ନୂଆଦିଲ୍ଲୀ: ଭାରତରେ ଅନେକ ସଂସ୍କୃତି ଓ ରୀତି ନୀତି ରହିଛି । ପ୍ରତ୍ୟେକ ଅଂଚଳରେ କିଛି ନା କିଛି ଭିନ୍ନ ଧରଣର ପ୍ରଥା ମଧ୍ୟ ରହିଛି । ଆଧୁନିକ ଛାପରେ ଆମେ ରଙ୍ଗେଇ ଯାଇଥିଲେ ମଧ୍ୟ ପ୍ରଥାକୁ ଛାଡି ପାରୁନେ । ହିମାଚଳ ପ୍ରଦେଶର ମଣିକର୍ଣ୍ଣିକା ଘାଟୀ ସ୍ଥିତ ପିନୀ ଗ୍ରାମରେ ଏକ ଅଜବ ପ୍ରଥା ପାଳିତ ହୁଏ । ଏଠାରେ ଶ୍ରାବଣ ମାସରେ ମହିଳାମାନେ ଏକ ବ୍ରତ ପାଳନ କରନ୍ତି । ଏହି ବ୍ରତ ପାଳନ ଅବସରରେ ସେମାନେ ୫ ଦିନ ନିବସ୍ତ୍ର ରୁହନ୍ତି । ବିଶ୍ୱାସ ନ ହେଲେ ବି ଏହା ସତ୍ୟ । ସ୍ଥାନୀୟ ବାସିନ୍ଦା ଏହାକୁ ବେଶ ଉତ୍ସାହ ଓ ନିଷ୍ଠାର ସହ ପାଳନ କରିଥାନ୍ତି । ମହିଳାମାନେ ଏହି ସମୟରେ ଘରୁ ବାହାରକୁ ବାହାରନ୍ତି ନାହିଁ । କାହା ସହିତ କଥା ହୁଅନ୍ତି ନାହିଁ ଏବଂ ମିଶନ୍ତି ନାହିଁ ।
ସମ୍ପୂର୍ଣ୍ଣ ଏକୁଟିଆ ହୋଇ ସେମାନେ ବ୍ରତ ପାଳନ କରନ୍ତି । କେବଳ ମହିଳା ନୁହେଁ ପୁରୁଷଙ୍କ ପାଇଁ ମଧ୍ୟ କଡା ନିୟମ ରହିଛି । ସେମାନେ ପତ୍ନୀଙ୍କ ସହ କଥା ହେବେନି । ମଦ,ମାଂସ ସେବନ କରିବେ ନାହିଁ । ଏହି ପାଂଚ ଦିନ ବାହାରର କୌଣସି ବ୍ୟକ୍ତି ଗ୍ରାମରେ ପ୍ରବେଶ କରିପାରିବେ ନାହିଁ । ସମ୍ପୂର୍ଣ୍ଣ ଗ୍ରାମର ଏହା ଆସ୍ଥାର ପ୍ରତୀକ ହୋଇଥିବାରୁ ଅନ୍ୟମାନେ ସହଯୋଗ ମଧ୍ୟ କରନ୍ତି । ସ୍ଥାନୀୟ ଲୋକ କଥା ଅନୁସାରେ ଏହି ଗ୍ରାମରେ ଏକ କ୍ରୁର ରାକ୍ଷସ ରାଜୁତି କରୁଥିଲା । ସୁନ୍ଦର ବସ୍ତ୍ର ପରିଧାନ ମହିଳାଙ୍କୁ ସେ ହରଣ କରିବା ସହ ହତ୍ୟା କରି ଦେଉଥିଲା । ଗ୍ରାମବାସୀ ଲାହୁଆ ଘୋଂଟଙ୍କୂ ବିପଦରୁ ଊଦ୍ଧାର କରିବା ପାଇଁ ପ୍ରାର୍ଥନା କରିଥିଲେ । ଦେବୀ ଗ୍ରାମକୁ ଆସି ରାକ୍ଷସକୁ ବଧ କରିଥିଲେ । ସେବେଠାରୁ ଦେବୀଙ୍କୁ ଗ୍ରାମବାସୀମାନେ ଏ ଭଳି ପୂଜା କରି ଆସୁଛନ୍ତି ।