ଭୁବନେଶ୍ୱର: ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ କୋଭିଡ୍-୧୯ ମାମଲା ବୃଦ୍ଧି ପାଇଛି । ସମ୍ଭାବ୍ୟ କୋଭିଡ-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର । ଏନେଇ ଆଜି ଲୋକସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଵାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଅଧ୍ୟକ୍ଷତାରେ ବିଭିନ୍ନ ପ୍ରସ୍ତୁତି ଓ ଆବଶ୍ୟକୀୟ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି । ବର୍ତ୍ତମାନ ଏ ବାବଦରେ କୌଣସି ବ୍ୟସ୍ତ ନ ହେବାକୁ ସେ କହିଛନ୍ତି ।
ରାଜ୍ୟ ସରକାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହ ନିରନ୍ତର ସମନ୍ୱୟରେ ଅଛନ୍ତି ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମାନ୍ୟବର ମନ୍ତ୍ରୀ ନିଜ ବକ୍ତବ୍ୟରେ କହିଛନ୍ତି ।
ଜନସାଧାରଣଙ୍କୁ ଅନୁରୋଧ କରି କୌଣସି ଗୁଜବ କିମ୍ବା ଅପପ୍ରଚାରରେ ବିଚଳିତ ଅଥବା ଭୟଭୀତ ନହୋଇ ସଚେତନ ରହିବା ଏବଂ ଆବଶ୍ୟକ ସ୍ୱାସ୍ଥ୍ୟ ସୁରକ୍ଷା ନିୟମାବଳୀ ପାଳନ କରିବାକୁ ଅନୁରୋଧ କରିଛନ୍ତି ।
ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ ଅଶ୍ଵତୀ ଏସ., ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ବୃନ୍ଦା ଡ଼ି ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।