Latest Odisha News

BREAKING NEWS

ଗ୍ରାମାଞ୍ଚଳରେ ଦ୍ରୁତଗତିର ଇଣ୍ଟରନେଟ୍ ସେବା ସୁଦୃଢ଼ କରିବା ଲକ୍ଷ୍ୟ; ସ୍ଥାନ, ସୁରକ୍ଷା ସୁନିଶ୍ଚିତ ପାଇଁ ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ୱର: ଗ୍ରାମାଞ୍ଚଳରେ ଦ୍ରୁତଗତିର ଇଣ୍ଟରନେଟ୍ ସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ସଂଶୋଧିତ ଭାରତନେଟ୍ (BharatNet) ଯୋଜନାର କାର୍ଯ୍ୟକାରୀ ପାଇଁ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି । ଗ୍ରାମ ପଞ୍ଚାୟତ ସ୍ତରରେ ଭାରତନେଟ୍ ଉପକରଣ ସ୍ଥାପନ, ରକ୍ଷଣାବେକ୍ଷଣ, ସୁରକ୍ଷା ଏବଂ ନିରବଚ୍ଛିନ୍ନ ପରିଚାଳନା ସୁନିଶ୍ଚିତ କରିବା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି । ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶକୁ ସମସ୍ତ ପଞ୍ଚାୟତିରାଜ ଅନୁଷ୍ଠାନରେ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି ।

ଭାରତନେଟ୍ ହେଉଛି ଭାରତ ସରକାରଙ୍କ ଏକ ପ୍ରମୁଖ ଡିଜିଟାଲ୍ ଭିତ୍ତିଭୂମି ପ୍ରକଳ୍ପ । ଏହା ମାଧ୍ୟମରେ ଦେଶର ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ଅପ୍ଟିକାଲ୍ ଫାଇବର୍ ବ୍ରଡବ୍ୟାଣ୍ଡ ସଂଯୋଗ ସହ ଯୋଡ଼ାଯାଉଛି । ଫଳରେ ଗ୍ରାମାଞ୍ଚଳରେ ଇ-ଗଭର୍ଣ୍ଣାନ୍ସ, ଅନଲାଇନ୍ ଶିକ୍ଷା, ଟେଲିମେଡିସିନ୍, ଡିଜିଟାଲ୍ ବ୍ୟାଙ୍କିଙ୍ଗ୍, ଜନସେବା କେନ୍ଦ୍ର ଏବଂ ବିଭିନ୍ନ ସରକାରୀ ସେବାର ପହଞ୍ଚକୁ ଆହୁରି ସହଜ କରିବା ଲକ୍ଷ୍ୟ ରହିଛି । ଏହି ପ୍ରକଳ୍ପର ସଫଳ ରୂପାୟନ ପାଇଁ ସମ୍ପ୍ରତି କେନ୍ଦ୍ର ସରକାର ସଂଶୋଧିତ ଭାରତନେଟ୍ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରୁଛନ୍ତି ।

ଗତ ମେ’ ୨୫ରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଭାରତନେଟ୍ ରୂପାୟନକୁ ନେଇ ଏକାଧିକ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସେହି ନିଷ୍ପତ୍ତି ଅନୁଯାୟୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଭାରତନେଟ୍ ଉପକରଣ ସ୍ଥାପନ ପାଇଁ ଉପଯୁକ୍ତ ସ୍ଥାନ ଯୋଗାଇବାକୁ କୁହାଯାଇଛି । କୌଣସି କାରଣରୁ କାର୍ଯ୍ୟାଳୟ ଭିତରେ ସ୍ଥାପନ ସମ୍ଭବ ନ ହେଲେ, ପଞ୍ଚାୟତ ପରିସର କିମ୍ବା ନିକଟବର୍ତ୍ତୀ ସରକାରୀ କୋଠାରେ ବିନା ମୂଲ୍ୟରେ ସ୍ଥାନ ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ରହିଛି ।

