ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଧରାପଡ଼ିଛି ଏକ ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍। ଦିନକୁ ଦିନ ଅପରାଧୀମାନେ ନିଜର କଳା କାରନାମା ଲୁଚାଇବା ପାଇଁ ନୂଆ ନୂଆ ତରିକା ଆପଣାଉଥିବା ବେଳେ, ଏଥର ସ୍ୱାସ୍ଥ୍ୟସେବା ଭଳି ଏକ ପବିତ୍ର ବୃତ୍ତିକୁ ଢାଲ କରିଥିଲେ। ଏକ ଆୟୁର୍ବେଦିକ୍ କ୍ଲିନିକ୍ ଆଢ଼ୁଆଳରେ ଦୀର୍ଘ ଦିନ ଧରି ଚାଲିଥିବା ଏହି ବେଆଇନ ଦେହବେପାର ଉପରୁ ଏବେ ପରଦା ହଟାଇଛି କମିଶନରେଟ୍ ପୋଲିସ। ଏହି ଘଟଣାରେ ପୋଲିସ ସିଧାସଳଖ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଏହି ରାକେଟ୍ ପଛରେ ଥିବା ଏକ ବଡ଼ ନେଟୱର୍କର ସନ୍ଧାନ ଜାରି ରଖିଛି।
ସୂଚନା ଅନୁଯାୟୀ, ଭୁବନେଶ୍ୱରର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏହି ତଥାକଥିତ ଆୟୁର୍ବେଦିକ୍ କ୍ଲିନିକ୍ ଖୋଲାଯାଇଥିଲା। ବାହାରକୁ ଦେଖିଲେ ଏହା ଏକ ସାଧାରଣ ଚିକିତ୍ସାଳୟ ବା ସ୍ପା ଭଳି ଲାଗୁଥିଲା, ଯେଉଁଠାରେ ଆୟୁର୍ବେଦିକ୍ ମସାଜ୍ ଓ ବିଭିନ୍ନ ରୋଗର ଉପଚାର କରାଯାଉଥିବାର ବୋର୍ଡ ଲଗାଯାଇଥିଲା। କିନ୍ତୁ ଏହାରି ଭିତରେ ଗୁପ୍ତରେ ଚାଲିଥିଲା ଦେହବେପାରର ଏକ ବଡ଼ କାରବାର। ରୋଗୀଙ୍କ ବଦଳରେ ଏଠାକୁ ପ୍ରତିଦିନ ଅନେକ ରସିକିଆ ଗ୍ରାହକ ଆସୁଥିଲେ ଏବଂ ମୋଟା ଅଙ୍କର ଟଙ୍କା କାରବାର ହେଉଥିଲା। ବାହାରକୁ ଏହା ଏକ ସ୍ୱାସ୍ଥ୍ୟକେନ୍ଦ୍ର ଭଳି ପରିଚାଳିତ ହେଉଥିବାରୁ ସ୍ଥାନୀୟ ଲୋକଙ୍କର ମଧ୍ୟ ଏହା ଉପରେ କୌଣସି ସନ୍ଦେହ ନଥିଲା।
ତେବେ କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ପକ୍କା ଖବର ପାଇ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଅତର୍କିତ ଭାବେ ଏହି କ୍ଲିନିକ୍ ଉପରେ ରେଡ୍ କରିଥିଲା। ଚଢ଼ାଉ ବେଳେ ଭିତରର ଦୃଶ୍ୟ ସମ୍ପୂର୍ଣ୍ଣ ଅଲଗା ଥିଲା ଏବଂ ସେଠାରେ ଦେହବେପାର ଚାଲିଥିବାର ପ୍ରମାଣ ପୋଲିସ ହାତରେ ଲାଗିଥିଲା। ଘଟଣାସ୍ଥଳରୁ ବେପାର ଚଳାଉଥିବା ଦୁଇ ଜଣ ମୁଖ୍ୟ କର୍ପୃପକ୍ଷ ତଥା ଦଲାଲଙ୍କୁ ପୋଲିସ କାବୁ କରିଛି। ଏଥିସହ ସେଠାରୁ ଅନେକ ଆପତ୍ତିଜନକ ସାମଗ୍ରୀ, ମୋବାଇଲ୍ ଫୋନ୍ ଏବଂ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଥିବା ସୂଚନା ମିଳିଛି।
ପୋଲିସ ଏବେ ଉଭୟ ଅଭିଯୁକ୍ତଙ୍କୁ ନିଜ ହେପାଜତକୁ ନେଇ ଅଧିକ ଜେରା କରୁଛି। ଏହି ରାକେଟରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ଗ୍ରାହକମାନଙ୍କୁ କିଭଳି ଯୋଗାଯୋଗ କରାଯାଉଥିଲା ଏବଂ ବାହାର ରାଜ୍ୟରୁ ଯୁବତୀମାନଙ୍କୁ ଏଠାକୁ ଅଣାଯାଇଥିଲା କି ନାହିଁ, ସେ ଦିଗରେ ତଦନ୍ତକୁ ଜୋରଦାର କରାଯାଇଛି।