Latest Odisha News

BREAKING NEWS

‘ବିକଶିତ ଓଡ଼ିଶା ୨୦୩୬’ ଲକ୍ଷ୍ୟ ହେବ ସାକାର: ବିଶ୍ୱବ୍ୟାଙ୍କର ସହଯୋଗୀ ସଂସ୍ଥା ଆଇଏଫସି ସହ ହାତ ମିଳାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ଭିତ୍ତିଭୂମିର ଦ୍ରୁତ ବିକାଶ ଏବଂ ଘରୋଇ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ବୃହତ୍ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକରେ ବ୍ୟାପକ ପୁଞ୍ଜି ବିନିଯୋଗ ପାଇଁ ରାଜ୍ୟ ସରକାର ଶୁକ୍ରବାର ଦିନ ବିଶ୍ୱବ୍ୟାଙ୍କ ଗ୍ରୁପ୍‌ର ଘରୋଇ ନିବେଶ ଶାଖା ‘ଆନ୍ତର୍ଜାତୀୟ ବିତ୍ତ ନିଗମ’ (ଆଇଏଫସି ବା IFC) ସହ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିଛନ୍ତି।

 

‘ପ୍ରୋଗ୍ରାମେଟିକ୍ ଟ୍ରାଞ୍ଜାକ୍ସନ ଆଡଭାଇଜରୀ ସର୍ଭିସେସ୍ ଏଗ୍ରିମେଣ୍ଟ’ ନାମକ ଏହି ଚୁକ୍ତି ଅଧୀନରେ ରାଜ୍ୟରେ ପ୍ରାୟ ୨୦,୦୦୦ କୋଟି ଟଙ୍କା (ପ୍ରାୟ ୨ ବିଲିୟନ ଡଲାର) ବ୍ୟୟ ଅଟକଳରେ ୨୦ଟି ବୃହତ୍ ସରକାରୀ-ଘରୋଇ ଭାଗିଦାରୀ ପ୍ରକଳ୍ପ ପ୍ରସ୍ତୁତ କରାଯିବାର ଲକ୍ଷ୍ୟ ରଖାଯାଇଛି। ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଆଇଏଫସି ସହିତ ଏହି ‘ଟାସା’ ଚୁକ୍ତି ସ୍ୱାକ୍ଷର କରିଥିବା ବେଳେ ଏହା ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଏକ ରୋଲ୍ ମଡେଲ୍ ସାଜିବ ବୋଲି ବିବେଚନା କରାଯାଉଛି।

 

ଲୋକସେବା ଭବନରେ ଅନୁଷ୍ଠିତ ଏହି ଚୁକ୍ତି ସ୍ୱାକ୍ଷର ଉତ୍ସବରେ ଜଣାପଡ଼ିଛି ଯେ, ଆଇଏଫସି ଆଗାମୀ ଏକ ବର୍ଷ ମଧ୍ୟରେ ଓଡ଼ିଶାର ବିଭିନ୍ନ ପ୍ରାଥମିକତା କ୍ଷେତ୍ରରେ ବିନିଯୋଗ-ଯୋଗ୍ୟ ପ୍ରକଳ୍ପଗୁଡ଼ିକୁ ଚିହ୍ନଟ କରିବ। ମୁଖ୍ୟତଃ ନବୀକରଣଯୋଗ୍ୟ ଶକ୍ତି, ଶକ୍ତି ପ୍ରସାରଣ, ଯୋଗାଯୋଗ ଓ ପରିବହନ (ଲଜିଷ୍ଟିକ୍ସ ଏବଂ ଟ୍ରାନ୍ସପୋର୍ଟ), ସହରାଞ୍ଚଳ ଭିତ୍ତିଭୂମି ବିକାଶ ଏବଂ ଇଲେକ୍ଟ୍ରିକ୍ ମୋବିଲିଟି ଭଳି ଗୁରୁତ୍ୱପୂର୍ଣ୍ଣ ସେକ୍ଟର ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଏହି ପଦକ୍ଷେପ ଦ୍ୱାରା ରାଜ୍ୟରେ ପରିବେଶ ଅନୁକୂଳ ଶକ୍ତିର ବ୍ୟବହାର ବଢ଼ିବା ସହ ଶିଳ୍ପ ଏବଂ ଲଜିଷ୍ଟିକ୍ସ ନେଟୱର୍କ ଅଧିକ ସୁଦୃଢ଼ ହେବ ଏବଂ ସାଧାରଣ ରାଜକୋଷ ଉପରେ ପଡ଼ୁଥିବା ଆର୍ଥିକ ବୋଝ ମଧ୍ୟ ହ୍ରାସ ପାଇବ ବୋଲି ଆଶା କରାଯାଉଛି।

 

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ବିକଶିତ ଓଡ଼ିଶା ୨୦୩୬’ ର ସଂକଳ୍ପ ଉପରେ ଆଲୋକପାତ କରାଯାଇଥିଲା। ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ବ୍ୟାପକ ଘରୋଇ ପୁଞ୍ଜିନିବେଶ ନିତ୍ୟାନ୍ତ ଆବଶ୍ୟକ। ଆଇଏଫସି ଭଳି ଅନ୍ତର୍ଜାତୀୟ ସ୍ତରର ପ୍ରତିଷ୍ଠିତ ସଂସ୍ଥା ଏକ ‘ନଲେଜ୍ ପାର୍ଟନର’ ବା ଜ୍ଞାନ ଭାଗିଦାର ଭାବରେ ଯୋଡ଼ି ହେବା ଦ୍ୱାରା ରାଜ୍ୟର ପିପିପି ଇକୋସିଷ୍ଟମ୍ ଆହୁରି ମଜବୁତ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

 

ଏହି ଚୁକ୍ତି ସ୍ୱାକ୍ଷର କାର୍ଯ୍ୟକ୍ରମରେ ଆଇଏଫସିର ଦକ୍ଷିଣ ଏସିଆ ପ୍ରଭାରୀ ନିର୍ଦ୍ଦେଶକ ଶଲଭ ଟଣ୍ଡନ ଉପସ୍ଥିତ ରହି ଓଡ଼ିଶା ସହ ଏହି ଭାଗିଦାରୀକୁ ସଂସ୍ଥାର ଏକ ଉଚ୍ଚ ପ୍ରାଥମିକତା ବୋଲି ଅଭିହିତ କରିବା ସହ ନିବେଶ ଉପଯୋଗୀ ପ୍ରକଳ୍ପ ଢାଞ୍ଚା ପ୍ରସ୍ତୁତ କରିବା ଦିଗରେ ଆଇଏଫସି ରାଜ୍ୟ ସରକାରଙ୍କୁ ସମସ୍ତ ବୈଷୟିକ ସହାୟତା ଯୋଗାଇଦେବ ବୋଲି କହିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଶକ୍ତି) ବିଶାଳ ଦେବ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ରଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.