ସେହିପରି ବିଏସଏନ୍ଏଲ୍, ପ୍ରୋଜେକ୍ଟ ମନିଟରିଂ ଏଜେନ୍ସି (PMA) ଏବଂ ପ୍ରୋଜେକ୍ଟ ଇମ୍ପ୍ଲିମେଣ୍ଟିଂ ଏଜେନ୍ସି (PIA)ର ପ୍ରତିନିଧିମାନଙ୍କୁ ଉପକରଣର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକ ସମୟରେ ୨୪ ଘଣ୍ଟା ନିରବଚ୍ଛିନ୍ନ ପ୍ରବେଶ ସୁବିଧା ଦେବାକୁ ହେବ । ଏହାଦ୍ୱାରା ଯେକୌଣସି ତ୍ରୁଟିର ତୁରନ୍ତ ସମାଧାନ କରାଯାଇପାରିବ ଏବଂ ଇଣ୍ଟରନେଟ୍ ସେବା ବାଧାପ୍ରାପ୍ତ ହେବ ନାହିଁ ।

ନିର୍ଦ୍ଦେଶାବଳୀରେ ଗ୍ରାମ ପଞ୍ଚାୟତର ଦାୟିତ୍ୱ ମଧ୍ୟ ସ୍ପଷ୍ଟ କରାଯାଇଛି । ସମ୍ପୃକ୍ତ ଗ୍ରାମ ପଞ୍ଚାୟତର ଦାୟିତ୍ୱରେ ଥିବା ଅଧିକାରୀ କିମ୍ବା ପ୍ରତିନିଧି ଭାରତନେଟ୍ ଉପକରଣର କଷ୍ଟୋଡିଆନ୍ ଭାବେ କାର୍ଯ୍ୟ କରିବେ । ସେ ଉପକରଣର ସମସ୍ତ ରେକର୍ଡ ସଂରକ୍ଷଣ କରିବା ସହ ଏହାର ଯତ୍ନ, ସୁରକ୍ଷା ଏବଂ ବନ୍ୟା, ବାତ୍ୟା କିମ୍ବା ଅନ୍ୟାନ୍ୟ ବିପର୍ଯ୍ୟୟ ସମୟରେ କ୍ଷତିରୁ ରକ୍ଷା କରିବା ପାଇଁ ଦାୟୀ ରହିବେ ।

ବୈଠକରେ ଭାରତନେଟ୍ ଢାଞ୍ଚା ପାଇଁ ନିରବଚ୍ଛିନ୍ନ ବିଦ୍ୟୁତ୍ ସଂଯୋଗ ବ୍ୟବସ୍ଥା କରିବା, ସରକାରୀ ଦର ଅନୁଯାୟୀ ବିଦ୍ୟୁତ୍ ଶୁଳ୍କ ଆଦାୟ କରିବା ଏବଂ ‘ମୋ ବିଦ୍ୟୁତ୍’ ପୋର୍ଟାଲ୍ ମାଧ୍ୟମରେ ବିଲିଂ ଓ ନିରୀକ୍ଷଣ ବ୍ୟବସ୍ଥା କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ଏହାଛଡ଼ା ଦୂରସଂଚାର ବ୍ୟବସ୍ଥାକୁ ଅଧିକ ନିର୍ଭରଯୋଗ୍ୟ କରିବା ପାଇଁ ଅତିରିକ୍ତ OPGW ଫାଇବର୍ ବ୍ୟବହାରକୁ ମଧ୍ୟ ଅନୁମୋଦନ କରାଯାଇଛି ।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ଏହି ନିର୍ଦ୍ଦେଶର କଡ଼ାକଡ଼ି ପାଳନ ସୁନିଶ୍ଚିତ କରିବା ସହ ଶୀଘ୍ର କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ କହିଛି। ସରକାରଙ୍କ ଆଶା, ଏହି ପଦକ୍ଷେପ ଫଳରେ ଗ୍ରାମାଞ୍ଚଳରେ ଉଚ୍ଚଗତିର ଇଣ୍ଟରନେଟ୍ ସେବା ଆହୁରି ସୁଦୃଢ଼ ହେବ ଏବଂ ଡିଜିଟାଲ୍ ଇଣ୍ଡିଆର ଲକ୍ଷ୍ୟ ପୂରଣ ଦିଗରେ ଓଡ଼ିଶା ଆଉ ଏକ ପାଦ ଆଗକୁ ବଢ଼ିବ ।

Leave A Reply

Your email address will not be published.