Latest Odisha News

BREAKING NEWS

Rath Yatra 2026: ରଥାରୂଢ ହେଲେ ଚତୁର୍ଦ୍ଧାମୂର୍ତ୍ତି, ବିନା ଟାହିଆରେ ଝୁଲି ଝୁଲି ଆସିଲା କାଳିଆ…ଆଶ୍ଚର୍ଯ୍ୟ ହୋଇଗଲେ ଭକ୍ତ!

ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରାର ସବୁଠାରୁ ଭାବବିହ୍ୱଳ ଓ ଆକର୍ଷଣୀୟ ନୀତି ପହଣ୍ଡି ବିଜେ ଗୁରୁବାର ସୁରୁଖୁରୁରେ ସମ୍ପନ୍ନ ହୋଇଛି। ପାରମ୍ପରିକ ଧାଡ଼ି ପହଣ୍ଡି ଓ ଶୂନ୍ୟ ପହଣ୍ଡିରେ ଶ୍ରୀସୁଦର୍ଶନ, ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜ ନିଜ ରଥରେ ବିରାଜମାନ ହୋଇଛନ୍ତି। ତେବେ ଏହି ସମୟରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ଯାହା କେବେ ଦେଖିବାକୁ ମିଳିନଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥ ସିଂହଦ୍ବାରରୁ ବାହାରି ବିନା ଟାହିଆରେ ପହଣ୍ଡି କରି ରଥାରୂଢ ହୋଇଥିଲେ । ଯାହାକୁ ନେଇ ଅନେକ ପ୍ରଶ୍ନ ବି ଉଠିଛି…

ସକାଳଠାରୁ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି । ଘଣ୍ଟ, ଘଣ୍ଟା, ମୃଦଙ୍ଗ, ଶଙ୍ଖଧ୍ୱନି, “ହରିବୋଲ” ଓ “ଜୟ ଜଗନ୍ନାଥ” ଧ୍ୱନିରେ ସମଗ୍ର ଶ୍ରୀକ୍ଷେତ୍ର ପ୍ରକମ୍ପିତ ହୋଇଉଠିଥିଲା। ବର୍ଷାକୁ ଖାତିର ନକରି ଭକ୍ତମାନେ ମହାପ୍ରଭୁଙ୍କ ଏହି ଦିବ୍ୟ ଲୀଳାର ସାକ୍ଷୀ ହେବା ପାଇଁ ବଡ଼ଦାଣ୍ଡରେ ଭିଡ଼ ଜମାଇଥିଲେ।

ପହଣ୍ଡି ନୀତିର ଆରମ୍ଭରେ ଚକ୍ରରାଜ ଶ୍ରୀସୁଦର୍ଶନ ସେବାୟତମାନଙ୍କ କାନ୍ଧରେ ବିଜେ ହୋଇ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିରାଜମାନ କରିଥିଲେ। ଏହାପରେ ବଡ଼ଠାକୁର ଶ୍ରୀବଳଭଦ୍ର ପାରମ୍ପରିକ ଧାଡ଼ି ପହଣ୍ଡିରେ ଆସି ତାଳଧ୍ୱଜ ରଥରେ ରଥାରୂଢ଼ ହୋଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ହଳଦୀମୁହିଁ ଦେବୀ ସୁଭଦ୍ରା ପାରମ୍ପରିକ ଶୂନ୍ୟ ପହଣ୍ଡିରେ ଦର୍ପଦଳନ ରଥରେ ବିରାଜମାନ କରିଥିଲେ। ସମସ୍ତଙ୍କ ଅପେକ୍ଷାର ଅନ୍ତ ଘଟାଇ ଶେଷରେ କାଳିଆ ସାଆନ୍ତ ଶ୍ରୀଜଗନ୍ନାଥ ସିଂହଦ୍ୱାରରୁ ଝୁଲି ଝୁଲି ଗହଳି ଲଗାଇ ପାରମ୍ପରିକ ପହଣ୍ଡିରେ ବାହାରି ନନ୍ଦିଘୋଷ ରଥରେ ବିରାଜମାନ ହୋଇଥିଲେ। ମହାପ୍ରଭୁଙ୍କ ଆଗମନ ସମୟରେ ଭକ୍ତମାନଙ୍କ ଉଲ୍ଲାସ ଚରମସୀମାରେ ପହଞ୍ଚିଥିଲା।

ଏହି ଦିବ୍ୟ ମୁହୂର୍ତ୍ତକୁ ନିଜ ଆଖିରେ ଦେଖି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ନିଜକୁ ଧନ୍ୟ ମନେ କରିଥିଲେ। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡ ଭକ୍ତ ସମୁଦ୍ରରେ ପରିଣତ ହୋଇଥିଲା।

ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ସମୟ ଅନୁଯାୟୀ ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ପ୍ରାତଃକାଳରେ ମଙ୍ଗଳାଳତି, ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ, ଗୋପାଳବଲ୍ଲଭ ଓ ସକାଳଧୂପ ନୀତି ଶେଷ ହେବା ପରେ ସାଢ଼େ ୯ଟାରେ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା।

ପହଣ୍ଡି ଶେଷ ପରେ ଶ୍ରୀମଦନମୋହନ ଏବଂ ଶ୍ରୀରାମ-ଶ୍ରୀକୃଷ୍ଣ ରଥରେ ବିଜେ କରିଛନ୍ତି । ଏହାପରେ ଠାକୁରଙ୍କ ଚିତାଲାଗି ଓ ବେଶ ନୀତି ସମ୍ପନ୍ନ ହେବ। ଅପରାହ୍ଣ ୨ଟାରୁ ୩ଟା ମଧ୍ୟରେ ଗଜପତି ମହାରାଜ ପାରମ୍ପରିକ ଛେରାପହଁରା ନୀତି ପାଳନ କରିବେ। ପରେ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବା ନୀତି ସରିବା ପରେ ଅପରାହ୍ଣ ୪ଟାରେ ବିଶ୍ୱପ୍ରସିଦ୍ଧ ରଥଟଣା ଆରମ୍ଭ ହେବ। ରଥଟଣା ଶେଷ ପରେ ରଥ ଉପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ କରାଯିବ।

ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସହ ଏବେ ସମଗ୍ର ବିଶ୍ୱର କୋଟି କୋଟି ଭକ୍ତଙ୍କ ନଜର ରହିଛି ବିଶ୍ୱପ୍ରସିଦ୍ଧ ରଥଟଣା ଉପରେ, ଯେଉଁଠି ମହାପ୍ରଭୁ ଭାଇ-ଭଉଣୀଙ୍କ ସହ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା ଆରମ୍ଭ କରିବେ।

Leave A Reply

Your email address will not be published.