Latest Odisha News

BREAKING NEWS

Parliament’s No. Game: ସଂସଦରେ ୨/୩ ବହୁମତ ପାଇଁ ବିଜେପିର ବଡ଼ ରଣନୀତି! ମହିଳା ସଂରକ୍ଷଣ ଓ ପୁନଃସୀମା ନିର୍ଦ୍ଧାରଣ ବିଲ୍ ପାସ୍ କରିବାକୁ ବଦଳୁଛି ସମୀକରଣ…

ନୂଆଦିଲ୍ଲୀ: ଜୁଲାଇ ୨୦ରୁ ଅର୍ଥାତ୍ ଆଜିଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଚଳିତ ଅଧିବେଶନରେ ମୋଦି ସରକାରଙ୍କ ସାମ୍ନାରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଦୁଇଟି ସମ୍ବିଧାନ ସଂଶୋଧନ ବିଲ୍ ପାସ୍ କରିବା। ଏଥିପାଇଁ ଲୋକସଭା ଓ ରାଜ୍ୟସଭାରେ ୨/୩ ଅର୍ଥାତ୍ ଦୁଇ ତୃତୀୟାଂଶ ବିଶେଷ ବହୁମତ ଆବଶ୍ୟକ।

ସରକାର ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍ (୩୦ ଦିନ ଜେଲରେ ରହିଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀଙ୍କୁ ପଦରୁ ହଟାଇବା ପ୍ରସ୍ତାବ) ଏବଂ ୧୩୧ତମ ସଂଶୋଧନ ବିଲ୍ (ପରିସୀମନ ସହ ୩୩% ମହିଳା ସଂରକ୍ଷଣକୁ ଯୋଡ଼ି) ପାସ୍ କରିବାକୁ ଚାହୁଁଛନ୍ତି। ଯାହାକୁ ଗତ ଅଧିବେଶନରେ ପାସ୍ କରାଇ ଦେଇନଥିଲେ ବିରୋଧୀ ।

ହେଲେ ଏଥର ସଂସଦରେ ଗଣିତ ବଦଳିଛି । ଏନଡିଏର ଦବଦବା ଗୃହରେ ଅଧିକ ରହିଛି । ଆସନ୍ତୁ ନଜର ପକାଇବା ଲୋକସଭାରେ କେମିତି ରହିଛି ଗଣିତ? ଲୋକସଭାରେ ୫୪୦ ସଦସ୍ୟ ବିଶିଷ୍ଟ ଲୋକସଭାରେ ୨/୩ ବହୁମତ ପାଇଁ ୩୬୦ ଭୋଟ ଆବଶ୍ୟକ। ବର୍ତ୍ତମାନ NDA ପାଖରେ ୨୯୨ ସାଂସଦ ଅଛନ୍ତି, ଅର୍ଥାତ୍ ଆହୁରି ୬୮ ଭୋଟ ଦରକାର। ବିଜେପିର ଆଶା, ଟିଏମସିର ୨୦ ବିଦ୍ରୋହୀ ସାଂସଦ, ଶିବସେନା (UBT)ର ୬ ବିଦ୍ରୋହୀ, ଡିଏମକେର ୨୨ ସାଂସଦ ଏବଂ ଶରଦ ପାୱାର ଗୋଷ୍ଠୀ NCPର ୮ ସାଂସଦଙ୍କ ସମର୍ଥନ ତାକୁ ମିଳିଯାଇପାରେ । ସେଥିପାଇଁ ସର୍ବଦଳୀୟ ବୈଠକରେ TMCର ୨୦ ଜଣ ବିଦ୍ରୋହୀ ସାଂସଦଙ୍କୁ NCPI ନାମକ ଦଳର ପ୍ରତିନିଧି ଭାବେ ଡକାଯାଇଥିଲା । ଯାହାକୁ ନେଇ ରବିବାର ସଂସଦରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ତେବେ ଏହି ସମର୍ଥନ ମିଳିଲେ ମଧ୍ୟ NDA ସଂଖ୍ୟା ୩୪୮ରେ ପହଞ୍ଚିବ, ତଥାପି ୧୨ ଭୋଟ କମ୍ ରହିବ। ଏଥିପାଇଁ YSRCP, JMM, VCK, RLP, ଅକାଳୀ ଦଳ ଓ ସ୍ୱାଧୀନ ସାଂସଦଙ୍କ ସମର୍ଥନ ଆବଶ୍ୟକ ହୋଇପାରେ।

ବାଜି ପଲଟାଇ ଦେଇପାରେ ବିରୋଧୀଙ୍କ ଅନୁପସ୍ଥିତି?

ଯଦି ଟିଏମସି, ଡିଏମକେ, NCP ଓ ଶିବସେନା (UBT)ର କିଛି ସାଂସଦ ଭୋଟିଂରୁ ଦୂରରେ ରୁହନ୍ତି, ତେବେ ଭୋଟ ଦେଉଥିବା ସଦସ୍ୟ ସଂଖ୍ୟା କମିଯିବ ଓ ୨/୩ ବହୁମତର ସୀମା ମଧ୍ୟ କମିବ। ତଥାପି NDAକୁ ପ୍ରାୟ ୩୧ ଅତିରିକ୍ତ ଭୋଟ ଦରକାର ପଡ଼ିବ।

ଅପରପକ୍ଷେ ରାଜ୍ୟସଭାରେ ବର୍ତ୍ତମାନ NDA ପାଖରେ ପ୍ରାୟ ୧୫୦ ସାଂସଦ ଅଛନ୍ତି। ବିଶେଷ ବହୁମତ ପାଇଁ ୧୬୨ ଭୋଟ ଆବଶ୍ୟକ। ଡିଏମକେ ଓ NCP(SP)ର ସମର୍ଥନ ମିଳିଲେ ମଧ୍ୟ ସଂଖ୍ୟା ପୂରଣ ହେବ ନାହିଁ। ସେଥିପାଇଁ BJD, YSRCP, BRS ଓ BSP ଭଳି ଦଳଙ୍କ ସମର୍ଥନ ଗୁରୁତ୍ୱପୂର୍ଣ୍ଣ ହୋଇପାରେ।

ସମ୍ପ୍ରତି ଟିଏମସିର ବିଦ୍ରୋହୀ ସାଂସଦମାନଙ୍କ NDAରେ ଯୋଗଦେବା ସମ୍ଭାବନା, କଂଗ୍ରେସ-ଡିଏମକେ ସମ୍ପର୍କରେ ତିକ୍ତତା ଏବଂ ଶରଦ ପାୱାର ଗୋଷ୍ଠୀ ସହ ସମ୍ଭାବ୍ୟ ଆଲୋଚନାକୁ ନେଇ ମୌସୁମୀ ଅଧିବେଶନ ପୂର୍ବରୁ ରାଜନୈତିକ ସମୀକରଣ ଦ୍ରୁତ ବଦଳୁଛି। ଏବେ ସମସ୍ତଙ୍କ ନଜର ମୌସୁମୀ ଅଧିବେଶନ ଉପରେ। ଏହି ଦୁଇ ସମ୍ବିଧାନ ସଂଶୋଧନ ବିଲ୍ ପାସ୍ ହେବ କି ନାହିଁ, ତାହା ସଂସଦର ‘ନମ୍ବର ଗେମ୍’ ଉପରେ ନିର୍ଭର କରିବ।

Leave A Reply

Your email address will not be published.