ୍ରଲର ସହାୟତାରେ ଟାଣି କାକଦ୍ୱୀପ ନିକଟକୁ ଅଣାଯାଇଥିଲା । ଟ୍ରଲର୍ର ଏକ କେବିନ୍ରୁ ୯ଟି ମୃତଦେହ ଉଦ୍ଧାର କରି ପାଖ ହସ୍ପିଟାଲକୁ ନିଆଯାଇଥିଲା । ଅନ୍ୟ ୬ ଜଣ ଭାସି ଯାଇଥିବା ଅନୁମାନ କରାଯାଉଥିବା ବେଳେ ସେମାନଙ୍କ ସନ୍ଧାନ ମିଳିପାରିନାହିଁ ।

Leave A Reply

Your email address will not be published.