Latest Odisha News

BREAKING NEWS

କକପିଟ୍‌ର ଗୁମର କାହିଁକି ରହସ୍ୟ? ଏୟାର ଇଣ୍ଡିଆ ଦୁର୍ଘଟଣାରେ ସୁପ୍ରିମକୋର୍ଟଙ୍କ ବଡ଼ ଆଭିମୁଖ୍ୟ

ନୂଆଦିଲ୍ଲୀ: ଗତବର୍ଷ ଅହମ୍ମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବିମାନ (AI 171) ଦୁର୍ଘଟଣାକୁ ନେଇ ଦେଶରେ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ୨୬୦ ଜୀବନ ନେଇଥିବା ଏହି ଭୟଙ୍କର ଦୁର୍ଘଟଣାର ତଦନ୍ତ ଚାଲିଥିବା ବେଳେ, ଏବେ ‘କକପିଟ୍ ଭଏସ୍ ରେକର୍ଡର’କୁ ନେଇ ସୁପ୍ରିମକୋର୍ଟରେ ଏକ ବଡ଼ ବିବାଦ ଉପୁଜିଛି। ତଦନ୍ତକାରୀ ସଂସ୍ଥା ‘ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ’ ଏହି ରେକର୍ଡିଂ ସାର୍ବଜନୀନ କରିବାକୁ ସିଧାସଳଖ ମନା କରିଦେଇଛି।

 

ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ AAIB ସ୍ପଷ୍ଟ କରିଛି ଯେ, ‘ଏୟାରକ୍ରାଫ୍ଟ (ତଦନ୍ତ ଓ ଦୁର୍ଘଟଣା) ନିୟମ, ୨୦୨୫’ର ଧାରା ୧୭(୫) ଅନୁଯାୟୀ, କକପିଟ୍‌ର ଅଡ଼ିଓ ରେକର୍ଡିଂ କିମ୍ବା ଟ୍ରାନ୍ସକ୍ରିପ୍ଟକୁ ସର୍ବସାଧାରଣ କରିବା ଉପରେ କଠୋର ବାରଣ ରହିଛି। ସଂସ୍ଥାର ଯୁକ୍ତି ଅନୁଯାୟୀ, ଯଦି ଏହି ସମ୍ବେଦନଶୀଳ ତଥ୍ୟ ସାର୍ବଜନୀନ କରାଯାଏ, ତେବେ ଏହା ଭବିଷ୍ୟତର ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିବ। ଏହାଛଡ଼ା, ପାଇଲଟ୍‌ମାନଙ୍କୁ ଦୋଷାରୋପ କରି ଗଣମାଧ୍ୟମରେ ଚାଲିଥିବା ଚର୍ଚ୍ଚା ଯୋଗୁଁ ଅନେକ ସାକ୍ଷୀ ମୁହଁ ଖୋଲିବାକୁ ଭୟ କରୁଛନ୍ତି, ଯାହା ତଦନ୍ତ ପାଇଁ ବାଧକ ସାଜିଛି।

 

ତଦନ୍ତ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ଅନେକ ଆବେଦନକାରୀ କକପିଟ୍ ରେକର୍ଡିଂ ସାର୍ବଜନୀନ କରିବାକୁ ଦାବି କରିଥିଲେ। ତେବେ ସୁପ୍ରିମକୋର୍ଟ ବର୍ତ୍ତମାନ ପରିସ୍ଥିତିରେ ଏହି ଦାବିକୁ ଅଗ୍ରାହ୍ୟ କରିଛନ୍ତି। କୋର୍ଟ ଗ୍ରହଣ କରିଛନ୍ତି ଯେ, ଏଭଳି ଗୁରୁତ୍ୱପୂର୍ଣ୍ଣ ସମୟରେ ତଦନ୍ତର ଅଖଣ୍ଡତା ବଜାୟ ରଖିବା ଜରୁରୀ। ତେଣୁ ଏହି ମାମଲାରେ ସାମୟିକ ଭାବେ ରେକର୍ଡିଂ ସାର୍ବଜନୀନ ନକରିବାକୁ କୋର୍ଟ ସମ୍ମତି ଜଣାଇଛନ୍ତି।

 

AAIB ସୂଚନା ଦେଇଛି ଯେ, ଦୁର୍ଘଟଣାର ତଦନ୍ତ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ତର୍ଜାତୀୟ ନିୟମ (ICAO Annex 13) ଅନୁସାରେ, ଏହାର ଚିଠା ରିପୋର୍ଟ (Draft Report) ପ୍ରସ୍ତୁତ କରାଯାଉଛି, ଯାହା ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ସାର୍ବଜନୀନ ହୋଇପାରେ। ଏହି ରିପୋର୍ଟ ପ୍ରସ୍ତୁତ ହେବା ପୂର୍ବରୁ ଏହାକୁ ଯାଞ୍ଚ କରିବା ପାଇଁ ଆମେରିକାର ‘ନ୍ୟାସନାଲ ଟ୍ରାନ୍ସପୋର୍ଟେସନ୍ ସେଫ୍ଟି ବୋର୍ଡ’ (NTSB) ଭଳି ସମ୍ବନ୍ଧିତ ସଂସ୍ଥାମାନଙ୍କୁ ପଠାଯିବ।

 

ଜୁନ୍ ୧୨, ୨୦୨୫ରେ ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆର ଏହି ବିମାନଟି ଉଡ଼ାଣର କିଛି ମୁହୂର୍ତ୍ତ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୨୬୦ରୁ ଅଧିକ ଯାତ୍ରୀ ପ୍ରାଣ ହରାଇଥିଲେ। ପ୍ରାଥମିକ ତଦନ୍ତରେ ବିମାନର ଇଞ୍ଜିନ୍‌ରେ ସମସ୍ୟା ହୋଇଥିବା ସନ୍ଦେହ କରାଯାଇଥିଲା, କିନ୍ତୁ ବର୍ତ୍ତମାନ ତଦନ୍ତକାରୀ ସଂସ୍ଥା ସମସ୍ତ ବୈଷୟିକ ଦିଗକୁ ନେଇ ଗଭୀର ପରୀକ୍ଷଣ କରୁଛି।

 

ଦେଶର ଏହି ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ଉପରେ ସମସ୍ତଙ୍କ ନଜର ରହିଛି। ଅକ୍ଟୋବରରେ ପ୍ରକାଶ ପାଇବାକୁ ଥିବା ଚୂଡ଼ାନ୍ତ ରିପୋର୍ଟ ହିଁ ଏହି ଦୁର୍ଘଟଣା ପଛର ପ୍ରକୃତ କାରଣ ଉପରୁ ପରଦା ହଟାଇବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.