Latest Odisha News

BREAKING NEWS

ଇସ୍କନର ‘ଅଦିନିଆ ରଥଯାତ୍ରା’ ବିବାଦ: ପୁରୀ ଗଜପତିଙ୍କ ନିବେଦନକୁ ଗ୍ରହଣ କଲା ଇସ୍କନ-ବାଙ୍ଗାଲୋର, ହେବ ନାହିଁ ନିୟମ ଉଲ୍ଲଂଘନ

ପୁରୀ/ଭୁବନେଶ୍ୱର: ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଇସ୍କନ ପକ୍ଷରୁ କରାଯାଉଥିବା ‘ଅଦିନିଆ ରଥଯାତ୍ରା’କୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା ବିବାଦ ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ପୁରୀ ଶ୍ରୀମନ୍ଦିରର ସର୍ବୋଚ୍ଚ ସେବାୟତ ତଥା ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ନିବେଦନକୁ ଇସ୍କନ-ବାଙ୍ଗାଲୋର ସମ୍ମାନ ଜଣାଇଛି। ପୁରୀ ଶ୍ରୀମନ୍ଦିରର ଶତାବ୍ଦୀ ଶତାବ୍ଦୀର ପୁରାତନ ନୀତିକାନ୍ତି ଏବଂ ତିଥି ଅନୁଯାୟୀ ହିଁ ଏଣିକି ରଥଯାତ୍ରା ପାଳନ କରାଯିବ ବୋଲି ଇସ୍କନ-ବାଙ୍ଗାଲୋର ପକ୍ଷରୁ ସ୍ପଷ୍ଟ କରାଯାଇଛି।

 

ପୁରୀ ରଥଯାତ୍ରାର ନିର୍ଦ୍ଧାରିତ ତିଥି ଅର୍ଥାତ୍ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଏବଂ ୯ ଦିନିଆ ଯାତ୍ରା ଅବଧି ମଧ୍ୟରେ ହିଁ ସେମାନଙ୍କ ଅଧୀନରେ ଥିବା ସମସ୍ତ ମନ୍ଦିରରେ ରଥଯାତ୍ରା ଆୟୋଜିତ ହେବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

 

ଇସ୍କନ ପକ୍ଷରୁ ଭାରତ ବାହାରେ ଅର୍ଥାତ୍ ଆମେରିକା, ବ୍ରିଟେନ, ରୁଷିଆ ଆଦି ବିଭିନ୍ନ ଦେଶରେ ନିଜ ସୁବିଧା ଅନୁସାରେ (ବିଶେଷକରି ଛୁଟିଦିନ କିମ୍ବା ସପ୍ତାହାନ୍ତରେ) ଭଗବାନ ଜଗନ୍ନାଥଙ୍କ ସ୍ନାନ ଯାତ୍ରା ଓ ରଥଯାତ୍ରା ଆୟୋଜନ କରାଯାଉଥିଲା। ଏହା ଶାସ୍ତ୍ର ଏବଂ ସ୍କନ୍ଦ ପୁରାଣର ‘ପୁରୁଷୋତ୍ତମ କ୍ଷେତ୍ର ମହାତ୍ମ୍ୟ’ର ଉଲ୍ଲଂଘନ ବୋଲି ଦର୍ଶାଇ ପୁରୀ ଶ୍ରୀମନ୍ଦିର ପ୍ରଶାସନ ତଥା ଗଜପତି ମହାରାଜା ତୀବ୍ର ବିରୋଧ କରିଆସୁଥିଲେ।

 

ଏପରିକି, ନିକଟରେ ଇସ୍କନର ମାୟାପୁର ଗଭର୍ଣ୍ଣିଂ ବଡି କମିଶନ ଗଜପତି ମହାରାଜାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେମାନେ ଯୁକ୍ତି ବାଢ଼ିଥିଲେ ଯେ, ବିଦେଶରେ ନିର୍ଦ୍ଦିଷ୍ଟ ତିଥିରେ ପ୍ରଶାସନିକ ଅନୁମତି ମିଳିବା ଏବଂ ଭକ୍ତମାନଙ୍କୁ ଏକତ୍ରିତ କରିବା କଷ୍ଟକର ହେଉଥିବାରୁ ଛୁଟିଦିନରେ ଏହା କରାଯାଉଛି। ଇସ୍କନର ଏହି ଆଭିମୁଖ୍ୟ ପରେ ଅସନ୍ତୋଷ ପ୍ରକାଶ କରି ଗଜପତି ମହାରାଜା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ମାମଲାରେ ହସ୍ତକ୍ଷେପ କରିବାକୁ ନିବେଦନ କରିଥିଲେ।

 

ଏହି ସମଗ୍ର ବିବାଦ ମଧ୍ୟରେ ଇସ୍କନ-ବାଙ୍ଗାଲୋରର ନିଷ୍ପତ୍ତି ସନାତନ ଧର୍ମାବଲମ୍ବୀ ଏବଂ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସି ଆଣିଦେଇଛି। ସଂସ୍ଥାର ଅଧ୍ୟକ୍ଷ ଶ୍ରୀ ମଧୁ ପଣ୍ଡିତ ଦାସ ଏକ ଭିଡିଓ ବାର୍ତ୍ତା ଜରିଆରେ କହିଛନ୍ତି ଯେ, ଶ୍ରୀଲ ପ୍ରଭୁପାଦଙ୍କ ଦ୍ୱାରା ପ୍ରତିଷ୍ଠିତ ଇସ୍କନ ବେଙ୍ଗାଲୁରୁ ଗୋଷ୍ଠୀ ଅଧୀନରେ ଥିବା ସମସ୍ତ ମନ୍ଦିର ପୁରୀ ଶ୍ରୀମନ୍ଦିରର ପ୍ରାଚୀନ ପରମ୍ପରାକୁ ପୂର୍ଣ୍ଣ ସମ୍ମାନ ଦେବେ। ସେ ମାୟାପୁର ନେତୃତ୍ୱଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ଯେ, ବୃହତ୍ତର ବୈଷ୍ଣବ ସମାଜରେ ଏକତା ଏବଂ ଜଗନ୍ନାଥ ସଂସ୍କୃତିର ସମ୍ମାନ ରକ୍ଷାର୍ଥେ ସେମାନେ ନିଜର ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ।

Leave A Reply

Your email address will not be published.