Massive Traffic Jam: ଆଡ଼ପ ବିଜେ ପୂର୍ବରୁ ପୁରୀରେ ଭକ୍ତଙ୍କ ସମୁଦ୍ର, ଭୁବନେଶ୍ୱର-ପୁରୀ ରାସ୍ତାରେ ଅସମ୍ଭାଳ ଟ୍ରାଫିକ୍ ଜାମ୍
ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ ପହଞ୍ଚିବା ପରେ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ ଚରମ ସୀମାରେ ପହଞ୍ଚିଛି। ଆଜି ଅପରାହ୍ନରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ଆଡ଼ପ ମଣ୍ଡପକୁ ବିଜେ କରିବାକୁ ଥିବାରୁ ସକାଳୁ ସକାଳୁ ରଥ ସମ୍ମୁଖରେ ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ରବିବାର ଠାରୁ ଆଡ଼ପ ଦର୍ଶନ ଓ ଆଡ଼ପ ଅବଢ଼ା ମିଳିବାକୁ ଥିବାରୁ ଭକ୍ତଙ୍କ ଉତ୍ସାହ ଆହୁରି ବଢ଼ିଯାଇଛି।
ଗୁଣ୍ଡିଚା ମନ୍ଦିର ପରିସରରେ ରଥାରୂଢ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତ ଭିଡ଼ ଜମାଇଛନ୍ତି । ସଂକୀର୍ତ୍ତନ, ହରିବୋଲ ଧ୍ୱନି ଓ ଜୟ ଜଗନ୍ନାଥର ଜୟଘୋଷରେ ସମଗ୍ର ଶରଧାବାଲି ପ୍ରକମ୍ପିତ ହେଉଥିବା ବେଳେ ରଥ ଚାରିପାଖରେ ଭିଡ଼ ନିୟନ୍ତ୍ରଣ କରିବା ସୁରକ୍ଷାକର୍ମୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି। ବିଭିନ୍ନ ଦିଗରୁ ଭକ୍ତମାନେ ଏକାସାଙ୍ଗରେ ରଥ ନିକଟକୁ ଆସୁଥିବାରୁ ବାରମ୍ବାର ଠେଲାପେଲା ସ୍ଥିତି ମଧ୍ୟ ସୃଷ୍ଟି ହେଉଛି।
ଏପଟେ ରଥାରୂଢ ଦିଅଁଙ୍କ ଦର୍ଶନ ପାଇଁ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁ ପୁରୀ ଅଭିମୁଖେ ବାହାରିଥିବାରୁ ଜାତୀୟ ରାଜପଥରେ ଅସମ୍ଭାଳ ଟ୍ରାଫିକ୍ ଜାମ୍ ଦେଖିବାକୁ ମିଳିଛି । ମାଳତୀପାଟପୁରରୁ ବୀରହରେକୃଷ୍ଣପୁର ପର୍ଯ୍ୟନ୍ତ କାର୍, ବସ୍, ଅଟୋ, ଟ୍ୟାକ୍ସି ଓ ବାଇକର ଲମ୍ବା ଧାଡ଼ି ଲାଗି ରହିଛି। ରାତିସାରା ହୋଇଥିବା ବର୍ଷା ଏବଂ ଅତ୍ୟଧିକ ଯାନବାହନ ଚଳାଚଳ ଯୋଗୁଁ ଗାଡ଼ିଗୁଡ଼ିକ ଅତ୍ୟନ୍ତ ଧୀର ଗତିରେ ଚାଲୁଛି। ବାଟଗାଁ ଅଞ୍ଚଳରେ ପ୍ରବଳ ବର୍ଷା ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି।
ପରିସ୍ଥିତିକୁ ଦେଖି ଓଡ଼ିଶା ପୋଲିସ ଶ୍ରଦ୍ଧାଳୁମାନଙ୍କୁ ଅନୁରୋଧ କରିଛି ଯେ, ବର୍ଷା କମିବା ପର୍ଯ୍ୟନ୍ତ ଅନାବଶ୍ୟକ ଯାତ୍ରା ଏଡ଼ାଇବା ସହ ପୁରୀ ଅଭିମୁଖେ ବାହାରିବା ପୂର୍ବରୁ ଟ୍ରାଫିକ୍ ସ୍ଥିତି ବିଷୟରେ ସୂଚନା ନେବାକୁ। ଧୈର୍ଯ୍ୟର ସହ ଯାତ୍ରା କଲେ ସମସ୍ତଙ୍କ ସୁରକ୍ଷା ସୁନିଶ୍ଚିତ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
ତେବେ ଶୁକ୍ରବାର ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ସମସ୍ତ ଭକ୍ତ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇଥିଲେ। ଆଜି ମହାପ୍ରଭୁଙ୍କ ଆଡ଼ପ ବିଜେ ପରେ ଶ୍ରୀଅଙ୍ଗ ସୁରକ୍ଷା ନୀତି ଓ ଅନ୍ୟାନ୍ୟ ସନ୍ଧ୍ୟା ନୀତି ସମ୍ପନ୍ନ ହେବ। ଏହାପରେ ରବିବାରଠାରୁ ଭକ୍ତମାନେ ଜନ୍ମବେଦିରେ ମହାପ୍ରଭୁଙ୍କ ଆଡ଼ପ ଦର୍ଶନ ସହ ଆଡ଼ପ ଅବଢ଼ା ପାଇବାର ସୌଭାଗ୍ୟ ଅର୍ଜନ କରିବେ।