ବୌଦ୍ଧ: ପୁରୀ ଶ୍ରୀମନ୍ଦିରରୁ କାଳିଆ ସାଆନ୍ତଙ୍କ ଦର୍ଶନ ସାରି ଖୁସି ମନରେ ଘରକୁ ଫେରୁଥିଲେ। ହେଲେ ବାଟରେ ଯେ ଏମିତି ଏକ ଭୟଙ୍କର ବିପଦ ଛକି ବସିଛି, ତାହା କେହି କଳ୍ପନା ସୁଦ୍ଧା କରିନଥିଲେ। ପ୍ରବଳ ବର୍ଷା ଏବଂ ଅନ୍ଧାର ରାତି ଭିତରେ ଏକ ଲୋମହର୍ଷଣକାରୀ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି ୫ ଜଣ ଜଗନ୍ନାଥ ଭକ୍ତ। ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥର ଆଡେଣିଗଡ଼ ନିକଟରେ ଶନିବାର ରାତିରେ ଏକ ତେଲ ଟ୍ୟାଙ୍କର ସହିତ ସେମାନଙ୍କ କାର୍ର ମୁହାଁମୁହିଁ ଧକ୍କା ହେବା ଫଳରେ ଗାଡ଼ିଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଶନିବାର ରାତିରେ ସେହି ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଥିଲା। ବର୍ଷା ଯୋଗୁଁ ରାସ୍ତା ଅତ୍ୟନ୍ତ ଖସଡ଼ା ହୋଇଯାଇଥିଲା। ପୁରୀରୁ ଫେରୁଥିବା ଶ୍ରଦ୍ଧାଳୁଙ୍କ କାର୍ଟି ଆଡେଣିଗଡ଼ ନିକଟରେ ଅଚାନକ ଭାରସାମ୍ୟ ହରାଇ ସ୍ଲିପ୍ କରିଯାଇଥିଲା ଏବଂ ଠିକ୍ ସେହି ସମୟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ମାଡ଼ି ଆସୁଥିବା ଏକ ତେଲ ଟ୍ୟାଙ୍କର ସହ ସିଧାସଳଖ ପିଟି ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ବିକଟାଳ ଶବ୍ଦ ଶୁଣି ଆଖପାଖର ଲୋକେ ତୁରନ୍ତ ଘଟଣାସ୍ଥଳକୁ ଦୌଡ଼ି ଯାଇଥିଲେ।
ଗାଡ଼ି ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଫସି ରହିଥିବା ଯାତ୍ରୀମାନଙ୍କୁ ସ୍ଥାନୀୟ ଲୋକେ ବହୁ କଷ୍ଟରେ ଉଦ୍ଧାର କରିଥିଲେ। ସମସ୍ତ ୫ ଜଣ ଆହତଙ୍କୁ ତୁରନ୍ତ ନିକଟସ୍ଥ ପୁରୁଣାକଟକ ମେଡିକାଲ୍ ସେଣ୍ଟରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୁଣ୍ଡ ଏବଂ ଶରୀରରେ ଗଭୀର ଆଘାତ ଲାଗିଥିବାରୁ ସେମାନଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇପାରେ ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ।
ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାସ୍ଥଳରୁ ଗାଡ଼ିଗୁଡ଼ିକୁ ହଟାଇବା ସହ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ସ୍ୱାଭାବିକ କରିବା ପାଇଁ ପୋଲିସ ଉଦ୍ୟମ କରିଥିଲା। ତେବେ ତେଲ ଟ୍ୟାଙ୍କର ଡ୍ରାଇଭରର ବେପରୁଆ ଗାଡ଼ିଚାଳନା ଯୋଗୁଁ ଏହି ଅଘଟଣ ଘଟିଲା ନା କେବଳ ବର୍ଷା ଯୋଗୁଁ ରାସ୍ତା ଖସଡ଼ା ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଲା, ସେ ନେଇ ପୋଲିସ ଅଧିକ ଛାନ୍ଭିନ୍ କରୁଛି।