Latest Odisha News

BREAKING NEWS

Wangchuk Wife Objects: ଶୁକ୍ରବାର ଠିକ୍ ଥିଲେ ଓ୍ବାଙ୍ଗଚୁକ୍…ପତ୍ନୀ ଗୀତାଞ୍ଜଳି ଦାବି କଲେ, ‘ମୋ ସହମତି ବିନା ଦିଆନଯାଉ କୌଣସି ଚିକିତ୍ସା…’

ନୂଆଦିଲ୍ଲୀ: ଲଦାଖର ପରିବେଶ କର୍ମୀ ସୋନମ ୱାଙ୍ଗଚୁକଙ୍କ ଅନଶନକୁ ନେଇ ବିବାଦ ଆହୁରି ବଢ଼ିଛି। ଅନଶନର ୨୧ତମ ଦିନରେ ଶନିବାର ଭୋରୁ ଦିଲ୍ଲୀ ପୋଲିସ ତାଙ୍କୁ ଜନ୍ତର ମନ୍ତରରୁ ହଟାଇ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏହାପରେ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଜେ. ଆଙ୍ଗମୋ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ତାଙ୍କ ସହମତି ବିନା କୌଣସି ଔଷଧ କିମ୍ବା ଚିକିତ୍ସା ନ ଦେବାକୁ ଅନୁରୋଧ କରିଛନ୍ତି।

ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ କରି ଗୀତାଞ୍ଜଳି କହିଛନ୍ତି, “ମୁଁ ସଫଦରଜଙ୍ଗ ହସ୍ପିଟାଲରେ ଅଛି। ମୋର, ପରିବାରର ଏବଂ ଗତ ୨୦ ଦିନ ଧରି ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖୁଥିବା ଡାକ୍ତରଙ୍କ ସହମତି ବିନା ସୋନମ ୱାଙ୍ଗଚୁକଙ୍କୁ ମୁଖ ଦ୍ୱାରା କିମ୍ବା ଶିରା ମାଧ୍ୟମରେ କୌଣସି ଔଷଧ ବା ତରଳ ପଦାର୍ଥ ଦିଆଯିବ ନାହିଁ।”

ଏଥିସହିତ ପୋଲିସ୍ ଓ୍ବାଙ୍ଗଚୁକଙ୍କୁ ଉଠାଇନେବାର କିଛଇ ସମୟ ପୂର୍ବରୁ ମଧ୍ୟ ତାଙ୍କ ପତ୍ନୀ ତାଙ୍କୁ ଭେଟିଥିଲେ । ଯାହାକୁ ନେଇ ସେ ହସ୍ପିଟାଲରେ ଭର୍ତ୍ତି କରିବା ନିଷ୍ପତ୍ତିକୁ ମଧ୍ୟ ପ୍ରଶ୍ନ କରିଛନ୍ତି। ଓ୍ବାଙ୍ଗଚୁକଙ୍କ ପତ୍ନୀଙ୍କ କହିବା ଅନୁଯାୟୀ, ଶୁକ୍ରବାର ପର୍ଯ୍ୟନ୍ତ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିଲା ଏବଂ ତାଙ୍କୁ ହସ୍ପିଟାଲକୁ ନେବାର କୌଣସି ଆବଶ୍ୟକତା ନଥିଲା। ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁଯାୟୀ ତାଙ୍କର ଏଭଳି ସହମତି ଦେବାର ଅଧିକାର ରହିଛି ବୋଲି ସେ ଦାବି କରିଛନକ୍ତି ।

ହସ୍ପିଟାଲ ସୂଚନା ଅନୁଯାୟୀ, ଦୀର୍ଘ ସମୟ ଧରି ଅନଶନ ଓ ଶରୀରରେ ଜଳର ଅଭାବ (ଡିହାଇଡ୍ରେସନ୍) ଯୋଗୁଁ ସୋନମ ୱାଙ୍ଗଚୁକ ବହୁତ ଦୁର୍ବଳ ହୋଇପଡ଼ିଛନ୍ତି। ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କ ଶରୀରର ଆବଶ୍ୟକ ସ୍ୱାସ୍ଥ୍ୟ ମାନକକୁ ସ୍ୱାଭାବିକ କରିବା ପାଇଁ ଲଗାତାର ନିରୀକ୍ଷଣ, ବିଭିନ୍ନ ପରୀକ୍ଷା ଓ ଚିକିତ୍ସା ଜାରି ରହିଛି। ମିଳିଥିବା ସୂଚନା ଅନୁସାରେ, ସୋନମ ୱାଙ୍ଗଚୁକଙ୍କ ଚିକିତ୍ସା ପାଇଁ ସଫଦରଜଙ୍ଗ ହସ୍ପିଟାଲରେ ୨ ଜଣ ଡାକ୍ତର ଓ ୨ ଜଣ ପାରାମେଡିକାଲ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ଅନ୍ୟପଟେ ଦିଲ୍ଲୀ ପୋଲିସ କହିଛି ଯେ, ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ଆଧାରରେ ୱାଙ୍ଗଚୁକଙ୍କୁ ଆବଶ୍ୟକ ଚିକିତ୍ସା ପାଇଁ ସଫଦରଜଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସର କହିବା ଅନୁଯାୟୀ, ଏହି ସମୟରେ କିଛି ପ୍ରଦର୍ଶନକାରୀ ବାଧା ସୃଷ୍ଟି କରିଥିଲେ, ଯାହାଫଳରେ ସାମାନ୍ୟ ଉତ୍ତେଜନା ଦେଖାଦେଇଥିଲା। ତଥାପି ସଂଯମ ରକ୍ଷା କରି ସମଗ୍ର ପ୍ରକ୍ରିୟାକୁ ସୁରକ୍ଷିତ ଭାବେ ସମ୍ପନ୍ନ କରାଯାଇଥିବା ପୋଲିସ କହିଛି।

ସୋନମ ୱାଙ୍ଗଚୁକ ଜୁନ୍ ୨୮ରୁ ଜନ୍ତର ମନ୍ତରରେ ଅନଶନରେ ବସିଥିଲେ। ଶୁକ୍ରବାର ରାତିରେ ସେ କହିଥିଲେ ଯେ, ତାଙ୍କ ଶରୀରର ଓଜନ ପ୍ରାୟ ୨୦ ପ୍ରତିଶତ କମିଯାଇଛି, କିନ୍ତୁ ସ୍ୱାସ୍ଥ୍ୟ ଅବନତି ସତ୍ତ୍ୱେ ସେ ନିଜର ଅନଶନ ଜାରି ରଖିବାକୁ ସଂକଳ୍ପବଦ୍ଧ।

Leave A Reply

Your email address will not be published.